ମୁମ୍ବାଇ: ପୁଣିଥରେ ଧୋନିଙ୍କ ଅବସରରକୁ ନେଇ କ୍ରୀଡା ଜଗତ ସରଗରମ ହୋଇଛି । ଭାରତୀୟ କ୍ରିକେଟ ଦଳର ଆସନ୍ତା ବାଂଲାଦେଶ ଗସ୍ତରେ ଧୋନିଙ୍କ ଅନୁପସ୍ଥିତି ନିଷ୍ପତ୍ତି ପୁଣିଥରେ ଫ୍ୟାନ୍ସଙ୍କୁ ଚକିତ କରି ଦେଇଛି । ତେବେ ଇତି ମଧ୍ୟରେ ଧୋନିଙ୍କ ଅବସରରକୁ ନେଇ ମୁହଁ ଖେଲିଛନ୍ତି ଭାରତୀୟ ଓପନର ଶିଖର ଧୱନ ।
ତେବେ ଧୱନ କହିଛନ୍ତି, "ଭାରତ ପାଇଁ ଧୋନି ଲମ୍ଭା ସମୟ ଧରି କ୍ରିକେଟ ଖେଳିଛନ୍ତି । ମୋତେ ଲାଗୁଛି, ଧୋନିଙ୍କ ଅବସର ନିଷ୍ପତ୍ତି କେବଳ ତାଙ୍କ ବ୍ୟକ୍ତିଗତ ବ୍ୟାପାର । ଧୋନି ତାଙ୍କ କ୍ରିକେଟ କ୍ୟାରିୟର ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାରତ ପାଇଁ ନେଇଛନ୍ତି । ତେଣୁ ସମୟ ଆସିଲେ ସେ ନିଶ୍ଚିତ ଭାବେ ନିଜର ଅବସର ଘୋଷଣା କରିବେ ।"
ଉଲ୍ଲେଖଥାଉ କି, ବିଶ୍ବକପ ସେମିଫାଇନାଲ ପରେ ଧୋନି ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାଁନ୍ତି । ତେବେ ବିଶ୍ବକପ ପରେ ଧୋନି ଅବସର ଗ୍ରହଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଲା । ମାତ୍ର ବିଶ୍ବକପ ପରେ ଧୋନି ଭାରତ ଫେରି ସିଧା ସେନା କ୍ୟାମ୍ପରେ ଯୋଗ ଦେଲେ ଓ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଅନୁପସ୍ଥିତ ରହିଲେ । ପରେ ଦକ୍ଷିଣ ଆଫ୍ରିକାର ଭାରତ ଗସ୍ତ ଓ ଆଗାମୀ ବାଂଲାଦେଶ ଗସ୍ତ ପାଇଁ ପୁଣିଥରେ ଧୋନି ନିଜକୁ ଅନୁପସ୍ଥିତ ରଖିଛନ୍ତି ।
ତେବେ ଧୋନିଙ୍କ କ୍ୟାପ୍ଟେନସିପକୁ ନେଇ ଗବ୍ବର କହିଛନ୍ତି, ଧୋନିଙ୍କ ପାଖରେ ଲିଡରସିପର ଯେଉଁ ଦକ୍ଷତା ରହିଛି ତାହା କ୍ରିକେଟରେ ଭାରତର ସଫଳତାରୁ ଜଣାପଡେ । ଗୋଟିଏ ଖେଳାଳିଠାରୁ କେମିତି ଚମ୍ପିଆନ ଭଳି ଖେଳ ଆଦାୟ ହୋଇପାରିବ, ସେକଥା କେବଳ ଧୋନିଙ୍କୁ ଜଣା ।