ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ପ୍ରଥମ ସ୍ବତନ୍ତ୍ର ଚେୟାରମ୍ୟାନ ଭାବେ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ବୁଧବାର ଶେଷ ହୋଇଛି । ପରବର୍ତ୍ତୀ ଚେୟାରମ୍ୟାନ ଚୟନ ପାଇଁ ଖୁବଶ୍ରୀଘ୍ର ନିର୍ବାଚନ ଅନୁଷ୍ଠିତ ହେବ । ତେବେ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଡେପୁଟି ଚେୟାରମ୍ୟାନ ଇମରାନ ଖାୱାଜା ଅନ୍ତରୀଣ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିବେ ।
"ଆଇସିସି ଚେୟାରମ୍ୟାନ ଶଶାଙ୍କ ମନୋହରଙ୍କ ଦୁଇବର୍ଷିଆ କାର୍ଯ୍ୟକାଳ ଶେଷ ହୋଇଛି । ପରବର୍ତ୍ତୀ ଚେୟାରମ୍ୟାନ ନିର୍ବାଚିତ ହେବା ପର୍ଯ୍ୟନ୍ତ ଡେପୁଟି ଚେୟାରମ୍ୟାନ ଇମ୍ରାନ ଖାୱାଜା ଦାୟିତ୍ବରେ ରହିବେ । ଏନେଇ ଆଇସିସି ବୋର୍ଡ ବୈଠକରେ ସହମତି ହୋଇଛି," ଏକ ମିଡିଆ ରିଲିଜରେ ଆଇସିସି ପକ୍ଷରୁ ଏହା ସୂଚନା ଦିଆଯାଇଛି ।
ଆଇସିସିର ନିୟମ ଅନୁଯାୟୀ ଅଧିକ ଦୁଇବର୍ଷ ଆଇସିସି ଚେୟାରମ୍ୟାନ ଭାବେ ରହିପାରିଥାନ୍ତେ ମନୋହର । ଆଇସିସିରେ ଜଣେ ଚେୟାରମ୍ୟାନ ଭାବେ 3ଥର ରହିପାରିବେ । ଆଇସିସି ବୋର୍ଡ ପକ୍ଷରୁ ପରବର୍ତ୍ତୀ ଚେୟାରମ୍ୟାନ ନିର୍ବାଚନ ପାଇଁ ଆସନ୍ତା ସପ୍ତାହରେ ଅନୁମତି ମିଳିବାର ସମ୍ଭାବନା ରହିଛି ।
"ଆଇସିସି ଚେୟାରମ୍ୟାନ ଭାବେ ନେତୃତ୍ବ ନେଇ, କ୍ରିକେଟର ଉନ୍ନତି ପାଇଁ କରିଥିବା ସମସ୍ତ କାର୍ଯ୍ୟ ଓ ଉପଯୋଗୀ ନିଷ୍ପତି ପାଇଁ, ଆଇସିସି ବୋର୍ଡ ତଥା ସମସ୍ତ କ୍ରିକେଟ ପରିବାର ପକ୍ଷରୁ ଶଶାଙ୍କ ମନୋହରଙ୍କୁ ଅନେକ ଧନ୍ୟବାଦ । ତାଙ୍କୁ ଓ ପରିବାରକୁ ଅନେକ ଶୁଭେଚ୍ଛା । ଭବିଷ୍ୟତ ପାଇଁ ମଧ୍ୟ ଶୁଭକାମନା ।" ଏହା କହିଛନ୍ତି ଆଇସିସିର ମୁଖ୍ୟ କାର୍ଯ୍ୟନିବାହୀ ମନୁ ସାୱେନି । ଏଥିସହିତ ଅନ୍ତରୀଣ ଚେୟାରମ୍ୟାନ ଖାୱାଜା ମଧ୍ୟ ବିଦାୟୀ ଚେୟାରମ୍ୟାନଙ୍କୁ ଧନ୍ୟବାଦ ଜଣାଇବା ସହ, ଆଇସିସିକୁ ଏକ ଶ୍ରେଷ୍ଠ ସ୍ଥାନରେ ପହଞ୍ଚାଇଛନ୍ତି ବୋଲି କହିଛନ୍ତି ।
2016ରେ ପ୍ରଥମ କରି ଆଇସିସିର ଚେୟାରମ୍ୟାନ ଦାୟିତ୍ବ ଗ୍ରହଣ କରିଥିଲେ ଶଶାଙ୍କ ମନୋହର । ଏହାର ପରେ ଦ୍ବିତୀୟ ଥର ପାଇଁ 2018ରେ, ମନୋହର ଅପ୍ରତିଦ୍ବନ୍ଦ୍ବୀ ଭାବେ ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ । 62 ବର୍ଷୀୟ କ୍ରିକେଟ ପ୍ରଶାସକ ପୂର୍ବରୁ 2008ରୁ 2011 ପର୍ଯ୍ୟନ୍ତ ବିସିସିଆଇର ସଭାପତି ମଧ୍ୟ ରହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ