ଗାନ୍ଧୀନଗର: ଟି-20 କ୍ରିକେଟରେ 9 ହଜାର ରନ ପୂରଣ କଲେ ରୋହିତ ଶର୍ମା। ଏହି ରେକର୍ଡ ହାସଲ କରିବାରେ ସେ ହେଉଛନ୍ତି ଦ୍ବିତୀୟ ଭାରତୀୟ କ୍ରିକେଟର। ଏହାପୂର୍ବରୁ ଅଧିନାୟକ ବିରାଟ କୋହଲି ଏହି ଉପଲବ୍ଧି ହାସଲ କରି ସାରିଛନ୍ତି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି-20ରେ ଆଦିଲ ରାଶିଦଙ୍କ ବଲରେ ଏକ ରନ ନେଇ ସେ ଏହି ଉପଲବ୍ଧି ହାସଲ କରି ପାରିଛନ୍ତି।
ଟି-20 ଫର୍ମାଟରେ ନବମ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟସମ୍ୟାନ ହେଉଛନ୍ତି ରୋହିତ ଶର୍ମା। ଇଣ୍ଡିଆନ ପ୍ରିମିୟର ଲିଗରେ ସେ ସବୁଠାରୁ ଅଧିକ ରନ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ ଟି-20 କ୍ରିକେଟରେ 110ଟି ଇନିଂଶରୁ ରୋହିତ ଶର୍ମା 2 ହଜାର 8ଶହ ରନ କରିଛନ୍ତି। ଏହି ଫର୍ମାଟରେ ରୋହିତ 6ଟି ଶତକ ହାସଲ କରିଥିବାବେଳେ 63ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ।
ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟି-20ରେ ରୋହିତ ଶର୍ମା 12 ରନ କରି ଆଉଟ ହୋଇଥିଲେ। ଫାଷ୍ଟ ବୋଲର ଜୋଫ୍ରା ଆର୍ଚର ତାଙ୍କ ୱିକେଟ ନେବାକୁ ସକ୍ଷମ ହୋଇଥିଲେ। ଗତ ଜାନୁଆରୀ ମାସରେ ଦିନିକିଆ ଫର୍ମାଟରେ ଦ୍ରୁତ 9 ହଜାର ରନ କରିବା ରେକର୍ଡ ଅଧିକାରୀ ହୋଇଥିଲେ ରୋହିତ ଶର୍ମା।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ