ନୂଆଦିଲ୍ଲୀ: ମୁମ୍ବାଇ ଓ ଅହମ୍ମଦାବାଦରେ ଆୟୋଜନ ହୋଇପାରେ ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ) ମ୍ୟାଚ । ମୁମ୍ବାଇରେ 4ଟି ଭେନ୍ୟୁରେ ଗ୍ରୁପ ପର୍ଯ୍ୟାୟ ମ୍ୟାଚ ଓ ପରେ ସର୍ଦ୍ଦାର ପଟେଲ ଷ୍ଟାଡିୟମ ମୋଟେରାରେ ପ୍ଲେ-ଅଫ୍ ମ୍ୟାଚ ଖେଳାଯିବା ସମ୍ଭାବନା ରହିଛି ।
4ଟି ଷ୍ଟାଡିୟମରେ ଆଇପିଏଲର ଲିଗ୍ ପର୍ଯ୍ୟାୟ ମ୍ୟାଚ ଖେଳାଯିବାକୁ ବିଚାର କରାଯାଉଥିବା ସୂଚନା ମିଳିଛି । ଏପ୍ରିଲ ମାସର ଦ୍ବିତୀୟ ସପ୍ତାହ ସୁଦ୍ଧା ଆଇପିଏଲ 2021 ଆରମ୍ଭ ହେବାର ସମ୍ଭାବନା ରହିଛି ।
ମୁମ୍ବାଇର 4ଟି ଷ୍ଟାଡିୟମ- ବ୍ରାଡବୋର୍ଣ୍ଣ ଷ୍ଟାଡିୟମ, ୱାଙ୍ଖେଡେ ଷ୍ଟାଡିୟମ, ଡି. ୱାଇ. ପାଟିଲ ଷ୍ଟାଡିୟମ ଓ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଲିଗ୍ ମ୍ୟାଚ ଖେଳାଯିବା ନେଇ ଯୋଜନା ରହିଥିବା ସୂଚନା ମିଳିଛି ।
ତେବେ ଔପଚାରିକ ଭାବେ ଘୋଷଣାକୁ ଅପେକ୍ଷା ରହିଥିବାବେଳେ ଟୁର୍ଣ୍ଣାମେଣ୍ଟ ଏପ୍ରିଲରେ ଆରମ୍ଭ ହେବାକୁ ଯାଉଛି ।
ସୟଦ ମୁସ୍ତାକ ଅଲୀ ଟି20 ଓ ବିଜୟ ହଜାରେ ଟ୍ରଫି ଭଳି ଘରୋଇ ଇଭେଣ୍ଟ ବିସିସିଆଇ ସଫଳତାର ସହ ଆୟୋଜନ କରିପାରିଥିବାରୁ ଭାରତରେ ବିଶ୍ବର ବିତ୍ତଶାଳୀ ଟି20 ଲିଗ ଆଇପିଏଲ ଆୟୋଜନ ପାଇଁ ବିଚାର କରୁଛି ବିସିସିଆଇ । 2020 ସଂସ୍କରଣର ଆଇପିଏଲ ଭାରତରେ ଗମ୍ଭୀର କୋରୋନା ମହାମାରୀ ସ୍ଥିତି ଯୋଗୁଁ ୟୁଏଇରେ ଆୟୋଜନ କରାଯାଇଥିଲା ।
ତେବେ ଆଇପିଏଲ 2021 ଭାରତରେ ଆୟୋଜନ ହେବ ବୋଲି ଗତ ମାସରେ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୁମଲ କହିଥିଲେ । ତେବେ ନିକଟରେ ନିଲାମ ପ୍ରକ୍ରିୟା ଶେଷ ହୋଇଥିବାବେଳେ ଖୁବଶୀଘ୍ର ବୋର୍ଡ ପକ୍ଷରୁ ଔପଚାରିକ ଘୋଷଣା ହେବାର ସମ୍ଭାବନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ