ଖ୍ରୀଷ୍ଟଚର୍ଚ୍ଚ: ପାକିସ୍ତାନ କ୍ରିକେଟ ଟିମକୁ ବଡ ଝଟକା । ନ୍ୟୁଜିଲାଣ୍ଡ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ଟିମକୁ ହୋଟେଲରୁ ବାହାରକୁ ଆସି ଅଭ୍ୟାସ କରିବାକୁ ମିଳିଲାନି ଅନୁମତି । ପାକିସ୍ତାନ ଟିମର ସଦସ୍ୟ ବର୍ତ୍ତମାନ ଖ୍ରୀଷ୍ଟଚର୍ଚ୍ଚରେ ଆଇସୋଲେସନରେ ରହିଛନ୍ତି ।
"ପାକିସ୍ତାନ ପୁରୁଷ କ୍ରିକେଟ ଟିମକୁ ହୋଟେଲରୁ ବାହାରକୁ ଆସିବାକୁ ଓ ଅଭ୍ୟାସ କରିବାକୁ ଅନୁମତି ପ୍ରଦାନ କରାଯାଇପାରିବ ନାହିଁ ।" ଏହା କହିଛନ୍ତି ନ୍ୟୁଜିଲାଣ୍ଡ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସାଧାରଣ ନିର୍ଦ୍ଦେଶକ ।
ସ୍କ୍ବାଡ ମଧ୍ୟରେ ଅଧିକ ସଂକ୍ରମଣର ଆଶଙ୍କା ରହିଛି । ଫଳରେ ସ୍ଥିତି ଉପରେ ଅତ୍ୟନ୍ତ ତୀକ୍ଷ୍ମ ନଜର ରଖାଯାଇଥିବା କହିଛନ୍ତି ଡକ୍ଟର ଆସଲେ ବ୍ଳୁମଫିଲ୍ଡ । ଟିମ ମଧ୍ୟରେ ଏକାଧିକ ସଂକ୍ରମିତ ସଦସ୍ୟ ରହିଛନ୍ତି । ଫଳରେ ସମସ୍ତଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଇସୋଲେସନରେ ରହିବାକୁ କୁହାଯାଇଛି । ବୁଧବାର ଆଉ ଜଣେ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଥିବା ଜଣାପଡିଥିଲା । ମୋଟ ପଜିଟିଭ ସଂଖ୍ୟା 8ରେ ପହଞ୍ଚିଛି ।
ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ 3ଟିକିଆ ଟି-20 ସିରିଜ ଡିସେମ୍ବର 18, 20, ଓ 22ରେ ଖେଳାଯିବା ନେଇ ସୂଚୀ ରହିଛି । ଆଇସିସି ବିଶ୍ବ ଟେଷ୍ଟ ଚମ୍ପିଆନସିପ ସୂଚୀ ଅନୁଯାୟୀ, ଡିସେମ୍ବର 26-30 ଓ ଜାନୁଆରୀ 3-7 ରେ ଦୁଇଟି ଟେଷ୍ଟ ମ୍ୟାଚ ମଧ୍ୟ ଖେଳାଯିବାନେଇ ସୂଚୀ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ