ଜୟପୁର: ଫର୍ମକୁ ଫେରିଲେ ମୁମ୍ବାଇ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ । ଗୁରୁବାର 50 ଓଭର ଫର୍ମାଟରେ ଅଷ୍ଟମ ଭାରତୀୟ ଖେଳାଳି ଭାବେ ଦ୍ବିଶତକୀୟ ଇଂନିସ ଖେଳିଛନ୍ତି ଶ । ଚଳିତ ବିଜୟ ହଜାରେ ଟ୍ରଫିରେ ସାୱାଇ ମାନସିଂ ଷ୍ଟାଡିୟମରେ ଖେଳାଯାଇଥିବା ପୁଡୁଚେରୀ ବିପକ୍ଷ ମ୍ୟାଚରେ 142 ବଲରୁ 200 ଦ୍ବିଶତକ ହାସଲ କରିଛନ୍ତି । ଏହି ଇଂନିସରେ 27ଟି ଚୌକା ଓ 4ଟି ଛକା ସାମିଲ ରହିଛି ।
50 ଓଭର ଫର୍ମାଟରେ ଶ ଙ୍କ ମୁମ୍ବାଇ ଓପନିଂ ପାର୍ଟନର ଜଶସ୍ବୀ ଜୟଶ୍ବାଲ ଶେଷ ଭାରତୀୟ ଖେଳାଳି ଭାବେ ଦ୍ବିଶତକ ହାସଲ କରିଥିଲେ । ଜୟଶ୍ବାଲ 2019 ସଂସ୍କରଣର ବିଜୟ ହଜାରେ ଟ୍ରଫିରେ ଝାଡଖଣ୍ଡ ବିପକ୍ଷରେ 203 ରନର ମାରାଥନ ଇଂନିସ ଖେଳିଥିଲେ।
ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଖରାପ ପ୍ରଦର୍ଶନ ପରେ ଭାରତୀୟ ଟେଷ୍ଟ ଦଳରୁ ବାଦ ପଡିଥିଲେ ଶ । ଏବେ ବିଜୟ ହଜାରେ ଟ୍ରଫିରେ ଖେଳିଥିବା 3ଟି ଇଂନିସରୁ ଦୁଇଟି ଶତକ ହାସଲ କରିଛନ୍ତି । ଦିଲ୍ଲୀ ବିପକ୍ଷ ପୂର୍ବ ମ୍ୟାଚରେ ମଧ୍ୟ 105 ରନର ଇଂନିସ ଖେଳିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ