ଶାରଜା: ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଆଜି ଖେଳାଯିବ । ହରମନପ୍ରିତ କୌରଙ୍କ ସୁପରନୋଭାସ ଓ ସ୍ମୃତି ମାନ୍ଧାନାଙ୍କ ଟ୍ରେଲବ୍ଳେଜର୍ସ ମଧ୍ୟରେ ହେବ ଟ୍ରଫି ଟକ୍କର । କ୍ରମାଗତ 3ୟ ଥର ଏହି ଟୁର୍ଣ୍ଣାମେଣ୍ଟର ଟ୍ରଫି ନିଜ ନାମରେ କରିବା ଲକ୍ଷ୍ୟରେ ରହିଛି ସୁପରନୋଭାସ । ମ୍ୟାଚ ଭାରତୀୟ ସମୟ ସନ୍ଧ୍ୟା 7.30ରେ ଖେଳାଯିବ ।
ତେବେ ଫାଇନାଲ ମୁକାବିଲା ପୂର୍ବରୁ ସୁପରନୋଭାସର ପଲ୍ଲା ଭାରୀ ଥିବା କୁହାଯାଉଛି । କାରଣ ଶନିବାର ଖେଳାଯାଇଥିବା ରାଉଣ୍ଡ ରବିନ ମ୍ୟାଚରେ ମାନ୍ଧାନାଙ୍କ ଟିମକୁ ମାତ ଦେଇଥିଲା ସୁପରନୋଭାସ ।
2018 ଓ 2018 ସଂସ୍କରଣର ମହିଳା ଟି-20 ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ରହିଛି ସୁପରନୋଭାସ ।

ଡେଫେଣ୍ଡିଂ ଚମ୍ପିଆନ ଟିମର ଓପନର ଚମାରି ଆଟାପଟ୍ଟୁ 111 ରନ ସହ ଦମଦାର ଫର୍ମରେ ରହିଛନ୍ତି । ସୁପରନୋଭାସ ପକ୍ଷରୁ ସିଂହଳ ଭେଟେରାନ ଆଟାପଟ୍ଟୁ ସର୍ବାଧିକ ରନ ସଂଗ୍ରହକାରୀ ଖେଳାଳି ରହିଛନ୍ତି । ଟ୍ରେଲବ୍ଳେଜର୍ସ ବିପକ୍ଷ ଗତ ମ୍ୟାଚରେ ସେ 48 ବଲରୁ 67 ରନର ଆକ୍ରମଣାତ୍ମକ ଇଂନିସ ଖେଳିଥିଲେ ।
ଅନ୍ୟପଟେ କ୍ୟାପଟେନ ହରମନପ୍ରିତ କୌର ଗତବର୍ଷ ଫାଇନାଲ ମୁକାବିଲା ସମେତ ଦୁଇଟି ଅର୍ଦ୍ଧଶତକୀୟ ଇଂନିସ ଖେଳିଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ଗତ ଦୁଇଟି ମ୍ୟାଚରେ 31 ରନରେ ଆଉଟ ହୋଇଥିଲେ । ତେବେ ଫାଇନାଲ ମୁକାବିଲାରେ ବିସ୍ଫୋରକ ହରମନପ୍ରିତ ଘାତକ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଟ୍ରେଲବ୍ଳେଜର୍ସରେ ଇଂଲଣ୍ଡର ସୋଫି ଏକଲେଷ୍ଟୋନ ଓ ଭେଟେରାନ ଝୁଲଣ ଗୋସ୍ବାମୀ ରହିଛନ୍ତି । ଫଳରେ ଏହି ଦୁଇ ଖେଳାଲିଙ୍କ ଉପରେ ବୋଲିଂ ବିଭାଗ ନିର୍ଭର କରିବ । ଅନ୍ୟପଟେ ସ୍ମୃତି ମାନ୍ଧାନା ଦୁଇଟି ମ୍ୟାଚରେ ମାତ୍ର 39 ରନ କରିବାକୁ ସମର୍ଥ ହୋଇଛନ୍ତି । ଫଳରେ ଫାଇନାଲ ମୁକାବିଲାରେ ଓପନର ମାନ୍ଧାନାଙ୍କ ଠାରୁ ଟିମ ଭଲ ବିଜୟୀ ଇଂନିସ ଆଶା ରଖିଛି ।
ସୁପରନୋଭାସ: ହରମନପ୍ରିତ କୌର(କ୍ୟାପଟେନ), ଜେମିମା ରୋଡ୍ରିଗ୍ୟୁସ(ଭାଇସ କ୍ୟାପଟେନ), ଚମାରି ଆଟାପଟ୍ଟୁ, ପ୍ରିୟା ପୁନିଆ, ଅନୁଜା ପାଟିଲ, ରାଧା ଯାଦବ, ତାନିଆ ଭାଟିଆ(ୱିକେଟ କିପର), ଶଶିକଳା ଶିରିୱାର୍ଦନେ, ପୁନମ ଯାଦବ, ଶକିରା ସଲମନ, ଅରୁନ୍ଧତି ରେଡ୍ଡି, ପୂଜା ବସ୍ତ୍ରକର, ଆୟୁଷୀ ସୋନି, ଆୟାବୋଙ୍ଗା ଖାକା ଓ ମୁସକାନ ମଲିକ ।
ଟ୍ରେଲବ୍ଳେଜର୍ସ: ସ୍ମୃତି ମାନ୍ଧାନା(କ୍ୟାପଟେନ), ଦିପ୍ତୀ ଶର୍ମା(ଭାଇସ କ୍ୟାପଟେନ), ପୁନମ ରାଉତ, ରିଚା ଘୋଷ, ଡି. ହେମଲତା, ନୁଜାତ ପରୱିନ(ୱିକେଟ କିପର), ରାଜେଶ୍ବରୀ ଗାଏକ୍ବାଡ, ହର୍ଲିନ ଦେଓଲ, ଝୁଲଣ ଗୋସ୍ବାମୀ, ସିମ୍ରନ ଦିଲ ବାହାଦୂର, ସଲମା ଖାତୁନ, ସୋଫି ଏଲକେଷ୍ଟୋନ, ନାଥକନ ଚାନ୍ଥମ, ଦିନ୍ଦ୍ରା ଦତିନ, ଓ କଶବି ଗୌତମ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ