ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ୍ରେ ଶେଷ ନିଶ୍ବସ ତ୍ୟାଗ କରିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଜେଟଲୀ ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ଉପ-ସଭାପତି ଓ ଦିଲ୍ଲୀ କ୍ରିକେଟ ଆସୋସିଏସନ(ଡିଡିସିଏ)ର ସଭାପତି ମଧ୍ୟ ରହିସାରିଛନ୍ତି । ତାଙ୍କ ବିୟୋଗରେ କ୍ରୀଡାଜଗତ ସମ୍ପୂର୍ଣ୍ଣ ସ୍ଥବ୍ଧ ହୋଇଯାଇଛି । ତେବେ କ୍ୟାପଟେନ କୋହଲିଙ୍କ ଠାରୁ ଆରମ୍ଭ କରି କ୍ରୀଡାଗଜତର କିଛି ମାନ୍ୟଗଣ୍ୟ ବ୍ୟକ୍ତି ଟ୍ବିଟ ଯୋଗେ ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ତେବେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଟ୍ବିଟ କରି ଲେଖିଛନ୍ତି, ‘‘ମୁଁ ଆଶ୍ଚର୍ଯ୍ୟ ଓ ସ୍ଥବ୍ଧ ଜେଟଲୀଜୀଙ୍କ ଦେହାନ୍ତ ଖବରରେ । ସେ ଏମିତି ଜଣେ ବ୍ୟକ୍ତି ଥିଲେ ଯିଏ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ । 2006 ମସିହାରେ ମୋ ବାପାଙ୍କ ଦେହାନ୍ତ ସମୟରେ ସେ ଆମ ଘରକୁ ଆସି ମୋ ବାପାଙ୍କୁ ଅନ୍ତିମ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ଇଶ୍ବର ତାଙ୍କ ଆତ୍ମାର ସଦଗତି କରନ୍ତୁ ।’’
ସେହିପରି ରେସଲର ଗୀତା ଫୋଗାଟ କହିଛନ୍ତି, ‘‘ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଜୀଙ୍କ ଅକସ୍ମାତ ବିୟୋଗରେ ମୁଁ ମର୍ମାହତ । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ । ”
ସେହିପରି ସେହ୍ବାଗ ଟ୍ବିଟ କରି ଲେଖିଛନ୍ତି, ‘‘ତାଙ୍କ ନେତୃତ୍ବରେ ଡିଡିସିଏରୁ ମୁଁ ଏବଂ ବହୁ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ଗୋଟେ ସମୟରେ ଦିଲ୍ଲୀ ଖେଳାଳିଙ୍କୁ ଜାତୀୟ ଦଳରେ ସ୍ଥାନ ମିଳୁ ନଥିଲା । ମାତ୍ର ତାଙ୍କ ସମୟରେ ଏହା ବଦଳି ଯାଇଥିଲା । ସେ ସମସ୍ତ ଖେଳାଳିଙ୍କ ସମସ୍ୟା ବିଷୟରେ ବୁଝନ୍ତି ଓ ଏହାର ସମାଧାନ ମଧ୍ୟ କରନ୍ତି । ତାଙ୍କ ସହ ମୋର ଏକ ସୁନ୍ଦର ସ୍ମୃତି ରହିଛି । ତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା । ଆଶା କରେ ଇଶ୍ବର ତାଙ୍କ ଆତ୍ମାର ସଦଗତି କରନ୍ତୁ । "
ସେହିପରି ଭାରତୀୟ ଓପନର ଶିଖର ଧୱନ, ପୂର୍ବତନ କ୍ରିକେଟର ଆକାଶ ଚୋପ୍ରା, ବୀରେନ୍ଦ୍ର ସେହୱାଗ, ଭିଭିଏସ୍ ଲକ୍ଷ୍ମଣ, ସାଂସଦ ଗୌତମ ଗମ୍ଭୀର, ରେସଲର ତଥା ବିଜେପି ନେତା ବବିତା ଫୋଗାଟ, ଡିଡିସିଏ ଏବଂ ବିସିସିଆଇ ଟ୍ବିଟ କରି ଜେଟଲୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ ଇଟିଭି ଭାରତ