ହାଇଦ୍ରାବାଦ: କ୍ରିକେଟ୍ ବିଶ୍ବକପ୍ ୨୦୨୩ରେ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରୁ ବିଜୟର ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ପାକିସ୍ତାନ । ନେଦରଲାଣ୍ଡ୍ସ ବିପକ୍ଷରେ ପାକିସ୍ତାନର ଅଧିକାଂଶ ବ୍ୟାଟରଙ୍କ ବ୍ୟାଟ୍ ଆଜି ଚାଲିନଥିଲା । ତଥାପି ବେସ୍ ଡିଲାଏଡ୍ଙ୍କ ଘାତକ ବୋଲିଂ ଆଗରେ ଏକ ବଡ଼ ସ୍କୋର ଲକ୍ଷ୍ୟରେ ରହିଥିବା ପାକିସ୍ତାନ ୨୮୬ ରନ୍ରେ ଅଲ୍ ଆଉଟ୍ ହୋଇଥିଲା । ତେବେ ପାକିସ୍ତାନ ଭଳି ଏକ ବୋଲିଂ ପ୍ରମୁଖ ଦଳ ବିପକ୍ଷରେ ୨୮୭ ରନ୍ର ପିଛା କରିପାରିନି ନେଦରଲାଣ୍ଡ୍ସ । କଡ଼ା ସଙ୍ଘର୍ଷ କରି ୨୦୫ ରନ୍ରେ ସମସ୍ତ ୱିକେଟ ହରାଇଛି ଦଳ । ଫଳରେ ୮୧ ରନରେ ବିଜୟ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି ପାକିସ୍ତାନ ।
ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟସ୍ ଜିତି ପ୍ରଥମେ ପାକିସ୍ତାନକୁ ବ୍ୟାଟିଂ ନିମନ୍ତ୍ରଣ କରିଥିଲେ ନେଦରଲାଣ୍ଡ୍ସ ଅଧିନାୟକ ସ୍କଟ୍ ଏଡ୍ୱାର୍ଡ୍ସ । ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ପାକିସ୍ତାନର ଆରମ୍ଭ ଏତେ ଭଲ ହୋଇନଥିଲା । ଉଭୟ ଓପନର ଫଖର ଜମାନ ଓ ଇମାମ୍ ଉଲ୍ ହକ୍ କେବଳ ୧୨ ଓ ୧୫ ରନ କରି ପାଭିଲିୟନ ଫେରିଯାଇଥିଲେ । ଏହାପରେ ଦଳ ସବୁଠାରୁ ଅଧିକ ନିର୍ଭର କରୁଥିବା ଅଧିନାୟକ ବାବର ଆଜମ କେବଳ ୫ ରନ କରି ପାଭିଲିୟନ ଫେରିଥିଲେ । ହେଲେ ଏହାପରେ ମହମ୍ମଦ ରିଜ୍ୱାନ ଓ ସାଉଦ ଶକିଲ ଦଳର ପରିସ୍ଥିତିକୁ ବୁଝି ବ୍ୟାଟିଂ କରିଥିଲେ । ଉଭୟ ନେଦରଲାଣ୍ଡ୍ସ ବୋଲରଙ୍କୁ ଭଲଭାବେ ଖେଳିବାରେ ସକ୍ଷମ ହୋଇଥିଲେ ଏବଂ ଉଭୟ ୬୮ ରନ ଲେଖାଏଁ କରି ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ । ଏମାନଙ୍କ ବ୍ୟତୀତ ମହମ୍ମଦ ନୱାଜ ଓ ଶଦାବ ଖାନ ଯଥାକ୍ରମେ ୩୯ ଓ ୩୨ ରନ କରିଥିଲେ । ଅନ୍ୟ କୌଣସି ବ୍ୟାଟର ଆଶାନୁରୂପ ପ୍ରଦର୍ଶନ କରିପାରିନଥିଲେ । ଫଳରେ ଏକ ବଡ଼ ସ୍କୋର ଲକ୍ଷ୍ୟରେ ରହିଥିବା ପାକିସ୍ତାନ ୨୮୬ ରନ୍ରେ ଅଲ୍ଆଉଟ୍ ହୋଇଥିଲା ।
ଅନ୍ୟପଟେ ନେଦରଲାଣ୍ଡ୍ସ ପକ୍ଷରୁ ଅଭିଜ୍ଞ ବୋଲର ବେସ୍ ଡିଲାଏଡଙ୍କ ଘାତକ ବୋଲିଂ ଦେଖିବାକୁ ମିଳିଥିଲା । ଏକାକୀ ୪ଟି ବହୁମୂଲ୍ୟ ୱିକେଟ୍ ନେବାରେ ସଫଳ ହୋଇଥିଲେ ସେ । ତାଙ୍କ ବ୍ୟତୀତ ଆର୍ଯ୍ୟାନ ଦୂତ୍ତ, ଲୋଗାନ ଭାନ୍ବିକ୍, କଲିନ୍ ଅକର୍ମାନ୍ ଓ ପୌଲ୍ ଭାନ୍ ମେକେରନ୍ ଗୋଟିଏ ଲେଖାଏଁ ସଫଳତା ହାସଲ କରିଥିଲେ ।
ଏହା ମଧ୍ୟ ପଢ଼ନ୍ତୁ...Cricket World Cup 2023: ବେସ୍ ଡିଲାଏଡଙ୍କ ଘାତକ ବୋଲିଂ, ପାକିସ୍ତାନ ୨୮୬ରେ ଅଲ୍ ଆଉଟ୍
ଏହାପରେ ୨୮୭ ରନର ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିଲା ନେଦରଲାଣ୍ଡ୍ସ । ଓପନର୍ ମାକ୍ସ ଓଡୱଡ୍ କେବଳ ୫ ରନ କରି ଶାହୀନ ଆଫ୍ରିଦିଙ୍କ ବଲରେ ଆଉଟ୍ ହୋଇଥିଲେ । ତୃତୀୟରେ ବ୍ୟାଟିଂ ପାଇଁ ଆସିଥିବା କଲିନ୍ ଅକର୍ମାନ୍ ୧୭ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟପଟେ କିନ୍ତୁ ଭାରତୀୟ ବଂଶୋଦ୍ଭବ ବିକ୍ରମଜିତ୍ ସିଂହ ଦଳର ପରିସ୍ଥିତିକୁ ସମ୍ଭାଳି ବ୍ୟାଟିଂ କରିଥିଲେ । ଆଜି ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରିଥିବା ବେସ୍ ଡିଲାଏଡ ବ୍ୟାଟିଂରେ ମଧ୍ୟ ବେଶ ଲୟରେ ନଜର ଆସିଥିଲେ । ସେ ୬୮ ବଲରୁ ୬୭ ରନ କରି ଆଉଟ୍ ହୋଇଥିଲେ । ଅନ୍ୟପଟେ ବିକ୍ରମଜିତ୍ ୫୨ ରନ କରି ପାଭିଲିୟନ ଫେରିଥିଲେ । ଅନ୍ୟ କୌଣସି ବ୍ୟାଟର ଆଶାନୁରୂପ ପ୍ରଦର୍ଶନ କରିବା ପୂର୍ବରୁ ପାକିସ୍ତାନୀ ଘାତକ ବୋଲିଂ ଆଟାକ୍ର ସମ୍ମୁଖୀନ ହୋଇ ନିଜ ୱିକେଟ୍ ଫିଙ୍ଗିଥିଲେ । ଶେଷ ୱିକେଟ୍ ପାଇଁ କଡ଼ା ସଙ୍ଘର୍ଷ କରି ଲୋଗାନ ଭାନ୍ ବିକ୍ ୨୮ ରନର ସଙ୍ଘର୍ଷପୂର୍ଣ୍ଣ ପାଳି ଖେଳି ଅପରାଜିତ ରହିଛନ୍ତି ।
ପାକିସ୍ତାନ ପକ୍ଷରୁ ଷ୍ଟାର ଦୃତ ବୋଲର ହାରିଶ ରୌଫ ୪୩ ରନ ବ୍ୟୟରେ ସର୍ବାଧିକ ୩ଟି ୱିକେଟ ହାସଲ କରିଥିବାବେଳେ ୩୩ ରନ ବ୍ୟୟ କରିଥିବା ହାସନ ଅଲ୍ଲୀ ୨ଟି ୱିକେଟ୍ ନେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଶାହୀନ ଆଫ୍ରିଦି, ଇଫ୍ତିଖାର ଅହମ୍ମଦ, ମହମ୍ମଦ ନୱାଜ ଓ ଶଦାବ ଖାନ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ