ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଟିମର ପିଛା ଛାଡୁନି ଆହତ ଓ ଅସୁସ୍ଥତା ସମସ୍ୟା । କ୍ୟାପଟେନ ୱିଲିୟମସନ ଓ କାମଚଳା କ୍ୟାପଟେନ ଟମ ଲାଥମଙ୍କ ସମେତ ଦଳର ପ୍ରାୟ 7 ଜଣ ପ୍ରମୁଖ ଖେଳାଳି ଏହି କାରଣରୁ ବାଦ ପଡିସାରିଛନ୍ତି । ଏହା ଏକ ସମସ୍ୟା ଭାବେ ଦଳର ମୁଣ୍ଡବିନ୍ଧାର କାରଣ ହୋଇଛି ।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଟମ ଲାଥମ ଆହତ ହୋଇଛନ୍ତି । ଲାଥମ ଏକ କ୍ୟାଚ ଧରିବା ସମୟରେ ଡାହାଣ ହାତର ଏକ ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡିଛି । ଲାଥମ ୱିଲିୟମସନଙ୍କ ଅନୁପସ୍ଥିତିରେ ନ୍ୟୁଜିଲାଣ୍ଡ ଟେଷ୍ଟ ଟିମର କାମଚଳା ଅଧିନାୟକ ଦାୟିତ୍ବରେ ରହିଥିଲେ । ତେବେ ଆହତ ସତ୍ତ୍ବେ ପରେ ବ୍ୟାଟିଂ କରିଥିଲେ । ମାତ୍ର 15 ବଲ ଖେଳି ଏକ ରନ କରି ଆଉଟ ହୋଇଥିଲେ । ନ୍ୟୁଜିଲାଣ୍ଡ 3-0ରେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ପରାଜୟ ବରଣ କରିଛି ।
ଆହତ ପରେ ଲାଥମ ଭାରତ ବିପକ୍ଷ ଟି-20 ସିରିଜରୁ ବାଦ ପଡିବା ନେଇ ଆଶଙ୍କା ଦେଖାଦେଇଛି । ପ୍ରାୟ 4 ସପ୍ତାହ ପାଇଁ ଲାଥମ ଦଳରୁ ବାହାରେ ରହିବା ନେଇ ଜଣାପଡିଛି । ଫେବୃୟାରୀରେ ଖେଳାଯିବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜରେ ଏହି ଷ୍ଟାର ଓପନର ବ୍ୟାଟ୍ସମ୍ୟାନଙ୍କ ଖେଳିବା ନେଇ ମଧ୍ୟ ଅନିଶ୍ଚିନ୍ତତା ଦେଖାଦେଇଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଜାନୁୟାରୀ 24ରୁ 5 ମ୍ୟାଚ ବିଶିଷ୍ଟ ଟି20 ସିରିଜ ଖେଳାଯିବ । ପରେ ଫେବୃୟାରୀ 21ରୁ ଟେଷ୍ଟ ସିରିଜ ଆରମ୍ଭ ହେବ ।
ଜାଣନ୍ତୁ ଆହତ ଓ ଅସୁସ୍ଥତା କାରଣରୁ ଦଳରୁ ବାଦ ପଡିଥିବା ନ୍ୟୁଜିଲାଣ୍ଡ ଖେଳାଳି: ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ ହେନରୀ, ଲୁକି ଫରଗୁସନ, କେନ ୱିଲିୟମସନ, ନିକୋଲସ, ମିଚେଲ ସାଣ୍ଟନର, ଟମ ଲାଥମ ।