ନୂଆଦିଲ୍ଲୀ: ବିଶ୍ବକପ ପରେ ଭାରତୀୟ ଦଳର ଅଧିନାୟକ ଓ ଉପଅଧିନାୟକଙ୍କ ସମ୍ପର୍କକୁ ନେଇ ଲାଗି ରହିଥିବା ଚର୍ଚ୍ଚାରେ ମୁହଁ ଖୋଲିଛନ୍ତି ଲିଟିଲ ମାଷ୍ଟର ସୁନୀଲ ଗାଭାସ୍କର । ସେ କହିଛନ୍ତି, କ୍ରିକେଟ ସମାଲୋଚଙ୍କ ମୁହଁରେ କେବେ ଶେଷ ହେବ ନାହିଁ ବିରାଟ୍-ରୋହିତଙ୍କ ବିବାଦ ।
ପ୍ରକାଶ କି, ବିଶ୍ବକପ ସେମିଫାଇନାଲରେ ଭାରତୀୟ ଦଳ ପରାସ୍ତ ହେବା ପରେ ରୋହିତ ଲଣ୍ଡନରୁ ଏକାକି ଫେରି ଆସିଥିଲେ । ସେହିପରି ବିରାଟ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ମଧ୍ୟ ଇଷ୍ଟାଗ୍ରାମରେ ଅନଫଲୋ କରିଥିଲେ । ଆଉ ଏହା ପରେ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା ଯେ, ଦୁହିଁଙ୍କ ମଧ୍ୟରେ ଫାଟ ରହିଛି ।
ଯଦିଓ ଇଣ୍ଡିଜ୍ ଗସ୍ତ ପୂର୍ବରୁ ଏହି କଣ୍ଟ୍ରୋଭର୍ଷିକୁ ବିରାଟ ଖଣ୍ଡନ କରିଛନ୍ତି । ତଥାପି ଏହା ଜାରି ରହିଛି । ତେବେ ଏହା ଉପରେ ଗାଭାସ୍କର ନିଜ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, ‘ଯଦି କୋହଲି ଓ ରୋହିତ୍ ଛାତ ଉପରେ ଛିଡ଼ା ହୋଇ ଚିତ୍କାର କରି କହନ୍ତି, ଆମ ଭିତରେ କିଛି ଫାଟ ନାହିଁ । ତଥାପି ଲୋକେ ଏହାକୁ ବିଶ୍ବାସ କରିବେ ନାହିଁ । ଆଉ ଏହି କାହାଣୀ ଜାରି ରହିବ ।’
ତେବେ ଗାଭାସ୍କର ସ୍ପୋର୍ଟ୍ସଷ୍ଟାର ଦୈନିକ ଇଂରାଜୀ ଗଣମାଧ୍ୟମ ସ୍ତମ୍ଭରେ ଲେଖିଛନ୍ତି, ‘ଯଦି ଆଜି ରୋହିତଙ୍କ ଏପରି ଫର୍ମ ସତ୍ତ୍ବେ ସେ ଶୀଘ୍ର ଆଉଟ୍ ହୋଇଯାଆନ୍ତି । ତଥାପି କିଛି ଲୋକ କହିବେ ସେ ଜାଣିଶୁଣି ଆଉଟ୍ ହୋଇଛନ୍ତି । ଯେଉଁମାନେ ବି ଏଭଳି କଥା ଭାଇରାଲ କରୁଛନ୍ତି, ସେ ଭାରତୀୟ କ୍ରିକେଟର ଶୁଭ ଚିନ୍ତକ ଆଦୌ ହୋଇନଥିବେ ।’
ଗାଭାସ୍କର ଆହୁରି ଲେଖିଛନ୍ତି, ‘କିଛି ସମୟରେ ଟିମର କୌଣସି ଖେଳାଳି ଏଭଳି ମିଥ୍ୟା ଖବରକୁ ଖୋରାକ ଦିଅନ୍ତି । ତାଙ୍କର ଏହି ଈର୍ଷା ଭାବନା ଦ୍ୱାରା ପୂରା ଟିମକୁ କ୍ଷତି ହୋଇଥାଏ । ତା’ ପରେ କିଛି ପ୍ରଶାସକ ଏଭଳି ଖବରକୁ ରାଜନୀତି ମଧ୍ୟ କରନ୍ତି । ଗଣମାଧ୍ୟମ ପାଇଁ ଏଭଳି ଖବର ସ୍ବର୍ଗ ଭଳି ହୋଇଥାଏ । ଯେତେବେଳେ କ୍ରିକେଟ୍ ଖେଳ ଜାରି ରହିଥାଏ, ସେତେବେଳେ ଏଭଳି ଖବର ଶାନ୍ତ ପଡ଼ିଥାଏ ଏବଂ ବାକି ଦିନ ପୁଣିଥରେ ଏଭଳି ଖବର ଆସିବା ଆରମ୍ଭ ହୋଇଥାଏ ।’