ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ପେଟା ଇଣ୍ଡିଆ (People for Ethical Treatment of Animals) ପକ୍ଷରୁ 2019 ବର୍ଷ ପାଇଁ ‘ପର୍ସନ ଅଫ ଦ ଈଅର’ ସମ୍ନାନ ପ୍ରଦାନ କରାଯାଇଛି ।
କୋହଲି ନିୟମିତ ଭାବେ ଜୀବଜନ୍ତୁଙ୍କ ସୁରକ୍ଷା ଓ ତାଙ୍କ ଅବସ୍ଥାରେ ଉନ୍ନତି ପାଇଁ ପ୍ରୟାସ କରିଥାନ୍ତି । ଏହାସହ ପେଟା ଇଣ୍ଡିଆ ପକ୍ଷରୁ ଆମେର ଦୁର୍ଗରେ ଯାତ୍ରୀ ବାହକ ଭାବେ ବ୍ୟବହୃତ ହେଉଥିବା ମାଳତୀ ହାତୀର ମୁକ୍ତି ପାଇଁ ମଧ୍ୟ ଚିଠି ଲେଖିଥିଲେ । ସୂଚନା ଅନୁସାରେ ଏହି ହାତୀକୁ ଆଠ ଜଣ ବ୍ୟକ୍ତି ନୃଶଂସ ଭାବେ ମାଡ ମାରୁଥିଲେ । ଭାରତୀୟ ଅଧିନାୟକ ଜୀବଜନ୍ତୁଙ୍କ ଉପରେ ନୃଶଂସତା ନିବାରଣ ଆଇନ 1960ରେ ସଂଶୋଧନ କରିବା ପାଇଁ ପେଟା ଇଣ୍ଡିଆକୁ ସାହାଯ୍ୟ କରିଥିଲେ । ଯାହାଦ୍ବାରା ଜୀବଜନ୍ତୁଙ୍କ ଉପରେ ଅତ୍ୟାଚାର କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ।
କେବଲ ସେତିକି ନୁହେଁ କୋହଲି ବେଙ୍ଗାଲୁରୁ ସ୍ଥିତ ଏକ ପ୍ରାଣୀ ଆଶ୍ରମରେ ଆହତ କୁକୁର ମାନଙ୍କୁ ଦେଖା କରିବାକୁ ମଧ୍ୟ ଯାଇଥିଲେ । ନିଜ ଫ୍ୟାନ୍ସଙ୍କୁ ସେ କହିଛନ୍ତି ଯେ ପଶୁ ମାନଙ୍କୁ କିଣିବା ଅପେକ୍ଷା ସେମାନଙ୍କୁ ସ୍ବଇଚ୍ଛାରେ ଗ୍ରହଣ କରନ୍ତୁ ।
ପେଟା ଇଣ୍ଡିଆର ନିର୍ଦ୍ଦେଶକ ସଚିନ ବାଙ୍ଗେରା କହିଛନ୍ତି, ‘ବିରାଟ କୋହଲି ଜୀବଜନ୍ତୁଙ୍କ ଅଧିକାର ପାଇଁ ଅନେକ କାର୍ଯ୍ୟ କରୁଛନ୍ତି । ସମସ୍ତଙ୍କୁ ତାଙ୍କ ଠାରୁ ପ୍ରେରଣା ନେବାର ଆବଶ୍ୟକତା ରହିଛି ।
କୋହଲିଙ୍କ ପୂର୍ବରୁ ଅନୁଷ୍କା ଶର୍ମା, ହେମା ମାଲିନି, କଂଗ୍ରେସ ନେତା ଶଶି ଥରୁର ଓ ଆର ମାଧବନଙ୍କୁ ଏହି ସମ୍ମାନ ପ୍ରାପ୍ତ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ