ନୂଆଦିଲ୍ଲୀ: ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସକୁ ଭଲ ପ୍ରଦର୍ଶନ କରିବାକୁ ହେଲେ ସୁରେଶ ରାଇନାଙ୍କୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ହେବ। ଏଭଳି ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥବ ପଟେଲ। ଚେନ୍ନାଇ ପାଇଁ ଗତବର୍ଷ ଆଇପିଏଲ ଖେଳି ପାରିନଥିଲେ ସୁରେଶ ରାଇନା। ପ୍ରଥମ ଥର ପାଇଁ ଆଇପିଏଲ ଇତିହାସରେ ଦଳ ଭଲ ପ୍ରଦର୍ଶନ କରି ପାରିନଥିଲା।
ଏହାକୁ ନେଇ ପୂର୍ବତନ ୱିକେଟ କିପର ବ୍ୟାଟସମ୍ୟାନ ପାର୍ଥିବ ପଟେଲ କହିଛନ୍ତି ଯେ, "ଗତବର୍ଷ ଆଇପିଏଲରେ ଚେନ୍ନାଇ ଯଥେଷ୍ଟ ପରିମାଣରେ ରନ କରିପାରୁନଥିଲା। ଟୁର୍ଣ୍ଣାମେଣ୍ଟ ଅଧାରେ ଋତୁରାଜ ଗାୟକୱାର୍ଡ କିଛି ବ୍ୟାଟିଂ କୌଶଳ ଦେଖାଇଥିଲେ। ତେବେ ତାହା ଦଳର ବିଜୟରେ ସହାୟକ ହୋଇ ପାରିନଥିଲା। ସୁରେଶ ରାଇନା ଦଳରେ ସାମିଲ ହେବାପରେ ଚଳିତ ବର୍ଷ ଦଳ ଦମଦାର ପ୍ରଦର୍ଶନ କରି ପାରିବ। ଏହି ଟିମ ପାଇଁ ସୁରେଶ ରାଇନାଙ୍କ ଉପସ୍ଥିତି ଗୁରୁତ୍ବପୂର୍ଣ୍ଣ।"
ପାର୍ଥିବ ପଟେଲଙ୍କ ମତରେ କୋରୋନା ଲକଡାଉନ ଯୋଗୁଁ ଗାୟକୱାର୍ଡଙ୍କୁ ମଧ୍ୟ ଲୟକୁ ଫେରିବାରୁ ସମୟ ଲାଗିଥିଲା। ବର୍ତ୍ତମାନ ସେ ମଧ୍ୟ ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରୁଛନ୍ତି। ତେଣୁ ଏହି ଆଇପିଏଲରେ ଚେନ୍ନାଇ ତାର ପୁରୁଣା ଲୟକୁ ଫେରି ପାରନ୍ତି।
ଗତ ସିଜିନର ପଏଣ୍ଟ ତାଲିକାରେ ସପ୍ତମ ସ୍ଥାନରେ ରହିଥିଲା ଚେନ୍ନାଇ ସୁପରକିଙ୍ଗସ। ଦଳ 14ଟି ମ୍ୟାଚରୁ କେବଳ 6ଟି ମ୍ୟାଚରେ ବିଜୟୀ ହୋଇ ପାରିଥିଲା। ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ପ୍ଲେ-ଅଫରେ ପହଞ୍ଚି ପାରିନଥିଲା ଦଳ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ