ନୂଆଦିଲ୍ଲୀ: ମହେନ୍ଦ୍ର ସିଂ ଧୋନି ଜଣେ ଅସାଧାରଣ ଏବଂ ଅନନ୍ୟ ଅଧିନାୟକ, ଯାହାର ସବୁଠାରୁ ବଡ ଶକ୍ତି ହେଉଛି ତାଙ୍କର ଅବିଶ୍ବସନୀୟ ଅନ୍ତଃକରଣ ବୋଲି କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସରେ ତାଙ୍କ ସାଥୀ ଖେଳାଳି ଫାଫ୍ ଡୁ ପ୍ଲେସିସ୍ ।
2011ରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ସିଏସକେ ଦଳରେ ଯୋଗଦେବା ପରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଧୋନିଙ୍କ ସହ ବହୁ ସମୟ ଅତିବାହିତ କରିଛନ୍ତି ଏବଂ ଟିମର ସଫଳ ଯାତ୍ରାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଛନ୍ତି ।
“ସେ ଅନ୍ୟ ଖେଳାଳିଙ୍କୁ ବାସ୍ତବରେ ଭଲ ପଢ଼ ପାରନ୍ତି ଏବଂ ପଡ଼ିଆରେ ଫଳପ୍ରଦ ନିଷ୍ପତ୍ତି ନେବା ପାଇଁ ସେ ଏହାକୁ ବ୍ୟବହାର କରନ୍ତି । ସେ ଖେଳ ଉପରେ ଏକ ଅଭୁତପୂର୍ବ ଅଭିଜ୍ଞତା ରଖିଛନ୍ତି ଏବଂ ମୁଁ ଭାବୁଛି ତାହା ହିଁ ହେଉଛି ତାଙ୍କର ସବୁଠାରୁ ବଡ ଶକ୍ତି,’’ ବୋଲି ବାଙ୍ଗଲାଦେଶର ଏକଦିବସୀୟ ଅଧିନାୟକ ତମିମ ଇକବାଲଙ୍କ ସହ ଫେସବୁକ ଲାଇଭ ଅଧିବେଶନରେ ଡୁ ପ୍ଲେସିସ୍ କହିଛନ୍ତି ।
35 ବର୍ଷୀୟ ଫାଫ୍ କହିଛନ୍ତି ଯେ ଜଣେ ଅଧିନାୟକ କିପରି ହେବା ଉଚିତ୍ ସେ ବିଷୟରେ ଥିବା ତାଙ୍କ ଧାରଣାକୁ ଧୋନି ବଦଳାଇ ଦେଇଛନ୍ତି ।
“ଅଧିନାୟକ ଭାବରେ ଏମଏସ କେତେ ଭିନ୍ନ ତାହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ମୁଁ ଭାବୁଥିଲି ଜଣେ ଅଧିନାୟକ ଟିମ ମିଟିଙ୍ଗ ଇତ୍ୟାଦିରେ ସବୁବେଳେ କଥା ହେବା ଆବଶ୍ୟକ କିନ୍ତୁ ଏମଏସ ସମ୍ପୂର୍ଣ୍ଣ ଭିନ୍ନ ଥିଲେ ।’’
“ଟିମ ମିଟିଙ୍ଗରେ ସେ ବିଶେଷ ବିଶ୍ବାସ କରନ୍ତି ନାହିଁ । ସେ ଜଣେ ସ୍ବତଃ ପ୍ରବୃତ୍ତ ଅଧିନାୟକ, ତାଙ୍କର କ୍ରିକେଟ ଉପରେ ଏତେ ଭଲ ଜ୍ଞାନ ଅଛି ଯେ ସେ ପଡିଆ ଉପରେ ସଠିକ ନିଷ୍ପତ୍ତି ନେବାରେ ଏହାର ବ୍ୟବହାର କରନ୍ତି,’’ ବୋଲି ଡୁ ପ୍ଲେସିସ ଭାରତର ପୂର୍ବତନ ଅଧିନାୟକଙ୍କ ବିଷୟରେ କହିଛନ୍ତି ।
ଧୋନି ଗତ ବର୍ଷ ବିଶ୍ବକପ ସେମିଫାଇନାଲରେ ଭାରତ ପାଇଁ ଖେଳିଥିଲେ ଏବଂ କୋରୋନା ପାଇଁ ବର୍ତ୍ତମାନ ସ୍ଥଗିତ ଥିବା ଆଇପିଏଲରେ ସେ ପୁଣି ପ୍ରତିଯୋଗିତାମୂଳକ କ୍ରିକେଟକୁ ଫେରିବେ ବୋଲି ଆଶା କରାଯାଉଥିଲା।