ଅଲର: ବିଜୟ ହଜାରେ ଟ୍ରଫିରେ ପ୍ରଥମ ମ୍ୟାଚରେ ପରାସ୍ତ ହୋଇଛି ଟିମ ଓଡିଶା । ବର୍ଷା ବାଧାପ୍ରାପ୍ତ ମ୍ୟାଚକୁ 34 ରନରେ (ଭିଜେଡି ନିୟମ) ଜିତିନେଇଛି କେରଳ । KSCA କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ କେରଳ କ୍ୟାପଟେନ ସଚିନ ବେବି । ଓଦା ପଡିଆ ଯୋଗୁଁ ମ୍ୟାଚ 45 ଓଭରକୁ କମାଇ ଦିଆଯାଇଥିଲା ।
ବ୍ୟାଟିଂ ଆମନ୍ତ୍ରଣ ପାଇଁ ନିର୍ଦ୍ଧାରିତ 45 ଓଭରରେ 8 ୱିକେଟ ହରାଇ 258 ରନ ସଂଗ୍ରହ କରିଥିଲା ଓଡିଶା । ଓପନର ଗୋବିନ୍ଦ ଚୌଧୁରୀଙ୍କ 57 ଓ ସନ୍ଦୀପ ପଟ୍ଟନାୟକଙ୍କ 66 ରନର ଅର୍ଦ୍ଧଶତକୀୟ ଇଂନିସ ବଳରେ ଓଡିଶା 258 ରନର ସମ୍ମାନଜନକ ସ୍କୋର କରିପାରିଥିଲା । କାର୍ତ୍ତିକ ବିଶ୍ବାଳ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିବା ସହ 40 ବଲରୁ ଦ୍ରୁତ 45 ରନର ଉପଯୋଗୀ ଇଂନିସ ଖେଳିଥିଲେ ।
ପରେ 259 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଓଡିଶା ।
ଅଭିଜ୍ଞ କେରଳ ବ୍ୟାଟ୍ସମ୍ୟାନ ରବିନ ଉଥାପ୍ପା ଧୂଆଁଧାର ଶତକ ହାସଲ କରି ଦଳକୁ ବିଜୟ ନିକଟତର କରାଇଥିଲେ । କ୍ୟାପଟେନ ସଚିନ ବେବି ମଧ୍ୟ 40 ରନର ଇଂନିସ ଖେଳିଥିଲେ। ତେବେ କେରଳର ସ୍କୋର 233 ଥିବାବେଳେ ପୁଣି ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ପରେ ମ୍ୟାଚ ସମ୍ଭବ ନହେବାରୁ ଭିଜେଡି ନିୟମ ଅନୁଯାୟୀ, କେରଳ 34 ରନରେ ବିଜେତା ହୋଇଛି । ଫଳରେ ଏହି ବିଜୟରୁ କେରଳ 4 ପଏଣ୍ଟ ହାସଲ କରିଥିବାବେଳେ, ଓଡିଶା ପଏଣ୍ଟ ଶୂନ୍ୟ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ