କୋଲକାତା : 17 ବର୍ଷିୟ ରିଆନ୍ ପରାଗ ଖେଳିଲେ ଧୋନୀଙ୍କ ହେଲିକପ୍ଟର ସଟ୍ । ବୟସ 17, ନାମ ରିଆନ୍ ପରାଗ । ନର୍ଥଇଷ୍ଟର ଏହି ଯୁବ କ୍ରିକେଟର ରାଜସ୍ଥାନ ରୟାଲ୍ସ ପକ୍ଷରୁ ଚଳିତ ଆଇପିଏଲ୍ରେ ଖେଳୁଛନ୍ତି । କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ରେ ରାଜସ୍ଥାନ ପକ୍ଷରୁ ହିରୋ ଥିଲେ ରିଆନ୍ । ରିଆନ୍ଙ୍କ 47 ରନ୍ର ଇନିଂସ ରାଜସ୍ଥାନକୁ ବିଜୟୀ କରାଇଥିଲା ।
ଧୋନୀଙ୍କ ହେଲିକପ୍ଟର ସଟ୍ ଖେଳିବା ନେଇ ସେ ଏବେ ବେଶ୍ ଚର୍ଚ୍ଚାରେ । ମ୍ୟାଚ୍ ପରେ ଆଇପିଏଲ୍ର ଅଫିସିଆଲ୍ ୱେବସାଇଟ୍ରେ ତାଙ୍କର ଏହି ସଟ୍ ଖେଳିବାର ଭିଡିଓ ସ୍ଥାନ ପାଇଥିଲା । ବରୁଣ ଆରୋନଙ୍କ ପଶ୍ନର ଉତ୍ତରରେ ରିଆନ୍ କହିଥିଲେ ଯେ, ଏହି ସଟ୍ ତାଙ୍କ ରାଜ୍ୟ ଆସାମ ପାଇଁ ଖେଳିବା ସମୟରେ ସେ ବହୁବାର ଖେଳିଛନ୍ତି । ଏମିତି ସଟ୍ ଖେଳିବା ପଛରେ କାହାରି ପ୍ରେରଣା ନାହିଁ । ଏହି ସଟ୍କୁ ଧୋନୀଙ୍କ ହେଲିକପ୍ଟର ସଟ୍ ସହ ତୁଳନାକୁ ସେ ଏକ ସଂଯୋଗ ମାତ୍ର କହିଛନ୍ତି ।
ମହେନ୍ଦ୍ର ସିଂହ ଧୋନୀ ଓ ରିଆନ୍ଙ୍କ ଭିତରେ ଆଉ ଏକ ସୁନ୍ଦର ସଂଯୋଗ ହେଉଛନ୍ତି ରିୟାନଙ୍କ ବାପା ପରାଗ ଦାସ୍ । ଧୋନୀ ତାଙ୍କ ରଣଜିଟ୍ରଫି କ୍ୟାରିୟରରେ ୱିକେଟକିପର ଜୀବନର ପ୍ରଥମ ଷ୍ଟମ୍ପିଂ ପରାଗ୍ଙ୍କୁ କରିଥିଲେ । ପରାଗ ଦାସ୍ ଆସାମ ତରଫରୁ ରଣଜି ମ୍ୟାଚ୍ ଖେଳୁଥିଲେ । 1199-2000ରେ ବିହାର ଆସାମ ମଧ୍ୟରେ ହୋଇଥିବା ଏହି ମ୍ୟାଚ୍ ଧୋନୀଙ୍କର ପ୍ରଥମ ମ୍ୟାଚ୍ ଥିଲା ।
ଅବୁ ନେଚିମ୍ଙ୍କ ପରେ ରିଆନ୍ ହେଉଛନ୍ତି ନର୍ଥଇଷ୍ଟ ରାଜ୍ୟରୁ ଆଇପିଏଲ୍ ଖେଳୁଥିବା ଦ୍ବିତୀୟ ଖେଳାଳୀ । ପୂର୍ବରୁ ଅବୁ ନେଚିମ୍ 17ଟି ଆଇପିଏଲ୍ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ଖେଳି ସାରିଛନ୍ତି ।