ହାଇଦ୍ରାବାଦ: ଶେଷ ହେବାକୁ ଯାଉଛି ଭୟର ବର୍ଷ 2020 । ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସମଗ୍ର ବିଶ୍ବକୁ କବଳିତ କରି ଅନେକ ଜୀବନ ନେଇଥିବା ନିଷ୍ଠୁର କୋରୋନା ଭାଇରସର କଷ୍ଟ ପରେ ମଧ୍ୟ କ୍ରୀଡାଜଗତ ଅନେକ ପସନ୍ଦର କିମ୍ବଦନ୍ତୀ କ୍ରୀଡାବିତଙ୍କୁ ଏହି ବର୍ଷ ହରାଇଛି ।
କିମ୍ବଦନ୍ତୀ ଡିଏଗୋ ମାରାଡୋନାଙ୍କ ଠାରୁ ପୂର୍ବତନ ଭାରତୀୟ ଫୁଟବଲ ଟିମର କ୍ୟାପଟେନ ପିକେ ବାନାର୍ଜୀଙ୍କ ପର୍ଯ୍ୟନ୍ତ, ଡିନ ଜୋନ୍ସଙ୍କ ଠାରୁ କୋବେ ବ୍ରେୟାଣ୍ଟଙ୍କ ପର୍ଯ୍ୟନ୍ତ...ବିଦାୟୀ ବର୍ଷରେ ଏହି କ୍ଷତି ଭରଣା କରିବା ବୋଧହୁଏ ବେଶ କଷ୍ଟକର । 2021ରେ ପାଦ ଦେବା ପୂର୍ବରୁ ନଜର ପକାନ୍ତୁ ସେହି କ୍ରୀଡାଆଇକନଙ୍କ ଉପରେ ଯାହାଙ୍କୁ ହରାଇଛି ବିଶ୍ବ କ୍ରୀଡାଜଗତ ।
ଡିଏଗୋ ମାରାଡୋନା(ଅକ୍ଟୋବର 1960-ନଭେମ୍ବର 2020)
ଫୁଟବଲର ଅନ୍ୟତମ ସର୍ବକାଳୀନ ମହାନ ଖେଳାଳି, ଆର୍ଜେଣ୍ଟିନା ଷ୍ଟାର ବୁଏନସ ଏୟାରସ ସହର ନିକଟସ୍ଥ ଲାନସରେ 30 ଅକ୍ଟୋବର 1960ରେ ଜନ୍ମ ହୋଇଥିଲେ । ମାତ୍ର 12ବର୍ଷ ବୟସରେ ସେ ପଡୋଶୀ ବନ୍ଧୁଙ୍କ ସହ ନିଜ ଅଞ୍ଚଳର ଗଳିରେ ଫୁଟବଲ ଖେଳିବା ଆରମ୍ଭ କରନ୍ତି । ପରେ ଲସ ସେବୋଲିଟାସ ଟିମର କନିଷ୍ଠ ଛାତ୍ରଛାତ୍ରୀ ଟିମର ସଦସ୍ୟ ହୋଇଥିଲେ ।
ବିଶ୍ବ ବିଜୟୀ ଫୁଟବଲ ଖେଳାଳି ବୋକା ଜନୁୟର୍ସ, ବାର୍ସେଲୋନା, ନାପୋଲି, ସେଭିଲା ଓ ନିୱେଲ'ସ ଓଲ୍ଡ ବୟଜ ଟିମ ପକ୍ଷରୁ ପ୍ରତିନିଧିତ୍ବ କରିଛନ୍ତି । ଆର୍ଜେଣ୍ଟିନାକୁ ବର୍ଷ 1986 ବିଶ୍ବକପ ଟାଇଟେଲ ବିଜୟୀ କରାଇବାରେ ପ୍ରମୁଖ ନିଭାଇଥିଲେ ଡିଏଗୋ ।
ଆର୍ଜେଣ୍ଟିନା ଟିମ ସହ, ମେକ୍ସିକୋ 86ରେ ସେ ମଧ୍ୟ ବିଶ୍ବକପ ଜିତିଥିଲେ । ଯେଉଁମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଏକାକୀ ସେ ଲଢେଇ କରି ସଫଳ ହୋଇଥିଲେ । ତାଙ୍କର ଦୁଇଟି ଅବିଶ୍ବସନୀୟ ଗୋଲ୍ ପାଇଁ, ଗୋଟିଏକୁ 'ଦ ହ୍ୟାଣ୍ଡ ଅଫ ଗଡ୍' କୁହାଯାଉଥିଲା । ଏକ ଚମତ୍କାର ପ୍ରଦର୍ଶନକୁ ପ୍ରତିଯୋଗୀତା ଇତିହାସରେ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ ।
ତେବେ ମାରାଡୋନା ନିୟମିତ ଦୁର୍ବଳ ଅନୁଭବ କରିବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ବ୍ରେନରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡିଥିଲା । ପରେ ଡାକ୍ତରୀ ଟିମ ସଫଳତାର ସହ ତାଙ୍କର ଅସ୍ତ୍ରୋପଚାର କରିଥିଲେ । ମାତ୍ର ଗତ ନଭେମ୍ବର 25ରେ ହୃଦଘାତରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ।
କୋବେ ବ୍ରେୟଣ୍ଟ(ଅଗଷ୍ଟ 1978 - ଜାନୁଆରୀ 2020)
ଆମେରିକାର ବାକ୍ସେଟବଲ କିମ୍ବଦନ୍ତୀ କୋବେ ବ୍ରେୟଣ୍ଟ ହେଲିକପ୍ଟରରେ ଦୁର୍ଘଟଣାଗସ୍ତ ହେବାପରେ 13 ବର୍ଷର ଝିଅ ଜିଆନାଙ୍କ ସହ ପ୍ରାଣ ହରାଇଥିଲେ । 41 ବର୍ଷୀୟ ବ୍ରେୟଣ୍ଟ 20 ବର୍ଷର ଦୀର୍ଘ ବାସ୍କେଟବଲ କ୍ୟାରିୟରରେ ଲସ ଆଞ୍ଜେଲସ ପକ୍ଷରୁ ଖେଳି 5ଟି ନ୍ୟାସନାଲ ବାସ୍କେଟବଲ ଆସୋସିଏସନ(NBA) ଚମ୍ପିଆନସିପ ବିଜେତା ଥିଲେ ।
ବ୍ରେୟଣ୍ଟ, ଏନବିଏର ସର୍ବାଧିକ ଲୋକପ୍ରିୟ ଖେଳାଳି ଥିଲେ । ରେକର୍ଡ 4 ଥର NBA ଅଲଷ୍ଟାର ଗେମ MVP ଆୱାର୍ଡ ଜିତିଛନ୍ତି ବ୍ରେୟଣ୍ଟ । ବର୍ଷ 2000, 2001 ଓ 2002ରେ ସେ ଲାକରସକୁ ଏନବିଏ ଟାଇଟେଲ ବିଜୟୀ କରାଇଥିଲେ । ପରେ ପାଉ ଗାସୋଲଙ୍କ ସହ ମିଶି 2009 ଓ 2010ରେ ମଧ୍ୟ ଟାଇଟେଲ ବିଜୟୀ କରାଇଥିଲେ ।
ସଂଯୁକ୍ତ ରାଷ୍ଟ୍ର ଆମେରିକା ପାଇଁ ପ୍ରଭାବୀ ପ୍ରଦର୍ଶନ ସହ ଦୁଇଥର ଅଲମ୍ପିକ ସ୍ବର୍ଣ୍ଣ ବିଜେତା ରହିଥିବା ବ୍ରେୟଣ୍ଟ ବର୍ଷ 2016ରେ ଅବସର ନେଇଥିଲେ । ତେବେ ଏହାପୂର୍ବରୁ ଶେଷ ଏନବିଏ ମ୍ୟାଚରେ 60 ପଏଣ୍ଟ ସ୍କୋର କରିଥିଲେ । ଡିସେମ୍ବର 2017ରେ ଲାକରସ ତାଙ୍କର 8 ନଂ ଓ ଜର୍ସି ନଂ 24କୁ ବ୍ରେୟଣ୍ଟଙ୍କ ସମ୍ମାନ ଉଦ୍ଦେଶ୍ୟରେ ରିଟାୟର୍ଡ କରିଛି ।
ପିକେ ବାନାର୍ଜୀ(ଜୁନ 1936 - ମାର୍ଚ୍ଚ 2020)
ପୂର୍ବତନ ଭାରତୀୟ କ୍ୟାପଟେନ ପିକେ ବାନାର୍ଜୀ 83 ବର୍ଷ ବୟସରେ ଗତ ମାର୍ଚ୍ଚ ମାସରେ ଦୀର୍ଘଦିନର ଅସୁସ୍ଥତା ପରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । କିମ୍ବଦନ୍ତୀ ଭାରତୀୟ ଫୁଟବଲ ଖେଳାଳି 1962 ଏସିଆନ ଗେମ୍ସ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଟିମର ପ୍ରମୁଖ ସଦସ୍ୟ ରହିଥିଲେ । ଜାକର୍ତ୍ତାରେ ଖେଳାଯାଇଥିବା ଏହି ସଂସ୍କରଣର ଏସିଆନ ଗେମ୍ସରେ ଦକ୍ଷିଣ କୋରିଆକୁ 2-1ରେ ହରାଇ ଭାରତୀୟ ଟିମ ଇତିହାସ ରଚିଥିଲା ।
ବାନାର୍ଜୀଙ୍କୁ ବର୍ଷ 1961ରେ ସମ୍ମାନଜନକ ଅର୍ଜୁନ ଆୱାର୍ଡ ପ୍ରଦାନ କରାଯାଇଛି । 1956 ମେଲବର୍ଣ୍ଣ ଅଲମ୍ପିକ୍ସରେ ଭାରତର ନେତୃତ୍ବ ନେଇଥିଲେ ପିକେ ବାନାର୍ଜୀ । କ୍ବାର୍ଟର ଫାଇନାଲ ମ୍ୟାଚରେ 4-2 ଗୋଲ୍ ରେ ବିଜୟ ସହ 4ର୍ଥ ସ୍ଥାନରେ ରହିଥିବା ଭାରତୀୟ ଟିମର ବିଜୟୀ ସଦସ୍ୟ ଥିଲେ ବାନାର୍ଜୀ ।
ପରେ ବର୍ଷ 1990ରେ FIFA ଫେୟାରପ୍ଲେ ଆୱାର୍ଡ ଓ FIFA କେଣ୍ଟେନିଆଲ ଅର୍ଡର ଅଫ ମେରିଟ 2004 ହୋଇଥିଲେ ।
ବଲବୀର ସିଂହ ସିନିୟର(ଡିସେମ୍ବର 1923 - ମଇ 2020)
3ଥରର ଅଲମ୍ପିକ ମେଡାଲ ବିଜେତା କିମ୍ବଦନ୍ତୀ ହକି ଖେଳାଳି ବଲବୀର ସିଂହ ସିନିୟର ଦୀର୍ଘ ଦିନ ଧରି ଅସୁସ୍ଥ ପରେ ମଇ 25ରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ 96 ବର୍ଷ ହୋଇଥିଲା ।
ମହାନ ସେଣ୍ଟର ଫରୱାର୍ଡ ଖେଳାଳି ଭାରତର ଅନ୍ୟତମ ଶ୍ରେଷ୍ଠ ଲୋକପ୍ରିୟ ଆଥଲେଟ ଥିଲେ । ମଡର୍ଣ୍ଣ ଅଲମ୍ପିକ ଇତିହାସରେ ଅନ୍ତର୍ଜାତୀୟ ଅଲମ୍ପିକ କମିଟି ପକ୍ଷରୁ ବିଶ୍ବରୁ ଚୟନ ହୋଇଥିବା 16ଜଣ କିମ୍ବଦନ୍ତୀଙ୍କ ମଧ୍ୟରେ ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଥିଲେ ବଲବୀର ସିଂହ । 1948 ଲଣ୍ଡନ ଅଲମ୍ପିକ୍ସ, 1952 ହେଲସିଙ୍କି ଅଲମ୍ପିକ୍ସ ଓ 1956 ମେଲବର୍ଣ୍ଣ ଅଲମ୍ପିକ୍ସରେ 3ଟି ସ୍ବର୍ଣ୍ଣ ପଦତ ଜିତିଥିଲେ ବଲବୀର ସିଂହ । 1952 ହେଲସିଙ୍କି ଅଲମ୍ପିକ ଗେମ୍ସରେ ନେଦରଲାଣ୍ଡ ବିପକ୍ଷରେ ଭାରତ 6-1ରେ ବିଜୟୀ ହୋଇଥିଲେ । ଏହି ମ୍ୟାଚରେ ଏକାକୀ 5ଟି ଗୋଲ୍ କରି ଚର୍ଚ୍ଚାରେ ରହିଥିଲେ ବଲବୀର । ବର୍ଷ 1957ରେ ଭାରତୀୟ ହକିରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ଆୱାର୍ଡରେ ସମ୍ମାନିତ କରାଯାଇଥିଲା ।
ଡିନ ଜୋନ୍ସ(ମାର୍ଚ୍ଚ 1961 - ସେପ୍ଟେମ୍ବର 2020)
ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ଡିନ ଜୋନ୍ସ, ଭାରତୀୟ ପ୍ରିମିୟର ଲିଗ(IPL)ର 13ତମ ସଂସ୍କରଣ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ମୃତ୍ୟୁବରଣ କରିଥିଲେ । ଗତ ସେପ୍ଟେମ୍ବର 24ରେ 59 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଜୋନ୍ସଙ୍କ ହଠାତ୍ ଦେହାନ୍ତ ଖବରରେ କ୍ରିକେଟ ଜଗତ ସ୍ତବ୍ଦ ହୋଇଯାଇଥିଲା ।
ଟେଷ୍ଟ କ୍ରିକେଟରେ 46.55 ଆଭରେଜ ସହ ଆକ୍ରମଣାତ୍ମକ ଅଷ୍ଟ୍ରେଲିଆ ଖେଳାଳି ଡିନ ଜୋନ୍ସ 3631 ରନ ସଂଗ୍ରହ କରିଥିଲେ । ଦିନିକିଆରେ 7ଟି ଶତକ ଓ 46 ଅର୍ଦ୍ଧଶତକ ସହ 44.61 ଆଭରେଜ ସହ 6068 ରନ ନିଜ ନାମରେ କରିଛନ୍ତି । ଏଥିସହ ସର୍ବକାଳୀନ ବ୍ୟାଟିଂ ରାକିଂରେ ନଂ5 ସ୍ଥାନରେ ଅପରିବର୍ତ୍ତିତ ରହିଛି । 1986 ଚେନ୍ନାଇ ଟେଷ୍ଟରେ 210 ରନର ଇଂନିସ ତାଙ୍କର ସ୍ମରଣୀୟ ଟେଷ୍ଟ ଇଂନିସ । ଆଡିଲେଡରେ ୱେଷ୍ଟଇଣ୍ଡିଜ ବିପକ୍ଷରେ 216 ରନର ଇଂନିସ ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଇଂନିସ । ବର୍ଷ 1994ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ଜୋନ୍ସ ।
ମାଇକେଲ କିଣ୍ଡୋ(1947 - ଡିସେମ୍ବର 2020)
କିମ୍ବଦନ୍ତୀ ହକି ତାରକା ତଥା ଅଲମ୍ପିକ ଖେଳାଳି ମାଇକେଲ କିଣ୍ଡୋଙ୍କ ପରଲୋକ । ଅସୁସ୍ଥ କାରଣରୁ ରାଉରକେଲାର IGH ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ 76 ବର୍ଷ ବୟସରେ କିଣ୍ଡୋ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।
ପ୍ରଥମ ଆଦିବାସୀ ଭାବେ ସେ ଭାରତୀୟ ଟିମରେ ଖେଳିବାର ସୁଯୋଗ ପାଇଥିଲେ । ଏଥିସହ ଅଲମ୍ପିକ ଗେମ୍ସରେ ବ୍ରୋଞ୍ଜ ମେଡାଲ ଓ ବିଶ୍ବକପରେ 3ଟି ବର୍ଗର ମେଡାଲ ବିଜେତା ରହିଥିଲେ । 1975 ହକି ବିଶ୍ବକପ ବିଜୟୀଦଳର ସଦସ୍ୟ ଥିଲେ କିଣ୍ଡୋ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ