ନୂଆଦିଲ୍ଲୀ: ଆଇପିଏଲ ଟାଇଟେଲ କେବେ ଜିତିନଥିବା 3ଟି ଆଇପିଏଲ ଟିମ ମଧ୍ୟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଅନ୍ୟତମ । ଦିଲ୍ଲୀ ଓ ପଞ୍ଜାବ ଏହି ତାଲିକାରେ ରହିଥିବା ଅନ୍ୟ ଦୁଇ ଫ୍ରାଞ୍ଜାଇଜ । ବର୍ଷ 2013 ଠାରୁ ଭାରତୀୟ କ୍ୟାପଟେନ ବିରାଟ କୋହଲି ଆରସିବିର ନେନୃତ୍ବ ନେଇ ଆସୁଛନ୍ତି । ମାତ୍ର ପ୍ରଥମ ଆଇପିଏଲ ଟ୍ରଫି ବିଜୟ ସନ୍ଧାନରେ ଏବେବି ଫ୍ରାଞ୍ଚାଇଜ । ଫଳରେ ଅନ୍ୟ ଟିମର ବିଜୟ ଠାରୁ ଟୁର୍ଣ୍ଣାମେଣ୍ଟରେ କୋହଲିଙ୍କ ଆରସିବିର ବିଫଳତା ଚର୍ଚ୍ଚା ଅଧିକ ଥାଏ ।
ତେବେ ପ୍ରାୟ 4 ବର୍ଷ ପରେ ଗତ ସଂସ୍କରଣରେ ପ୍ଲେ-ଅଫ ପର୍ଯ୍ୟାୟରେ ପହଞ୍ଚିପାରିଥିଲା ବିରାଟ ବାହିନୀ । ମାତ୍ର କ୍ରମାଗତ ଭାବେ କିଛି ବର୍ଷ ଧରି ସ୍ଥିର ପ୍ରଦର୍ଶନ କରିବାକୁ ଟିମ ଫେଲ୍ ମାରିଥିବା, ପ୍ରଦର୍ଶନର ପରିସଂଖ୍ୟାନ ଏହା ସ୍ପଷ୍ଟ ହୁଏ । ମଧ୍ୟକ୍ରମ ବ୍ୟାଟିଂ ସର୍ବଦା ଅସ୍ଥିର ସହ ବିରାଟ କୋହଲି ଓ ଏବି ଡି ଭିଲିଅର୍ସଙ୍କ ଉପରେ ନିର୍ଭରଶୀଳ ରହିଛି । ଏହି ଦୁଇ ଖେଳାଳିଙ୍କ ମଧ୍ୟରୁ କେହି ଜଣେ ଫେଲ୍ ମାରିଲେ, ଏକ ବଡ ଟାର୍ଗେଟ କରିବାକୁ ବ୍ୟାଟ୍ସମ୍ୟାନଙ୍କ ଅଭାବ ଯୋଗୁଁ ଟିମ ସଂଘର୍ଷ କରେ ।
ତେବେ ଚଳିତ ସଂସ୍କରଣରେ ଫ୍ରାଞ୍ଚାଇଜ, ଏହି ସମସ୍ୟାର ସମାଧାନ ପାଇଁ ଅଷ୍ଟ୍ରେଲୀୟ ପାୱର ହିଟର ଗ୍ଳେନ ମାକ୍ସୱେଲ ଓ ସୟଦ ମୁସ୍ତାକ ଅଲୀ ଟି20ରେ 37 ବଲ୍ରୁ ଶତକ ହାସଲ କରିଥିବା ଯୁବ କେରଳ ବ୍ୟାଟ୍ସମ୍ୟାନ ମହମ୍ମଦ ଆଝାରୁଦ୍ଦିନଙ୍କୁ ସ୍କ୍ବାଡରେ ସାମିଲ କରିଛି ।
ମଧ୍ୟକ୍ରମରେ ବିସ୍ଫୋରକ ବ୍ୟାଟିଂ ପାଇଁ ମାକ୍ସୱେଲଙ୍କୁ ଟିମ ବ୍ୟବହାର କରିପାରେ ।
ନ୍ୟୁଜିଲାଣ୍ଡ ବୋଲିଂ ଅଲରାଉଣ୍ଡର କେଲ ଜେମିଏସନ ଓ ଅଷ୍ଟ୍ରେଲିଆ ଅଲରାଉଣ୍ଡର ଡାନିଏଲ କ୍ରୀଷ୍ଟିଆନଙ୍କୁ ମଧ୍ୟ ସ୍କ୍ବାଡରେ ସାମିଲ କରିଛି ଟିମ । ଫଳରେ ଉଭୟଙ୍କ ଉପରେ ମ୍ୟାଚ ଫିନିସ କରିବାର ଗୁରୁ ଦାୟିତ୍ବ ରହିବ ।
ବୋଲିଂ ବିଭାଗରେ ବିଦେଶୀ ବୋଲର ଭାବେ ଡାନିଏଲ ସାମସ, କ୍ରୀଷ୍ଟିଆନ ଓ କେନ ରିଚାର୍ଡସନ ମଧ୍ୟ ଉପଯୋଗୀ ସାବ୍ୟସ୍ତ ହୋଇପାରନ୍ତି । ଭାରତୀୟ ବୋଲର ମହମ୍ମଦ ସିରାଜ ଓ ନବଦୀପ ସାଇନି ମଧ୍ୟ ଘରୋି ପରିବେଶରେ ପ୍ରତିପକ୍ଷଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇପାରନ୍ତି ।
ଲେଗ ସ୍ପିନର ଆଡାମ ଜାମ୍ପା ଓ ୟୁଜଭେନ୍ଦ୍ର ଚହଲ, ଅଫସ୍ପିନର ୱାସିଂଟନ ସୁନ୍ଦରଙ୍କ ଉପରେ ସ୍ପିନ ବୋଲିଂ ନିର୍ଭର କରିବ ।
ପୂର୍ବରୁ କୋହଲି ଓପନିଂ କରିବେ ବୋଲି ସ୍ପଷ୍ଟ କରିଥିବାବେଳେ, ଆଇପିଏଲ 2020ରେ ସଫଳ ହୋଇଥିବା ଓପନର ଦେବଦତ୍ତ ପାଡିକ୍କଲ ରବିବାର କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ କ୍ବାରେଣ୍ଟିନରେ ରହିଛନ୍ତି । ଆଇପିଏଲର ଗତ ସଂସ୍କରଣରେ 15ଟି ମ୍ୟାଚରୁ 473 ରନ ସଂଗ୍ରହ କରିଥିବା ପାଡିକ୍କଲ ପ୍ରଥମ ମ୍ୟାଚ ଖେଳିବା ସମ୍ଭାବନା କ୍ଷୀଣ ।
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସ୍କ୍ବାଡ: ବିରାଟ କୋହଲି(କ୍ୟାପଟେନ), ଦେବଦତ୍ତ ପାଡିକ୍କଲ, ଫିନ ଆଲେନ(ୱିକେଟକିପର), ଏ ବି ଡି ଭିଲିଅର୍ସ(ୱିକେଟ କିପର), ପବନ ଦେଶପାଣ୍ଡେ, ୱାସିଂଟନ ସୁନ୍ଦର, ଡାନିଏଲ ସାମସ, ୟୁଜଭେନ୍ଦ୍ର ଚହଲ, ଆଡାମ ଜାମ୍ପା, ସାହବାଜ ଅହମଦ, ମହମ୍ମଦ ସିରାଜ, ନବଦୀପ ସାଇନି, କେନ ରିଚାର୍ଡସନ, ହର୍ସଲ ପଟେଲ, ଗ୍ଳେନ ମାକ୍ସୱେଲ, ସଚିନ ବେବି, ରଜତ ପଟିଦାର, ମହମ୍ମଦ ଆଝାରୁଦ୍ଦିନ, କେଲ ଜେମିଏସନ, ଡାନିଏଲ କ୍ରୀଷ୍ଟିଆନ, ସୁୟାସ ପ୍ରଭୁଦେଶାଇ, କେ.ଏସ ଭାରତ ।
ସପୋର୍ଟ ଷ୍ଟାଫ: ମାଇକ ହେସନ(କ୍ରିକେଟ ପରିଚାଳନା ନିର୍ଦ୍ଦେଶକ), ସାଇମନ କାଟିଚ(ମୁଖ୍ୟ କୋଚ୍), ଏସ ଶ୍ରୀରାମ(ବ୍ୟାଟିଂ ଓ ସ୍ପିନ ବୋଲିଂ କୋଚ୍), ଆଡାମ ଗ୍ରିଫଥ(ବୋଲିଂ କୋଚ୍) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ