ନୂଆଦିଲ୍ଲୀ: ବିଶ୍ବ ଫାଷ୍ଟକ୍ଲାସ କ୍ରକେଟରେ ନୂଆ ଇତିହାସ ସୃଷ୍ଟି କରିଛି ବେଙ୍ଗଲ ରଣଜୀ ଟିମ୍ । ଝାଡ଼ଖଣ୍ଡ ବିପକ୍ଷରେ ରଣଜୀ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ବେଙ୍ଗଲ ଟିମ୍ର ପ୍ରଥମ ୯ ଜଣ ବ୍ୟାଟର ୫୦ରନ୍ରୁ ଅଧିକ ସ୍କୋର୍ କରିଛନ୍ତି । ଫଳରେ ତୃତୀୟ ଷ୍ଟମ୍ପ ଅପସାରଣ ସୁଦ୍ଧା ପଶ୍ଚିମ ବଙ୍ଗ ଦଳ ୭ ୱିକେଟ ହରାଇ ୭୭୩ ରନ୍ ସଂଗ୍ରହ କରିଛି ।
୯ ଜଣ ବ୍ୟାଟରଙ୍କ ମଧ୍ୟରୁ ଦୁଇ ଶତକୀୟ ଇନିଂସ ମଧ୍ୟ ଖେଳିଛନ୍ତି । ଏହିଭଳି ଭାବରେ ୧୨୯ ବର୍ଷ ତଳର ପୁରୁଣା ରେକର୍ଡକୁ ଭାଙ୍ଗିଛି ବେଙ୍ଗଲ ରଣଜୀ ଦଳ । ଏହାପୂର୍ବରୁ ୧୮୯୩ ଅଷ୍ଟ୍ରେଲିଆର ଏକ ଫାଷ୍ଟ କ୍ଲାସ ଦଳ ମୋଟ ୮୩୩ ରନ୍ କରିଥିଲା । ସେହି ଦଳରେ ୮ ଜଣ ବ୍ୟାଟର ଲଗାତାର ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ଏହି ରେକର୍ଡକୁ ଆଜି ଭାଙ୍ଗିଛି ପଶ୍ଚିମବଙ୍ଗ କ୍ରିକେଟ ଟିମ୍ ।
ବେଙ୍ଗଲ ପକ୍ଷରୁ ସୁଦୀପ ଘରାମୀ ୧୮୬ ରନ୍ କରିଥିବା ବେଳେ ଏ. ମଜୁମଦାର ୧୧୭ରନ୍ର ଇନିଂସ ଖେଳିଥିଲେ । ତାସହିତ ଅନ୍ୟ ୭ଜଣ ବ୍ୟାଟର ୫୦ ରନ୍ରୁ ଅଧିକ ସ୍କୋର୍ କରିଥିଲେ । ୭ ୱିକେଟ ହରାଇ ୭୭୩ ରନ୍ ସଂଗ୍ରହ ପରେ ପାଳି ଘୋଷଣା କରିଛି ବେଙ୍ଗଲ । ସେପଟେ ଝାଡ଼ଖଣ୍ଡ ୫ ୱିକେଟ ହରାଇ ୧୩୯ କରିଛି ।