ନୂଆଦିଲ୍ଲୀ: ସୋମବାର ବିଶ୍ବକପ ପାଇଁ ଦଳ ଘୋଷଣା କରିଛି ପାକିସ୍ତାନ । ରବିବାର ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ପରାଜୟ ପରେ ବିଶ୍ବକପ ଦଳକୁ ସାମ୍ନାକୁ ଆଣିଛି ପାକିସ୍ତାନ ବୋର୍ଡ । ତେବେ ଦଳରେ ସ୍ଥାନ ନ ପାଇବାରୁ ଦଳକୁ ନେଇ କଟାକ୍ଷ କରିଛନ୍ତି ପାକିସ୍ତାନର ଯୁବ ବୋଲର ଜୁନେଦ ଖାନ ।
ପାକିସ୍ତାନ ବିଶ୍ବକପ ଦଳରୁ ଜୁନେଦଙ୍କ ବ୍ୟତିତ ଆବିଦ୍ ଅଲୀ ଓ ଫହୀମ ଅସରଫଙ୍କୁ ବାଦ୍ ଦିଆଯାଇଛି । ଏହି ତିନି ଖେଳାଳିଙ୍କ ସ୍ଥାନରେ ୱାହବ ରିଆଜ, ଆସିଫ୍ ଅଲୀ ଓ ଆମୀର ଖାନଙ୍କୁ ସାମିଲ୍ କରାଯାଇଛି । ଅନ୍ୟପଟେ ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜରେ ଜୁନେଦ୍ ମାତ୍ର ୨ଟି ମ୍ୟାଚ୍ ଖେଳିଥିଲେ । ଦୁଇଟି ଯାକ ମ୍ୟାଚରେ ସେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଫଳରେ ତାଙ୍କୁ ଦଳରେ ସାମିଲ କରାଯାଇ ନଥିବା ଅନୁମାନ କରାଯାଉଛି । ମାତ୍ର ଦଳରେ ସାମିଲ ନ ହେବା ନେଇ ସେ ଟ୍ବିଟରରେ ପ୍ରତିବାଦ କରିଛନ୍ତି ।
ସେ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ବିଟରରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ମୁହଁରେ କଳା ଟେପ୍ ଲଗାଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, "ମୁଁ କିଛି କହିବାକୁ ଚାହୁଁନି । ସତ ସର୍ବଦା ପିତା ।" ମାତ୍ର ସେ ଟ୍ରୋଲ ହେବା ପରେ ଟ୍ବିଟକୁ ଡିଲିଟ କରି ଦେଇଛନ୍ତି ।
ପାକିସ୍ତାନ ଚୂଡାନ୍ତ ଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ, ୱିକେଟ କିପର), ଆସିଫ୍ ଅଲୀ, ବାବର ଆଜାମ, ଫକର ଜମାନ୍, ହ୍ୟାରି ସୋହେଲ, ହାସାନ୍ ଅଲୀ, ଇମାଦ ୱାସିମ, ଇମାମ-ଉଲ-ହକ୍, ମହମ୍ମଦ ଅମୀର, ମହମ୍ମଦ ହଫିଜ୍, ମହମ୍ମନ ହସନେନ୍, ଶାଦାବ ଖାନ୍, ଶାହୀନ ଶାହ ଆଫ୍ରିଦି, ଶୋହେବ୍ ମଲିକ୍ ଓ ୱାହବ ରିଆଜ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ