ଲକ୍ଷ୍ନୌ: ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଦୀପକ ଚହରଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଭାରତୀୟ ଦଳ ସହ ଏହି ଷ୍ଟାର ବୋଲରଙ୍କ ଦକ୍ଷିଣ ଆଫ୍ରିକା ଗସ୍ତ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । କାରଣ ଦୀପକଙ୍କ ବାପାଙ୍କର ସ୍ବାସ୍ଥ୍ୟ ଅତ୍ୟନ୍ତ ଖରାପ ଥିବାରୁ ତାଙ୍କୁ ଉତ୍ତରପ୍ରଦେଶ ଆଲିଗଡ଼ସ୍ଥିତ ମିଥରାଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୀପକ ଚହର ମଧ୍ୟ ଏହି ହସ୍ପିଟାଲରେ ନିଜ ବାପାଙ୍କ ନିକଟରେ ଅଛନ୍ତି । ଏଭଳି ସ୍ଥିତିରେ ସେ ନିଜ ବାପାଙ୍କୁ ଛାଡ଼ି ଦକ୍ଷିଣ ଆଫ୍ରିକା ଗସ୍ତ କରିନପାରନ୍ତି । ଏନେଇ ସେ ଟିମ୍ ଇଣ୍ଡିଆ ଓ ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ ସହ ମଧ୍ୟ ଆଲୋଚନା କରିଥିବା ଇଟିଭି ଭାରତକୁ କହିଛନ୍ତି ।
ହସ୍ପିଟାଲରେ ଦୀପକ ଚହରଙ୍କ ବାପା: ଦୀପକଙ୍କ ବାପା ଲୋକେନ୍ଦ୍ର ସିଂହ ଚହର ଗତ ୩ ଦିନ ହେବ ଆଲିଗଡ଼ସ୍ଥିତ ମିଥରାଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏଠାରେ ନିଜେ ଦୀପକ ନିଜ ବାପାଙ୍କ ଦେଖାଶୁଣା କରୁଛନ୍ତି । ଏହି ସମୟରେ ଦୀପକ ଇଟିଭି ଭାରତ ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ସେ ମାସ୍କ ପିନ୍ଧିଥିଲେ ମଧ୍ୟ ତାଙ୍କ ମନର ଦୁଃଖ ସମ୍ପୂର୍ଣ୍ଣ ବାରି ହୋଇପଡ଼ୁଥିଲା । ଏଠାରେ ତାଙ୍କ ବାପାଙ୍କୁ ସଠିକ ଚିକିତ୍ସା କରାଯାଉଛି ଓ ପୂର୍ବ ଅପେକ୍ଷା ତାଙ୍କ ସ୍ଥିତି ଭଲ ଅଛି ବୋଲି ଦୀପକ ଇଟିଭି ଭାରତକୁ କହିଛନ୍ତି ।
ବାପାଙ୍କ ଅବସ୍ଥା ନେଇ ଏମିତି କହିଲେ ଦୀପକ: ନିଜ ବାପାଙ୍କ ଅବସ୍ଥା ନେଇ ଦୀପକ କହିଛନ୍ତି, "ଲୋକେ କହୁଛନ୍ତି ମୁଁ ମ୍ୟାଚ୍ ଖେଳୁନି ବା ଖେଳିବାକୁ ଯାଉନାହିଁ । ହେଲେ ମୋ ପାଇଁ ମୋ ବାପା ବେଶୀ ଗୁରୁତ୍ବପୂର୍ଣ୍ଣ । ସେ ହିଁ ମୋତେ ଖେଳାଳି ବନେଇଛନ୍ତି । ଆଜି ମୁଁ ଯେଉଁଠି ପହଁଞ୍ଚିପାରିଛି, କେବଳ ମୋ ବାପାଙ୍କ କାରଣରୁ । ଏହି ପରିସ୍ଥିତିରେ ତାଙ୍କୁ ଛାଡ଼ି ମୁଁ କେଉଁଆଡ଼େ ଯାଇ ପାରିବିନି । ଏନେଇ ମୁଁ ରାହୁଲ ଦ୍ରାବିଡ୍ ସାରଙ୍କ ସହ ଆଲୋଚନା କରିଛି । ଭାରତୀୟ ଦଳର ଚୟନକର୍ତ୍ତାଙ୍କ ସହ ମଧ୍ୟ କଥା ହୋଇଛି । ବାପାଙ୍କ ଅବସ୍ଥା ପୂର୍ବାପେକ୍ଷା ଭଲ ଅଛି । ଏହା ଆମ ପରିବାର ପାଇଁ ଭଲ ଖବର । ତାଙ୍କର ଭବିଷ୍ୟତ ସ୍ଥିତି ଉପରେ ଡାକ୍ତର ହିଁ କହିପାରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ