ବର୍ମିଂହାମ: ଆଜିଠୁ (ଶୁକ୍ରବାର) ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବ ପଞ୍ଚମ ଟେଷ୍ଟ । ସିରିଜ ଜିତି ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତ । ଅନ୍ୟପଟେ ଘରୋଇ ଦଳ ବିଜୟକୁ ଫେରିବାକୁ ପ୍ରସ୍ତୁତ ହୋଇଛି । ଟିମ ଇଣ୍ଡିଆ ଅଧିନାୟକ କୋରୋନାରୁ ସୁସ୍ଥ ନ ହୋଇ ଥିବାରୁ ଇଂଲଣ୍ଡ ଚୂଡାନ୍ତ ଦଳରୁ ବାଦ ପଡିଛନ୍ତି । ତାଙ୍କ ସ୍ଥାନରେ ପେସ ବୋଲିର ଜଶପ୍ରୀତ ବୁମରା ଦଳର ମଙ୍ଗ ଧରିଛନ୍ତି । ବୁମରାଙ୍କ ନେତୃତ୍ବରେ ଦଳ ଆଜି ପଡିଆକୁ ଓହ୍ଲାଇବ । ପନ୍ତ ଉପଅଧିନାୟକ ଭାର ତୁଲାଇବେ ।
ବୁମରା ଭାରତର 36ତମ ଟେଷ୍ଟ ଅଧିନାୟକ ଭାବେ ଆଜି ଏଜବାଷ୍ଟନରେ ଟସ ପକାଇବେ । କିମ୍ବଦନ୍ତୀ ବୋଲର କପିଲ ଦେବଙ୍କ ପରେ ଦ୍ବିତୀୟ ପେସ ବୋଲର ଭାବେ ବୁମରା ଟେଷ୍ଟ ଦଳର ନେତୃତ୍ବ ନେବେ । କପିଲ ଶର୍ମା 1987 ନଭେମ୍ବର ଯାଏ ଭାରତୀୟ ଦଳର ଅଧିନାୟକ ଥିଲେ । ପୂର୍ବ ବର୍ଷ ଭାରତ ଓ ଇଂଲଣ୍ଡ ମଧ୍ୟରେ ଏହି ଟେଷ୍ଟ ଖେଳାଯାଇଥିଲା । 4ଟି ଟେଷ୍ଟ ସୁଦ୍ଧା ଭାରତ 2-1ରେ ଆଗୁଆ ଥିଲା । ପଞ୍ଚମ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର ଏକାଧିକ ଖେଳାଳି ଓ କୋଚିଂ ସଦସ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ଫଳରେ ଟେଷ୍ଟକୁ ସ୍ଥଗିତ ରଖାଯାଇଥିଲା । 4ଟି ଟେଷ୍ଟରେ ଭାରତ ପକ୍ଷରୁ ରୋହିତ ସର୍ବାଧିକ 368ରନ ସଂଗ୍ରହ କରିଥିଲେ । ବୁମରା 18ଟି ୱିକେଟ ନେଇଥିଲେ ।
ଏଜବାଷ୍ଟନରେ ଭାରତ ଗୋଟିଏ ବି ହେଲେ ଟେଷ୍ଟ ଜିତି ନାହିଁ । ଏଠାରେ ଖେଳାଯାଇଥିବା ମୋଟ 7ଟି ଟେଷ୍ଟ ମ୍ୟାଚରୁ ଭାରତ 6ଟିରେ ପରାସ୍ତ ହୋଇଛି । ଗୋଟିଏ ଡ୍ର ହୋଇଥିଲା । ଭାରତ ଶେଷ ଥର ପାଇଁ ଇଂଲଣ୍ଡ ମାଟିରେ 2007ରେ ଟେଷ୍ଟ ସିରିଜ ଜିତିଥିଲା । ଏଜବାଷ୍ଟନ ପିଚ ବୋଲରଙ୍କ ସହାୟତା କରିବା ନିଶ୍ଚିନ୍ତ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି । ବର୍ଷା ବାଧା ସୃଷ୍ଟି କରିପାରେ ।
ଇଟିିଭି ଭାରତ