ଲାହୋର: ଅଗଷ୍ଟ ଏବଂ ସେପ୍ଟେମ୍ବରରେ ତିନୋଟି ଟେଷ୍ଟ ଏବଂ ତିନୋଟି ଟି-୨୦ ଖେଳିବାକୁ ଇଂଲଣ୍ଡରେ ଥିବା ପାକିସ୍ତାନ କ୍ରିକେଟ ଦଳ ସେମାନଙ୍କ ପ୍ଲେଇଙ୍ଗ କିଟ ଉପରେ ଶାହିଦ ଆଫ୍ରିଦି ଫାଉଣ୍ଡେସନର ଲୋଗୋ ରଖିବେ ବୋଲି ସୂଚନା ରହିଛି। ନିକଟରେ ଏକ ପାନୀୟ କମ୍ପାନୀ ସହିତ ପ୍ରାୟୋଜକ ଚୁକ୍ତି ଶେଷ ହେବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରାୟୋଜକ ଖୋଜିବା ପାଇଁ ସଙ୍ଘର୍ଷ କରୁଥିବା ଜଣା ପଡିଛି ।
ଏନେଇ ଆଫ୍ରିଦି ଟ୍ବିଟ କରି କହିଛନ୍ତି, ‘‘ଆମେ ଖୁସି ଯେ ଶାହିଦ ଆଫ୍ରିଦି ଫାଉଣ୍ଡେସନ ଲୋଗୋ ପାକିସ୍ତାନ ପ୍ଲେଇଙ୍ଗ କିଟ୍ରେ ରହିବ, ଯେହେତୁ ଆମେ ପାକିସ୍ତାନ କ୍ରିକେଟ ବୋର୍ଡର ଚାରିଟେବୁଲ ପାର୍ଟନର ଅଟୁ । ୱାସିମଖାନ ଏବଂ ପିସିବିକୁ ତାଙ୍କର ନିରନ୍ତର ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛି ଏବଂ ଏହି ଯାତ୍ରା ପାଇଁ ଆମ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି #HopeNotOut।’’
ପାକିସ୍ତାନୀ ସାମ୍ବାଦିକ ସାଜ ସାଦିକ କହିଛନ୍ତି ଯେ, ଶାହିଦ ଆଫ୍ରିଦି ଫାଉଣ୍ଡେସନର ଲୋଗୋ ସହିତ ଇଂଲଣ୍ଡ ଗସ୍ତ ସମୟରେ ଖେଳାଳିଙ୍କ କିଟ ଉପରେ ଆଉ କିଛି ପ୍ରାଯୋଜକଙ୍କର ମଧ୍ୟ ଲୋଗୋ ରହିବ ।
ସାଦିକ ଟ୍ବିଟ କରି କହିଛନ୍ତି, ‘‘ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ ଖେଳାଳିଙ୍କ ପ୍ଲେଇଙ୍ଗ କିଟ ଉପରେ ଶାହିଦ ଆଫ୍ରିଦି ଫାଉଣ୍ଡେସନ ଲୋଗୋ ସହ ଆଉ କିଛି ପ୍ରାୟୋଜକଙ୍କ ଲୋଗୋ ମଧ୍ୟ ଦେଖିବାକୁ ମିଳିବ ।
କ୍ରିକେଟ ପାକିସ୍ତାନରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କେବଳ ଗୋଟିଏ କମ୍ପାନୀ ପ୍ରାୟୋଜକ ପାଇଁ ପିସିବି ଦ୍ବାରା ଆଗତ ହୋଇଥିବା ବିଡିଂ ପ୍ରକ୍ରିୟାରେ ଆଗ୍ରହ ଦେଖାଇଛି। ଏଥିରେ କୁହାଯାଇଛି ଯେ ପୂର୍ବ ଚୁକ୍ତି ତୁଳନାରେ କମ୍ପାନୀ ଏହି ଡିଲକୁ ମାତ୍ର 30 ପ୍ରତିଶତ ମୂଲ୍ୟ ଦେଇଛି।
ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ଉଦ୍ଘାଟନୀ ଟେଷ୍ଟ ଅଗଷ୍ଟ 5-9 ରୁ ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି, ଯାହା ପରେ ସାଉଥମ୍ପଟନ୍ର ଏଜେସ ବୋଲରେ ଅଗଷ୍ଟ 13ରୁ17 ଯାଏଁ ଦ୍ବିତୀୟ ଓ ଅଗଷ୍ଟ 21-25 ଯାଏଁ ତୃତୀୟ ଟେଷ୍ଟ ଖେଳାଯିବ ।
ଏହାପରେ ଉଭୟ ଟିମ ମଞ୍ଚେଷ୍ଟର ଯିବେ କାରଣ ଓଲ୍ଡ ଟ୍ରାଫର୍ଡରେ ଟି-20 ସିକରିଜ ଖେଳାଯିବାର ନିର୍ଦ୍ଧାରିତ ହୋଇଛି । ମ୍ୟାଚ ଗୁଡ଼ିକ ଅଗଷ୍ଟ 28, 30 ଏବଂ ସେପ୍ଟେମ୍ବର 1ରେ ଖେଳାଯିବ ।
@IANS