ନୂଆଦିଲ୍ଲୀ: ଦୀର୍ଘ ୧୦ ବର୍ଷ ହେବ ଗୋଟିଏ ଆଇସିସି ଟ୍ରଫି ସନ୍ଧାନରେ ରହିଛି ଟିମ୍ ଇଣ୍ଡିଆ । ଏଥର ଭାରତରେ ଆଇସିସି ଦିନିକିଆ ବିଶ୍ବକପ୍ ୨୦୨୩ ଆୟୋଜନ ହେବାକୁ ଥିବାରୁ ଏହା ଟ୍ରଫି ମରୁଡ଼ିର ଅନ୍ତ ଘଟାଇବା ପାଇଁ ଭାରତ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ବୋଲି କୁହାଯାଉଛି । ତେବେ ଏହା ପୂର୍ବରୁ ଅନେକ ଅଭିଜ୍ଞ ଓ ପୂର୍ବତନ କ୍ରିକେଟର ମାନେ ଏଥିପାଇଁ ଟିମ୍ ଇଣ୍ଡିଆର ଚୟନ ପ୍ରକ୍ରିୟା ଓ ଖେଳାଳିଙ୍କ ରଣନୀତିକୁ ନେଇ ବିଭିନ୍ନ ଉପଦେଶ ଦେବାରେ ଲାଗିଛନ୍ତି । ଏହାରି ଭିତରେ ଟିମ୍ ଇଣ୍ଡିଆକୁ ମଧ୍ୟକ୍ରମ ଚିନ୍ତା ଘାରିଛି । ଏହାର ସମାଧାନ ପାଇଁ ଭାରତୀୟ ଦଳରେ ୱିକେଟ୍କିପର ସଞ୍ଜୁ ସାମ୍ସନଙ୍କୁ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ୍ ।
ବିଶ୍ବକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ମଧ୍ୟକ୍ରମ ନେଇ ବେଶ ଚିନ୍ତିତ ରହିଛନ୍ତି ଚୟନକର୍ତ୍ତା । ଭାରତୀୟ ମଧ୍ୟକ୍ରମରେ ବ୍ୟାଟିଂ କରି ସଫଳ ହେବାର ସମସ୍ତ ଗୁଣ ସଞ୍ଜୁ ସାମ୍ସନଙ୍କ ପାଖରେ ଥିବାରୁ ସେ ଆସନ୍ତା ଦିନିକିଆ ବିଶ୍ବକପ୍ର ୧୫ ଜଣିଆ ଦଳରେ ରହିବାର ବଡ଼ ଦାବିଦାର ମହମ୍ମଦ କୈଫ୍ କହିଛନ୍ତି । ଭଲ ପ୍ରଦର୍ଶନ ପାଇଁ ଚାପରେ ଥିବା ସାମ୍ସନ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପ୍ରଥମ ଦୁଇଟି ଦିନିକିଆରେ ଯଦିଓ ପ୍ରଭାବୀ ପ୍ରଦର୍ଶନ କରିପାରିନଥିଲେ, ହେଲେ ତୃତୀୟ ଦିନିକିଆରେ ସେ ପ୍ରଭାବଶାଳୀ ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ କେଏଲ୍ ରାହୁଲ ଓ ଶ୍ରେୟସ ଆୟର ଆହତ ହେବା ସାମ୍ସନଙ୍କ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇବାର ସୁଯୋଗ ଆଣିଛି । ସୂର୍ଯ୍ୟକୁମାର ମଧ୍ୟ ଭାରତୀୟ ମଧ୍ୟକ୍ରମରେ ସ୍ଥାନ ପାଇବାର ଦାବିଦାର । ହେଲେ ଦିନିକିଆରେ ସୂର୍ଯ୍ୟକୁମାରଙ୍କ ପ୍ରଦର୍ଶନ ସେପରି ଭଲ ନଥିବାରୁ ସୂର୍ଯ୍ୟକୁମାରଙ୍କ ଅପେକ୍ଷା ସାମ୍ସନଙ୍କୁ ବିଶ୍ବକପ୍ ଦଳରେ ରଖିବା ବୁଦ୍ଧିମାନର କାମ ହେବ ବୋଲି କୈଫ୍ କହିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ...ICC ODI World Cup 2023: ପାକ ସରକାରଙ୍କ ସବୁଜ ସଂକେତ, ଭାରତ ଆସିବ ପାକିସ୍ତାନ
ସେ କହିଛନ୍ତି, "ସଞ୍ଜୁ ସାମ୍ସନଙ୍କ ବ୍ୟାଟିଂରେ ମୁଁ ବହୁତ ପ୍ରଭାବିତ ହୋଇଛି । ସେ ଏକ ପ୍ରଭାବଶାଳୀ ପାଳି ଖେଳିଥିଲେ । ମଧ୍ୟକ୍ରମରେ ଯେ କୌଣସି ସ୍ଥାନରେ ବ୍ୟାଟିଂ କରିବାର ଦକ୍ଷତା ତାଙ୍କର ରହିଛି । ପୂର୍ବରୁ ମଧ୍ୟ ଭାରତ ପାଇଁ ସେ କିଛି ଭଲ ଇନିଂସ ଖେଳିଛନ୍ତି । ମଧ୍ୟକ୍ରମରେ ଇଶାନ୍ କିଶାନ୍ ଓ ଅକ୍ଷର ପଟେଲଙ୍କୁ ବ୍ୟାଟିଂ ପଠାଇବା ସଠିକ୍ ନିଷ୍ପତ୍ତି ନୁହେଁ । ବାମହାତି ସ୍ପିନ୍ ଓ ଲେଗ୍ସ୍ପିନ୍କୁ ସହଜରେ ଖେଳିପାରୁଥିବା ଭଳି ବ୍ୟାଟର ଗୋଟିଏ ଦଳର ମଧ୍ୟକ୍ରମରେ ରହିବା ଉଚିତ । ସଞ୍ଜୁ ସାମ୍ସନ ଏଥିରେ ସିଦ୍ଧହସ୍ତ । ବିଶ୍ବକପ୍ ମଧ୍ୟ ପାଇଁ ସେ ପ୍ରସ୍ତୁତ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ