ହାଇଦ୍ରାବାଦ: ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ତଥା ଚେନ୍ନାଇ ସୁପର କିଙ୍ଗ୍ସର ଓପନର ମେଥ୍ୟୁ ହେଡେନ 2010 ଆଇପିଏଲକୁ ବୈପ୍ଳବିକ କରି ଦେଇଥିଲେ। ସେହି ମ୍ୟାଚରେ ହେଡେନଙ୍କ ଦ୍ବାରା ବ୍ୟବହୃତ ହୋଇଥିଲା ଏକ ଲମ୍ବା ହ୍ୟାଣ୍ଡଲ ଓ ଛୋଟ ପୃଷ୍ଠ ବିଶିଷ୍ଟ ମଙ୍ଗୁସ ବ୍ୟାଟ । ଆଉ ସେହି ଇନିଂସ ହେଡେନଙ୍କ ଟି-20 ଲିଗର ସବୁଠାରୁ ସ୍ମରଣୀୟ ଇନିଂସ ହୋଇ ରହିଛି । ଏହି ମ୍ୟାଚରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ) ବିପକ୍ଷରେ 43 ବଲରୁ 93 ରନ ସଂଗ୍ରହ କରି ଟିମକୁ 186 ରନ କରିବାରେ ସାହାଯ୍ୟ କରିଥିଲେ।
କିନ୍ତୁ ହେଡେନ ଏହାକୁ ବ୍ୟବହାର କରିବା ପୂର୍ବରୁ ଅଧିନାୟକ ଏମଏସ ଧୋନିଙ୍କ ସମେତ ସିଏସକେ ଫ୍ରାଞ୍ଚାଇଜର ଅନେକ ସଦସ୍ୟ ମଙ୍ଗୁସ ବ୍ୟାଟ ବ୍ୟବହାର କରିବା ସପକ୍ଷରେ ନଥିଲେ । ଟିଭି ଉପସ୍ଥାପିକା ରୁପା ରାମାନୀଙ୍କ ସହ ସିଏସକେ ଲାଇଭ ଭିଡିଓରେ କହିଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଖେଳାଳି ହେଡେନ।
“ମଙ୍ଗୁସ ବ୍ୟାଟ ଉପରେ ମତ ଦେବା କଷ୍ଟକର । ଏହି ବ୍ୟାଟ ଉପରେ ଅନେକ ପ୍ରଶ୍ନ ପଚାରନ୍ତି ଲୋକ ମତେ । ଖେଳାଳିଙ୍କ ଦୃଷ୍ଟିକୋଣରୁ, ସେମାନେ ପ୍ରାୟତଃ ପଚାରନ୍ତି ଯେ ଆପଣ କିପରି ଏହି ଅଧା ବ୍ୟାଟକୁ ବ୍ୟବହାର କରିପାରିବେ । ଏମଏସ ଧୋନିଙ୍କ କହିବା ମୋର ମନେ ଅଛି, ‘ମେଟ, ମୁଁ ଜୀବନରେ ତୁମକୁ କିଛିବି ଦେବାକୁ ପ୍ରସ୍ତୁତ ଯାହା ତୁମେ ଇଚ୍ଛା କରିବ । କିନ୍ତୁ ଦୟାକରି ଏହି ବ୍ୟାଟ ବ୍ୟବହାର କରନାହିଁ,’’ ବୋଲି ହେଡେନ କହିଛନ୍ତି।
‘‘ମୁଁ ଏମଏସକୁ କହିଲି,‘ମେଟ, ମୁଁ ପ୍ରାୟ ଦେଢ଼ବର୍ଷ ଧରି ଏହି ବ୍ୟାଟ ସହିତ ନେଟରେ ଅଭ୍ୟାସ କରିଆସୁଛି ଏବଂ ମୁଁ ଆପଣଙ୍କୁ କହୁଛି, ଯେତେବେଳେ ବଲ ଏହି ବ୍ୟାଟର ମଧ୍ୟ ଭାଗରେ ବାଜିବ ଏହା 20 ମିଟର ଆଗକୁ ଯିବ’। ଏହା ସତ୍ୟ ଯେ, ଏହି ବ୍ୟାଟ ଦ୍ବାରା ବଲ କେଉଁଠି ଅଦୃଶ୍ୟ ହୋଇଯାଏ, ତାହା ମିଳିବା କଷ୍ଟକର ହୋଇ ପଡ଼େ।
ତେବେ ସେ କାହିଁକି ଏହି ବ୍ୟାଟ ବ୍ୟବହାର କରିବାକୁ ସ୍ଥିର କଲେ ସେ ବିଷୟରେ ହେଡେନ କହିଛନ୍ତି, “ମୁଁ ମୋର ଫ୍ରାଞ୍ଚାଇଜକୁ ବିପଦରେ ପକାଇବକୁ ଚାହୁଁନଥିଲି ଏବଂ ଖରାପ ପ୍ରଦର୍ଶନ କରିବାକୁ ଚାହୁଁନଥିଲି । ଏହି ବ୍ୟାଟ ସହ ମୁଁ ମୋର ହୋମୱାର୍କ କରିସାରିଥିଲି, ମୁଁ ଏହାକୁ ବ୍ୟବହାର କରିବାକୁ ପ୍ରସ୍ତୁତ ଥିଲି । ବେଳେବେଳେ, ମୁଁ ଏହାକୁ ମ୍ୟାଚର ମଧ୍ୟ ପର୍ଯ୍ୟାୟରେ ବ୍ୟବହାର କରେ । ଏହା ଏକ ରଣନୀତିକ ଉପକରଣ ହୋଇଗଲା । ”
“ମଙ୍ଗୁସ ବ୍ୟାଟର ବ୍ୟବହାର ସଠିକ ପଦକ୍ଷେପ ଥିଲା । ଏହାକୁ ବ୍ୟବହାର କରିବା ଏକ ସାହସିକ ନିଷ୍ପତ୍ତି ଥିଲା । ମୋର ବିଶ୍ବାସ ଥିଲା ଯେ ଏହା ମୋର ଖେଳକୁ ଉନ୍ନତ କରିବ । ଦୁଇ-ତିନି ଥର ମୁଁ ଏହାକୁ ବ୍ୟବହାର କରିଥିଲି, ମୁଁ ଏହାକୁ ଭଲ ପାଉଥିଲି, ଏହା ମଜାଦାର ଥିଲା’’ ବୋଲି କହିଛନ୍ତି ହେଡେନ।