ନୂଆଦିଲ୍ଲୀ: ମାର୍ଚ୍ଚ 18, 2012; ଭାରତୀୟ କ୍ରିକେଟରେ ଘଟିଥିଲା ଦୁଇଟି ଘଟଣା । ଯାହା ସବୁବେଳ ପାଇଁ କ୍ରିକେଟ ପ୍ରେମୀଙ୍କ ମନରେ ରହିଯାଇଛି । ତେବେ ଗୋଟିଏ ଥିଲା ଖୁସି ଖବର । ମାତ୍ର ଅନ୍ୟଟି, ଯାହା କୌଣସି କ୍ରିକେଟ ପ୍ରେମୀଙ୍କୁ ହଜମ ହୋଇନଥିଲା । ଆଜିର ଦିନରେ ଦିନିକିଆ କ୍ରିକେଟରୁ ଅବସର ନେଇଥିଲେ କ୍ରିକେଟ ଭଗବାନ ବୋଲାଉଥିବା ଭାରତୀୟ କ୍ରିକେଟ କିମ୍ବଦନ୍ତୀ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ଆଉ ସେପଟେ ଭାରତୀୟ କ୍ରିକେଟକୁ ସମ୍ଭବତଃ ମିଳିଥିଲା 2ୟ ସଚିନ ।
2012 ଏସିଆ କପରେ ମାଷ୍ଟର ବ୍ଲାଷ୍ଟର ପାକିସ୍ତାନ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ ଖେଳିଥିଲେ । ଯାହା ଥିଲା ମିରପୁରର ଶେର୍ ବଙ୍ଗାଲ ଷ୍ଟାଡିୟମରେ । ଶେଷ ଦିନିକିଆରେ ତେନ୍ଦୁଲକର 52 ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ । ଆଉ ଅନ୍ୟପଟେ ବିରାଟ କୋହଲି ଯୋଡିଥିଲେ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ଦିନିକିଆ ସ୍କୋର 183 ରନ୍ । ତେବେ 2012 ଏସିଆ କପରେ ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ନିଜର 100 ତମ ଶତକ ଯୋଡିଥିଲେ । ସେ ବାଂଲାଦେଶ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ ।
ସେ ମୋଟ 34,357 ରନ୍ ସଂଗ୍ରହ କରିଛନ୍ତି । ଯାହା ଦ୍ୱିତୀୟ ସ୍ଥାନରେ ଥିବା ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର କୁମାର ସାଙ୍ଗାକାରାଙ୍କ ଠାରୁ 6,000 ରନ୍ ଅଧିକ | ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବରେ ବିବେଚିତ ହୋଇଥିବା ତେନ୍ଦୁଲକର ଅନ୍ତର୍ଜାତୀୟ କ୍ରିକେଟରେ ସର୍ବକାଳୀନ ସର୍ବାଧିକ ରନ୍ ସ୍କୋରର ହେବାର ରେକର୍ଡ ରଖିଛନ୍ତି । ଦିନିକିଆ କ୍ରିକେଟରେ 18,426 ରନ୍ ଏବଂ ଟେଷ୍ଟ ମ୍ୟାଚରେ 15,921 ରନ୍ ସଂଗ୍ରହ କରିଛନ୍ତି । ମାଷ୍ଟର ବ୍ଲାଷ୍ଟର ଦିନିକିଆରେ 51 ଶତକ ଟେଷ୍ଟ କ୍ରିକେଟରେ 49ଟି ଶତକ ହାସଲ କରିଛନ୍ତି । ନଭେମ୍ବର 16, 2013 ରେ ତେନ୍ଦୁଲକର ଶେଷ ଟେଷ୍ଟ କ୍ରିକେଟ୍ ଖେଳିଥିଲେ । 200 ତମ ଟେଷ୍ଟ ମ୍ୟାଚ୍ ପରେ ସେ ନିଜ କ୍ୟାରିୟରରେ ଅବସର ନେଇଥିଲେ ।