କଟକ: କୋରୋନା କାୟାରେ ଆରମ୍ଭ ହୋଇସାରିଛି କ୍ରିକେଟ । ଏମିତକି ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ଜାରି ରହିଛି । ଏହାସହ ଚଳିତମାସ 19 ତାରିଖରେ ୟୁଏଇରେ ଆଇପିଏଲ ଖେଳାଯିବ । ଆଇପିଏଲ ପରେ ଦେଶରେ ଘରୋଇ କ୍ରିକେଟ ତଥା ରଣଜୀ ସିଜିନ ଆରମ୍ଭ କରିପାରେ ବିସିସିଆଇ ।
ସେଥିପାଇଁ ଏବେଠୁ ଅନେକ ରାଜ୍ୟ କ୍ରିକେଟ ଆସୋସିଏସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅନଲାଇନ ମାଧ୍ୟମରେ କୋଚିଂ ପ୍ରକ୍ରିୟା ଜାରି ରଖିଛନ୍ତି ଅନେକ କ୍ରୀଡା ସଂଘ । ଫଳରେ ଓଡିଶା କ୍ରିକେଟ ଟିମ ଆଗାମୀ ରଣଜୀ ସିଜିନରେ ଭଲ କରିବା ନେଇ ଆଶାବାଦୀ ରଖିଛି । ଗତ ବର୍ଷ ଓଡିଶା ଏଲିଟ ସି ଗ୍ରୁପରେ ରହିଥିଲା । ସମୁଦାୟ 9 ଟି ମ୍ୟାଚ ଖେଳି 5 ଟି ରେ ବିଜୟ ହାସଲ କରିଥିଲା ଦଳ । କ୍ଵାଟରରେ ବେଙ୍ଗଲ ଠୁ ହାରି ସିଜନରୁ ବାଦ ପଡିଥିଲା ଓଡିଶା ।
ତେବେ ଆଗାମୀ ସିଜିନ ପୂର୍ବରୁ ନୂଆ କୋଚ ସହ ନୂଆ ଜୋଶ ନେଇ ମିଶନ ରଣଜୀରେ ବାହାରିବାକୁ ଓଡିଶାର ଲକ୍ଷ୍ୟ ରହିଥିବା ଚର୍ଚ୍ଚା ହେଉଛି । ତେବେ ଦଳକୁ ଜଣେ ଦକ୍ଷ କୋଚ୍ ର ଆବଶ୍ୟକତା ରହିଥିବା କହିଛନ୍ତି ପୁର୍ବତନ ରଣଜୀ ଖେଳାଳି ପବନ ଅଗ୍ରୱାଲ ।
ନୂଆ କୋଚ୍ ଆସିବା ନେଇ ପ୍ରସ୍ତାବ ରଖାଯିବା ସହ ସମୟ ମଧ୍ୟ ରହିଛି । ଆଲୋଚନା ବି ଜାରି ରହିଛି । କୋରୋନାକୁ କାଳରେ ପ୍ରକ୍ରିୟା ସାମାନ୍ୟ ବିଳମ୍ବ ହେଉଛି । କିନ୍ତୁ ଓସିଏକୁ ନୂଆ କୋଚ୍ ଆସିବା ନେଇ ଆଶାବାଦୀ ରହିଛି ଓଡିଶା କ୍ରିକେଟ ଆସୋସିଏସନ । ଏନେଇ ମତ ରଖିଛନ୍ତି ଓସିଏର ଯୁଗ୍ମ ସମ୍ପାଦକ ମେହେତାବ ଖାନ । ଅନ୍ୟପଟେ ଦଳର ଭଲ ପ୍ରଦର୍ଶନ ପାଇଁ କୋଚିଂ ପ୍ରକ୍ରିୟାକୁ ଆହୁରି ମଜଭୁତ କରିବାକୁ ହେବ ବୋଲି କହିଛନ୍ତି କ୍ରିକେଟର ସୂର୍ଯ୍ୟକାନ୍ତ ପ୍ରଧାନ ।
ପୂର୍ବରୁ କୋଚ ଥିବା ରଶ୍ମିରଞ୍ଜନ ପରିଡାଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚରେ ଶେଷ ହୋଇଛି । ଫଳରେ ଓଡିଶା କ୍ରିକେଟ ଆସୋସିଏସନ କେବେ ନୂଆ କୋଚ ନିଯୁକ୍ତ କରୁଛି ତା ଉପରେ ସମସ୍ତଙ୍କ ନଜର ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ