ମୁମ୍ବାଇ: ଭାରତୀୟ କ୍ରିକେଟର ରୋହିତ ଶର୍ମା କହିଛନ୍ତି ଯେ ସେ ଲମ୍ବା ସମୟ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣରେ ବିଶ୍ବାସ କରନ୍ତି ନାହିଁ କାରଣ ତାହା ତାଙ୍କ ଉପରେ ଅଧିକ ଚାପ ପକାଇଥାଏ । ଅପରପକ୍ଷେ, ସେ ସ୍ବଳ୍ପ ସମୟ ଲକ୍ଷ୍ୟ ଉପରେ ଧ୍ୟାନ ଦେବାକୁ ପସନ୍ଦ କରନ୍ତି । ଯେଉଁଥିରେ ଆସନ୍ତା ଦୁଇ-ତିନି ମାସ ମଧ୍ୟରେ ହେବାକୁ ଥିବା ମ୍ୟାଚ ପାଇଁ ଯୋଜନା ଓ ପ୍ରସ୍ତୁତି ଅନ୍ତର୍ଭୁକ୍ତ ରହିଥାଏ ।
ସମ୍ପ୍ରତି ବିଶ୍ବରେ କରୋନା ମହାମାରୀ ହେତୁ ଖେଳରୁ ବାଧ୍ୟତାମୂଳକ ବିରତି ମଧ୍ୟରେ ଭାରତୀୟ କ୍ରିକେଟରମାନେ ନିଜ ପରିବାର ସହିତ ସମୟ ଉପଭୋଗ କରୁଛନ୍ତି ।
“ସମୟକ୍ରମେ ମୁଁ ଅନୁଭବ କଲି ଯେ ଦୀର୍ଘ ସମୟ ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ ଆପଣଙ୍କୁ କୌଣସି ପ୍ରକାରେ ସାହାଯ୍ୟ କରିବ ନାହିଁ । ଏହା କେବଳ ଆପଣଙ୍କୁ ଅଧକ ଚାପଗ୍ରସ୍ତ କରିବ । ତେଣୁ ମୁଁ ସବୁବେଳେ ସ୍ବଳ୍ପ ସମୟ ପାଇଁ ନିର୍ଦ୍ଧାରିତ ନିଜର ଲକ୍ଷ୍ୟ ଉପରେ ଧ୍ୟାନ ଦେଇଆସିଛି, ମୁଖ୍ୟତଃ ଆଗାମୀ 2-3 ମାସରେ ହେବାକୁ ଥିବା କିଛି ମ୍ୟାଚ ଉପରେ, ଏହା କାହା ବିରୁଦ୍ଧରେ ଓ ମୁଁ କଣ ଭଲ କରିପାରିବି,’’ ବୋଲି ଏକ ଅନଲାଇନ ଚାଟ ସୋ ରେ କହିଛନ୍ତି ରୋହିତ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘‘ପ୍ରତ୍ୟେକ ସିରିଜ କିମ୍ବା ଟୁର୍ଣ୍ଣାମେଣ୍ଟ ପାଇଁ ଲକ୍ଷ୍ୟ ସ୍ଥିର କରିବା ମତେ ଅଧିକ ସାହାଯ୍ୟ କରିଥାଏ ଏବଂ ଭବିଷ୍ୟତରେ ମୁଁ ଏହାକୁ ଅନୁସରଣ କରିବି ।’’