ଲକ୍ଷ୍ନୌ: ସୋମବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ୫ ଥରର ବିଶ୍ବକପ୍ ବିଜେତା ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ଆରମ୍ଭ ସତ୍ତ୍ବେ ଶୋଚନୀୟ ପରାଜୟ ବରଣ କରିଛି ଶ୍ରୀଲଙ୍କା । ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଶ୍ବକପ୍ ୨୦୨୩ର ପ୍ରଥମ ବିଜୟର ସ୍ବାଦ ଚାଖିଥିବାବେଳେ ଶ୍ରୀଲଙ୍କା କ୍ରମାଗତ ତୃତୀୟ ପରାଜୟର ସମ୍ମୁଖୀନ ହୋଇଥିଲା । ପ୍ରଥମେ ୧୨୫ ରନ୍ ପର୍ଯ୍ୟନ୍ତ କୌଣସି ୱିକେଟ ହରାଇନଥିଲା ଶ୍ରୀଲଙ୍କା । ହେଲେ ଏହାପରେ ଶେଷ ୮୪ ରନ ପାଇଁ ସମସ୍ତ ୱିକେଟ୍ ହରାଇ ୨୦୯ରେ ପାଳି ଶେଷ କରିଥିଲା ଦଳ । ୨୧୦ ରନର ଟାର୍ଗେଟ୍କୁ ୫ ୱିକେଟ୍ ହରାଇ ହାସଲ କରିନେଇଥିଲା କଙ୍ଗାରୁ ଦଳ । ତେବେ ଶ୍ରୀଲଙ୍କା ଓପନର୍ ନିଶଙ୍କା ନିଜ ଦଳର ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ଶ୍ରୀଲଙ୍କା । ଦଳର ଦୁଇ ଓପନର ପଥୁମ ନିଶଙ୍କା ଓ କୁଶଲ ପରେରା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ପ୍ରଥମ ୱିକେଟ୍ ପାଇଁ ଦଳୀୟ ଖାତାରେ ଉଭୟ ୧୨୫ ରନ ଯୋଡ଼ିଥିଲେ । ଲାଗୁଥିଲା ଶ୍ରୀଲଙ୍କା ଏକ ବଡ଼ ସ୍କୋର କରିବ । ହେଲେ ୬୭ ବଲରୁ ୬୧ ରନ କରିଥିବା ପଥୁମ ନିଶଙ୍କା ପ୍ରଥମେ ନିଜ ୱିକେଟ୍ ହରାଇଥିଲେ । ପରେରା ମଧ୍ୟ ୭୮ ରନ କରି ଆଉଟ୍ ହୋଇଥିଲେ । ଏହାପରେ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । କେବଳ ଅସଲଙ୍କା (୨୫)ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରିନଥିଲେ । ଫଳରେ ବଡ଼ ସ୍କୋର ଲକ୍ଷ୍ୟରେ ଆରମ୍ଭ କରିଥିବା ଦଳ ମାତ୍ର ୨୦୯ ରନରେ ଅଲଆଉଟ ହୋଇଯାଇଥିଲା । ତେବେ ପାଖାପାଖି ୩୦୦ ରନ ହୋଇଥିଲେ ଏହା ବିପକ୍ଷ ଦଳ ପାଇଁ ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ ହୋଇଥାନ୍ତା । ହେଲେ ମିଳିଥିବା ଭଲ ଆରମ୍ଭକୁ ଜାରି ରଖିବାରେ ଶ୍ରୀଲଙ୍କା ବିଫଳ ହୋଇଥିବା ଦଳର ଓପନର ପଥୁମ ନିଶଙ୍କା କହିଛନ୍ତି ।
ନିଶଙ୍କା କହିଛନ୍ତି, "ଏଭଳି ଦମଦାର ଆରମ୍ଭ ପରେ ମଧ୍ୟ ଏହାକୁ ଜାରି ରଖିନପାରିବାକୁ ନେଇ ଆମେ ଦୁଃଖିତ । ଏଭଳି ପିଚ୍ରେ ଆମେ ପାଖାପାଖି ୩୦୦ ରନ ଲକ୍ଷ୍ୟରେ ରହିବା ଉଚିତ୍ ଥିଲା । ହେଲେ ଆମେ ଆମ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ କେବଳ ୨୦୯ ରନରେ ଅଟକିଯାଇଥିଲୁ, ଯାହା ଆମ ପରାଜୟର ମୂଳ କାରଣ ।" ଅଷ୍ଟ୍ରେଲିଆ ବିପକ୍ଷରେ ନଜ ପ୍ରଦର୍ଶନକୁ ନେଇ ସେ କହିଛନ୍ତି, "ମୁଁ ଭାବୁଛି ଦଳକୁ ମୋର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଇଛି । ଆଗକୁ ଖେଳାଯିବାକୁ ଥିବା ମ୍ୟାଚ୍ରେ ମଧ୍ୟ ମୁଁ ଏଭଳି ପ୍ରଦର୍ଶନ ଜାରି ରଖିବି ବୋଲି ଆଶା କରିଛି ।" ତେବେ ସେମିଫାଇନାଲ୍ ରେସ୍ରେ ଜୀବିତ ରହିବାକୁ ହେଲେ ଦଳକୁ ବାକିଥିବା ଏହାର ସମସ୍ତ ମ୍ୟାଚ୍ ଜିତିବାକୁ ପଡ଼ିବ । ପୂର୍ବ ମ୍ୟାଚ୍ ଗୁଡ଼ିକରେ ହୋଇଥିବା ତ୍ରୁଟିକୁ ସୁଧାରି ଦଳ ଭଲ ପ୍ରଦର୍ଶନ କରିବ ଓ ବାକିଥିବା ମ୍ୟାଚ୍ ଗୁଡ଼ିକ ଜିତିବ ବୋଲି ନିଶଙ୍କା ଆଶା କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ