ହାଇଦ୍ରାବାଦ: ବିଜୟୀ ଟିମ ଇଣ୍ଡିଆର ଯୋଦ୍ଧା ଅଷ୍ଟ୍ରେଲିଆକୁ ତା'ର ନିଜ ମାଟିରେ 2-1ରେ ଧୂଳିଚଟାଇ ସ୍ବଦେଶ ଫେରିଛି । ଗୁରୁବାର ସକାଳେ ଖେଳାଳିମାନେ ନିଜ ସହରରେ ପାଦ ଥାପିଛନ୍ତି । କ୍ରମାଗତ କ୍ରିକେଟ ଖେଳିଆସୁଥିବା ଓ ଆହତ ଥିବା ଭାରତୀୟ ଖେଳାଳିଙ୍କୁ ଏବେ ବିଶ୍ରାମ ମିଳିବ । ତେବେ ଘରେ ପହଞ୍ଚିବା ପୂର୍ବରୁ କିଛି ଖେଳାଳିଙ୍କ ପାଇଁ ଏମିତି ହୋଇଛି, ଯାହା ବାଟରେ ହିଁ କରିବାକୁ ପଡିଛି । ହଁ କର୍ତ୍ତବ୍ୟ ହିଁ ହାତ ଠାରି ଡାକିଛି..
ଦୀର୍ଘ 63 ଦିନର ଲମ୍ବା ଅପେକ୍ଷା ପରେ ଶେଷରେ ନିଜ ସହରରେ ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ସିରାଜ । ସାମସାବାଦର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବା ପରେ ଦିଂବଗତ ପିତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ସିଧା କବରସ୍ଥଳରେ ପହଞ୍ଚିଛନ୍ତି କଙ୍ଗାରୁ ମାଟିରେ ଐତିହାସିକ ସିରିଜ ବିଜେତା ଟିମ ଇଣ୍ଡିଆର ହିରୋ ସିରାଜ ।
ସିରାଜଙ୍କ 53 ବର୍ଷୀୟ ପିତା ଜଣେ ଅଟୋ ଡ୍ରାଇଭର ଥିଲେ । ଗତ ନଭେମ୍ବର 20 ତାରିଖରେ ଫୁସଫୁସରେ ସଂକ୍ରମଣ ଯୋଗୁଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ । ଏହାର ଗୋଟିଏ ସପ୍ତାହ ପୂର୍ବରୁ ସିରାଜ ଭାରତୀୟ ଟିମ ସହ ଅଷ୍ଟ୍ରେଲିଆ ଗସ୍ତରେ ପହଞ୍ଚିଥିଲେ । ସିଡନୀର ବ୍ଳାକଟାଉନ ଓଭାଲରେ ଅଭ୍ୟାସ କରୁଥିବା ସମୟରେ ପିତାଙ୍କ ମୃତ୍ୟୁ ଖବର ମିଳିଥିଲା । ଅଭ୍ୟାସ ସେସନ ପରେ କୋଚ ରବି ଶାସ୍ତ୍ରୀ ଓ ବିରାଟ କୋହଲି, ସିରାଜଙ୍କୁ ପିତାଙ୍କ ଦେହାନ୍ତ କଥା ଜଣାଇଥିଲେ । ଏହି ଖବରରେ ଭାଙ୍ଗି ପଡିଥିଲେ ସିରାଜ । ମାତ୍ର କୋଭିଡ-19 କଟକଣା ଯୋଗୁଁ ପିତାଙ୍କ ଶେଷକୃତ୍ୟକୁ ନ ଆସିବାକୁ ନିଷ୍ପତ୍ତି ନେବା ସହ ଭାରତୀୟ ଟିମ ସହିତ ଅଷ୍ଟ୍ରେଲିଆରେ ରହିଥିଲେ ।
ସେତେବେଳେ ସିରାଜ କହିଥିଲେ, "ମୋ ବାପା ମୋ ପାଇଁ ଶକ୍ତିର ଉତ୍ସ ଥିଲେ । ଜୀବନର ସବୁଠୁ ବଡ ପ୍ରଶଂସକଙ୍କୁ ମୁଁ ହରାଇଦେଲି । ମୋ କ୍ରିକେଟ କ୍ୟାରିୟର ଗଢିବା ପାଇଁ ତାଙ୍କର ହିଁ ସବୁଠୁ ବଡ ଯୋଗଦାନ ଥିଲା । ଏହା ମୋ ପାଇଁ ସବୁଠୁ ବଡ ଓ ଅପୂରଣୀୟ କ୍ଷତି । ମା' ଅନେକ ବାର କହିଛି, ପାଠ ପଢା ଛାଡି କ୍ରିକେଟ ଖେଳିବାରେ ସମୟ ନଷ୍ଟ କରୁଛି, ମାତ୍ର ବାପା ଥରେ ବି ମନା କରିନାହାନ୍ତି ବରଂ ଅଧିକ ଉତ୍ସାହିତ କରିଛନ୍ତି ଖେଳିବାକୁ ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ