ଧର୍ମଶାଳା: ଆଇସିସି କ୍ରିକେଟ୍ ବିଶ୍ବକପ୍ ୨୦୨୩ରେ ଆଜି (ରବିବାର) ଖେଳାଯାଉଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ୍ କୁହୁଡ଼ି ଯୋଗୁଁ ଅଧାରୁ ଅଟକି ରହିଥିଲା । ଭାରତ ବ୍ୟାଟିଂ କରୁଥିବାବେଳେ ଇନିଂସର ୧୬ ତମ ଓଭରରେ ହଠାତ କୁହୁଡ଼ି ଆସି ମ୍ୟାଚ୍ରେ ବାଧକ ସାଜିଥିଲା । ହିମାଚଳ ପ୍ରଦେଶର ଧର୍ମଶାଳାରେ ଖେଳାଯାଉଥିବା ବିଶ୍ବକପ୍ର ୨୧ ତମ ମ୍ୟାଚ୍ କୁହୁଡ଼ି ଯୋଗୁଁ ଅଧାରୁ କିଛି ସମୟ ପାଇଁ ଅଟକି ରହିଥିଲା । ତେବେ କୁହୁଡ଼ି କମିବାରୁ ପୁଣିଥରେ ଖେଳ ଆରମ୍ଭ ହୋଇଛି ।
- " class="align-text-top noRightClick twitterSection" data="">
ସନ୍ଧ୍ୟା ୭.୩୪ ସମୟରେ କୁହୁଡ଼ି ଯୋଗୁଁ ମ୍ୟାଚ୍ ସ୍ଥଗିତ ହୋଇଥିଲା । ଏହି ସମୟରେ ଭାରତ ୧୫.୪ ଓଭର୍ରେ ୨ ୱିକେଟ ହରାଇ ୧୦୦ ରନ୍ କରିଥିଲା । ବିରାଟ କୋହଲି ୧୪ ବଲରେ ୭ ଓ ଶ୍ରେୟସ ଆୟର ୯ ବଲରେ ୨୧ ରନ କରି ବ୍ୟାଟିଂ କରୁଥିଲେ । ଏହି ସମୟରେ ହଠାତ କୁହୁଡ଼ି ମାଡ଼ି ଆସିଥିଲା । ଫଳରେ ୭.୪୦ ମିନିଟ୍ ସମୟରେ ଅମ୍ପାୟାର ବାଧ୍ୟ ହୋଇ ମ୍ୟାଚ୍କୁ ଅଧାରେ ଅଟକାଇଥିଲେ । କିନ୍ତୁ କିଛି ମିନିଟର ବ୍ୟବଧାନ ପରେ ମ୍ୟାଚ୍ ପୁଣି ଆରମ୍ଭ ହୋଇଥିଲା । ଏହି ସମୟରେ ହିମାଚଳ ପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (HPCA) ମିଡିଆ ମ୍ୟାନେଜର ମୋହିତ ସୁଦ୍ କହିଥିଲେ, "ଏହି ସମୟରେ ତାପମାତ୍ରା ୧୫ ଡିଗ୍ରୀକୁ ଖସି ଆସିଥିଲା । ଏହା ପାଣିପାଗ ସମ୍ବନ୍ଧୀୟ ଏବଂ ଏହା ହ୍ରାସ ହେବା ଉଚିତ ।" ତେବେ କିଛି ସମୟ ପରେ କୁହୁଡ଼ି କମ ହୋଇଥିଲା ଏବଂ ମ୍ୟାଚ୍ ପୁଣିଥରେ ଆରମ୍ଭ ହୋଇଥିଲା ।
ଉଲ୍ଲେଖଯୋଗ୍ୟ, ବିଶ୍ବକପ୍ ୨୦୨୩ରେ ଆଜି ହିମାଚଳ ପ୍ରଦେଶର ଧର୍ମଶାଳାରେ ବିଗ୍ ଫାଇଟ୍ରେ ମୁହାଁମୁହିଁ ହୋଇଛନ୍ତି ଭାରତ ଓ ନ୍ୟୁଜିଲାଣ୍ଡ । ଉଭୟ ଦଳ କ୍ରମାଗତ ଭାବେ ଚଳିତ ବିଶ୍ବକପରେ ୪ଟି ଲେଖାଏଁ ମ୍ୟାଚ୍ ଖେଳି ବିଜୟଧାରା ଜାରି ରଖିଛନ୍ତି । ଆଜି କାହାର ବିଜୟ ଧାରା ଭାଙ୍ଗୁଛି ଓ କିଏ ଜାରି ରଖୁଛି ତାହା ଉପରେ ସାରା ବିଶ୍ବର ନଜର ରହିଛି । ଏହାରି ଭିତରେ ପ୍ରଥମେ ବ୍ୟାଟିଂ କରି ଖରାପ ଆରମ୍ଭ ସତ୍ତ୍ବେ ୨୭୩ ରନ ସ୍କୋର କରିଛି କିୱି ଦଳ । ଡେରାଇଲ୍ ମିଚେଲ୍ (୧୩୦)ଙ୍କ ଧୈର୍ଯ୍ୟପୂର୍ଣ୍ଣ ପାଳି ବଳରେ ଏହି ବଡ଼ ସ୍କୋର କରିଥିଲା ନ୍ୟୁଜିଲାଣ୍ଡ । ତେବେ ଭାରତ ଏହାର ବିଜୟଧାରା ଜାରି ରଖିବାକୁ ୨୭୪ ରନର ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରୁଛି ଭାରତ । ଭାରତ ପକ୍ଷରୁ ଚଳିତ ବିଶ୍ବକପ୍ର ପ୍ରଥମ ମ୍ୟାଚ୍ ଖେଳୁଥିବା ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ଆଜି ୫ ୱିକେଟ୍ ସଫଳତା ହାସଲ କରିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ