ହାଇଦ୍ରାବାଦ: ଭାରତୀୟ ବୋଲିଂ ଟ୍ରାକର ମ୍ୟାଚ ଉଇନିଂ କମ୍ବିନେସନ 'କୁଲ-ଚା', କୁଳଦୀପ ଯାଦବ ଓ ଯୁଜୁବେନ୍ଦ୍ର ଚହଳଙ୍କ ଯୋଡି । ଚଳିତ ବର୍ଷ ଇଂଲଣ୍ଡ ବିଶ୍ବକପ ଟୁର୍ଣ୍ଣାମେଣ୍ଟରେ 20 ଓଭର ବୋଲିଂରେ ମାତ୍ର ଗୋଟିଏ ୱିକେଟ ଆୟ ଓ 160ରନ ବ୍ୟୟ ପରେ କାଇଁ କେଉଁଠି ଭାରତୀୟ ଚୁଡାନ୍ତ ଏକାଦଶରୁ ଗାଏବ ହୋଇ ଯାଇଛନ୍ତି ଏହି ରିଷ୍ଟି ସ୍ପିନିଂ ଯୋଡି।
ବିଶ୍ବକପର ହିରୋ ସାଜିଥିବା ରବୀନ୍ଦ୍ର ଜାଡେଜାଙ୍କ ଟି-20 କ୍ରିକେଟର ପ୍ରଦର୍ଶନ ପାଇଁ ବୋଧ ହୁଏ 'କୁଲ-ଚା' ଟିକେ ଫିକା ପଡିଯାଇଛି। ସେହିପରି କ୍ୟାପ୍ଟେନ କୁଲଙ୍କ ୱିକେଟ ପଛରୁ କଲିଂ ମଧ୍ୟ ଏହାର ଅନ୍ୟତମ କାରଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଗୋଟେ ସମୟରେ ଧୋନିଙ୍କ ଇଙ୍ଗିତରେ ଚକମା ଦେଉଥିବା ଚାଇନାମ୍ୟାନ କୁଳଦୀପ ଓ ଫଙ୍କି ବୟ ଚହଳ ବୋଧହୁଏ ଗ୍ରାଉଣ୍ଡରେ ଆଉ ପଥ ପ୍ରଦର୍ଶକ ପାଉନାହାଁନ୍ତି।
2017 ଚେପକ ଗ୍ରାଉଣ୍ଡର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରୁ ଆରମ୍ଭ ହୋଇଥିଲା ଏହି ମ୍ୟାଚ ଉଇନିଂ କମ୍ବିନେସନ 'କୁଲ-ଚା' । ଦୁଇ ବର୍ଷ ବର୍ଷ ଭିତରେ ଭାରତୀୟ ଏକାଦଶରେ ନିଜର ଦବଦବା ବଜାୟ ରଖିଥିବା 'କୁଲ-ଚା' 34ଟି ମ୍ୟାଚ ଖେଳି 118ଟି ୱିକେଟ ହାତେଇଛନ୍ତି। କୁଳଦୀପ ପ୍ରଥମ ଭାରତୀୟ ସ୍ପିନର ତଥା ଓ 2ୟ ଭାରତୀୟ ବୋଲର ଭାବେ କ୍ରିକେଟର ସମସ୍ତ ଫର୍ମାଟରେ 5 ୱିକେଟ ହଲ ନେବାର ରେକର୍ଡ ହାସଲ କରିଛନ୍ତି। ସେହିପରି ହ୍ୟାଟ୍ରିକ ସହ ଚହଳଙ୍କ ନାମରେ ରହିଛି ପ୍ରଥମ ଟି-20 6 ୱିକେଟ ହଲ ରେକର୍ଡ।
ଯଦିଓ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ଇଣ୍ଡିଜ ବିପକ୍ଷ ଘରୋଇ ଦିନିକିଆ ସିରିଜରେ ଏହି ଯୋଡିର ନାମ ରହିଛି। ମାତ୍ର ଚୁଡାନ୍ତ ଏକାଦଶରେ ଏହି ଯୋଡି ସ୍ଥାନ ପାଉଛନ୍ତି କି ନାହିଁ ଦେଖିବାକୁ ବାକି ରହିଲା । ଅନ୍ୟପଟେ ଆଗାମୀ ଟି-20 ବିଶ୍ବକପ ପାଇଁ ବୋର୍ଡ ମ୍ୟାନେଜମେଣ୍ଟ ଏହି ଯୋଡିକୁ ପଡିଆରେ ଓହ୍ଲାଇବାକୁ କେତେ ଉଦ୍ୟମ କରୁଛନ୍ତି ତାହା ବି ଏକ ପ୍ରଶ୍ନବାଚୀ।