ଲଣ୍ଡନ: ଗତବର୍ଷ ଆଜିର ଦିନରେ ବିଶ୍ବ ବୁଝିଥିଲା କ୍ରିକେଟରେ ବାଉଣ୍ଡ୍ରି(ଚୌକା, ଛକାର)ମହତ୍ତ୍ବ । କାରଣ ମ୍ୟାଚରେ ବାଉଣ୍ଡ୍ରୀ ବାଛିଥିଲା ବିଶ୍ବକପ ବିଜେତା । ଜୁଲାଇ14ରେ କ୍ରିକେଟ ଇତିହାସର ସର୍ବାଧିକ ରୋମାଞ୍ଚକର ମ୍ୟାଚର ସାକ୍ଷୀ ପାଲଟିଥିଲା ସମଗ୍ର ବିଶ୍ବ । କ୍ରିକେଟ ବିଶ୍ବକପ ଟୁର୍ଣ୍ଣାମେଣ୍ଟ ଇତିହାସରେ ଖେଳାଯାଇଥିବା ଶ୍ରେଷ୍ଠ ସ୍ମରଣୀୟ ମ୍ୟାାଚ । ଲର୍ଡ୍ସ ଗ୍ରାଉଣ୍ଡରେ ଘରୋଇ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା 2019 ବିଶ୍ବକପର ହାଇଭୋଲଟେଜ ଫାଇନାଲ ।
ଉଭୟ ଟିମ ପୂର୍ବରୁ ଗୋଟିଏ ଥର ବି ବିଶ୍ବକପ ବିଜେତା ହେବାର ସୌଭାଗ୍ୟ ପାଇନଥିଲେ । ସ୍ବାଭାବିକ ଭାବେ ଦୁଇଟିମ ମଧ୍ୟ ଶେଷ ମୂହୂର୍ତ୍ତ ପର୍ଯ୍ୟନ୍ତ କଡା ଟକ୍କର ଦେଖିବାକୁ ମିଳିଥିଲା ।
ମ୍ୟାଚରେ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଥିଲେ କିୱ କ୍ୟାପଟେନ କେନ ୱିଲିୟମସନ । ହେନେରୀ ନକୋଲାସଙ୍କ 55, ଟମ ଲାଥମଙ୍କ 47 ରନ ବଳରେ ନିର୍ଧାରିତ 50 ଓଭରରେ ନ୍ୟୁଜିଲାଣ୍ଡ 241/8 ରନ ସଂଗ୍ରହ କରିଥିଲା ।
ଏହାପରେ 242 ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଇଆନ ମୋର୍ଗାନଙ୍କ ଇଂଲଣ୍ଡ ଦଳ । 86 ରେ ପ୍ରମୁଖ 4 ୱିକେଟ ହରାଇବା ପରେ, ବେନ ଷ୍ଟୋକ୍ସ 84 ଓ ଜସ ବଟଲର 59 ରନ ସହ, ବିନା କୌଣସି କ୍ଷତିରେ, ଇଂଲଣ୍ଡର ସ୍କୋର 203ରେ ପହଞ୍ଚାଇଥିଲେ ।
ଏକ ସୁରକ୍ଷିତ ଓ ନିଶ୍ଚିନ୍ତ ବିଜୟ ଆଡକୁ ଅଗ୍ରସର ହୋଇଥଲା ଇଂଲଣ୍ଡ ।
ତେବେ ମ୍ୟାଚରେ କ୍ଳାଇମାକ୍ସ ଏହିଠାରୁ ଆରମ୍ଭ ହୋଇଥିଲା । ଲୁକି ଫର୍ଗୁସନ ଓ ଜିମି ନିସାମ ଏହି ଯୋଡିକୁ ଭାଙ୍ଗିବା ସହ, ପସା ପଲଟାଇବାକୁ ପ୍ରୟାସ କରିଥିଲେ ।
ତେବେ ମ୍ୟାଚର 50ତମ ଓଭରର ଶେଷ 3ଟି ବଲରୁ ଇଂଲଣ୍ଡ ବିଜୟ ପାଇଁ 9 ରନ ଆବଶ୍ୟକ କରୁଥିଲା । ଅନଲାଉଣ୍ଡର ବେନ ଷ୍ଟୋକ୍ସ ଷ୍ଟ୍ରାଇକରେ ଓ ରସିଦ ଖାନ ନନ-ଷ୍ଟ୍ରାଇକ ଏଣ୍ଡରେ ରହିଥିଲେ । 4ର୍ଥ ବଲକୁ ଡିପ-ମିଡୱିକେଟ ଅଞ୍ଚଳକୁ ଖେଳି ଦୁଇ ରନ ନେବାକୁ ଚାହିଁଥିଲେ ଉଭୟ ବ୍ୟାଟ୍ସମ୍ୟାନ । ଷ୍ଟୋକ୍ସ ଡ୍ରାଇଭ ଲଗାଇ ରନ ପୁରା କରିବାକୁ ଚେଷ୍ଟ କରିଥିଲେ । ତେବେ ମାର୍ଟିନ ଗୁପ୍ଟିଲଙ୍କ ଥ୍ରୋ ୱିକେଟ କିପରଙ୍କ ପାଖେ ପହଞ୍ଚିବା ପୂର୍ବରୁ, ଷ୍ଟୋକ୍ସଙ୍କ ବ୍ୟାଟରେ ଦୁଭାର୍ଗ୍ୟପୂର୍ଣ୍ଣ ଲାଗି ବାଉଣ୍ଡ୍ରି ବାହାରୁକୁ ଚାଲିଯାଇଥିଲା । ଫଳରେ ମ୍ୟାଚର ସମୀକରଣ ସଂପୂର୍ଣ୍ଣ ଓଲଟପାଲଟ ହୋଇଯାଇଥିଲା । ଏହି ବଲରେ ଇଂଲଣ୍ଡକୁ 6ରନ ମିଳିଥିଲା । ପରେ ମ୍ୟାଚ ବରାବର ସ୍କୋରରେ ଶେଷ ହେବା ସହ ସୁପର ଓଭରରେ ନିର୍ଣ୍ଣୟ ପାଇଁ ନିଷ୍ପତି ହୋଇଥଲା ।
ବିଶ୍ବକପ କ୍ରିକେଟ ଫାଇନାଲ ଇତିହାସରେ ଏହା ପ୍ରଥମ ସୁପର ଓଭର ଥିଲା । ଏଥିରେ ମଧ୍ୟ ଉଭୟ ଟିମର ସ୍କୋର 15 ରନରେ ଶେଷ ହୋଇଥିଲା । ତେବେ ମ୍ୟାଚରେ ଇଂଲଣ୍ଡର 26 ବାଉଣ୍ଡ୍ରୀ ଓ ନ୍ୟୁଜିଲାଣ୍ଡର 17 ବାଉଣ୍ଡ୍ରୀ ରହିଥିଲା । ଫଳରେ ଅଧିକ ସଂଖ୍ୟକ ବାଉଣ୍ଡ୍ରୀ ଯୋଗୁଁ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା । ପ୍ରଥମ ଥର ପାଇଁ ଇଂଲଣ୍ଡ କ୍ରିକେଟ ବିଶ୍ବକପ ଚମ୍ପିଆନ ହୋଇଥିଲା । ଇଂଲଣ୍ଡର ଖେଳାଳି ଖୁସିରେ ଝୁମୁଥିବାବେଳେ, ନ୍ୟୁଜିଲାଣ୍ଡ କ୍ୟାମ୍ପରେ ନିରାଶ ଓ ଦୁଃଖ ଖେଳିଯାଇଥିଲା ।
24 ବାଉଣ୍ଡ୍ରୀ ମଧ୍ୟରେ ଷ୍ଟୋକ୍ସଙ୍କ 8(6ଚୌକା, 2 ଛକା), ଜନ୍ନି ବେୟାରଷ୍ଟୋ(7 ଚୌକା), ବଟଲର (7 ଚୌକା), ଜେସନ ରୟ(3 ଚୌକା), ଲିଆମ ପ୍ଳଙ୍କେଟ(1 ଚୌକା) । 26 ବାଉଣ୍ଡ୍ରୀ ମଧ୍ୟରୁ 2ଟି ସୁପର ଓଭରରେ ରହିଛି ।
ନ୍ୟୁଜିଲାଣ୍ଡ ପକ୍ଷରୁ ଜିମି ନିସାମ ସର୍ବାଧିକ 4ଟି ବାଉଣ୍ଡ୍ରୀ ହାସଲ କରିଥିଲେ ।(3ଚୌକା, 1 ଛକା), ନିକୋଲାସ(4 ଚୌକା), ଗୁପ୍ଟିଲ(2 ଚୌକା, 1 ଛକା), ଲାଥମ(2 ଚୌକା, 1 ଛକା), କେନ ୱିଲିୟମସନ(2 ଚୌକା), ମାଟ ହେନେରୀ(1 ଚୌକା) । 17 ବାଉଣ୍ଡ୍ରୀ ମଧ୍ୟରେ ସୁପର ଓଭରରେ ଗୋଟିଏ ରହିଛି ।
ତେବେ ଏହି ମ୍ୟାଚ ବିବାଦୀୟ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ICC)ର ନିୟମକୁ ସମାଲାଚନା କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ