ହାଇଦ୍ରାବାଦ: ଭାରତୀୟ କ୍ରିକେଟର ଦୃତ ବୋଲର ଜସପ୍ରୀତ ବୁମରା ମଙ୍ଗଳବାର 2019 ବର୍ଷ ତାଙ୍କର କେମିତି ଥିଲା ସେନେଇ ଟ୍ବିଟରରେ ଏକ ପୋଷ୍ଟ କରିଛନ୍ତି । ପଡିଆ ଭିତରେ ଓ ବାହାରେ ଉପଲବ୍ଧି, ଶିଖିବା ଓ ସ୍ମୃତିର ବର୍ଷ ଥିଲା 2019, 2020 ବର୍ଷ ପାଇଁ ଅପେକ୍ଷା କରିଥିବା ଟ୍ବିଟ କରିଛନ୍ତି ବୁମରା ।
ଚଳିତ ବର୍ଷ ନିଜ ସଫଳତାର କିଛି ଫଟୋ ସେୟାର କରି ବୁମରା ଲେଖିଛନ୍ତି ଯେ, ‘‘ମଇଦାନ ବାହରେ ଓ ଭିତରେ ଉପଲବ୍ଧିର, ଶଖିବାର, କଠିନ ପରିଶ୍ରମର ଓ ଖୁସି ଭରା ସ୍ମୃତି ସାଇତିବାର ବର୍ଷ ଥିଲା 2019 । 2020ରେ ଯାହା ବି ଦେବ ତାକୁ ଅପେକ୍ଷା କରିଛି ।’’
2019 ବର୍ଷରେ ବୁମରା କେବଳ ଯେ କ୍ରିକେଟର ତିନୋଟି ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ ତାହା ନୁହେଁ, ସେ ବିଶ୍ବର ଏକ ନମ୍ବର ବୋଲର ହୋଇଥିଲେ । 26 ବର୍ଷୀୟ ବୁମରା ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟରେ ଶ୍ରେଷ୍ଠ ବୋଲର ଭାବେ ବର୍ଷର ସମାପନ କରିଛନ୍ତି । ତେବେ ଆଇସିସି ମାନ୍ୟତାରେ ସେ ଷଷ୍ଠ ସ୍ଥାନରେ ରହିଛନ୍ତି ।
ଏହି ବର୍ଷ ବୁମରା ହରଭଜନ ସିଂହ ଓ ଇରଫାନ ପଠାନଙ୍କ ପରେ ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ ନେଇଥିବା ତୃତୀୟ ଭାରତୀୟ ବୋଲର ହୋଇଛନ୍ତି । ଏପର୍ଯ୍ୟନ୍ତ ବୁମରା ଭାରତ ପକ୍ଷରୁ 12ଟି ଟେଷ୍ଟ, 58ଟି ଏକଦୀବସୀୟ ଓ 42ଟି ଟି-20 ଅନ୍ତର୍ଜାତୀୟ ମ୍ୟାଚରେ ଯଥାକ୍ରମେ 62, 103 ଓ 51ଟି ୱିକେଟ ନେଇଛନ୍ତି ।
ତେବେ ଆହତ କାରଣରୁ ଗତ ଅଗଷ୍ଟ ମାସରୁ କ୍ରିକେଟରୁ ବୀରତ ରହିଛନ୍ତି ବୁମରା । ତେବେ ବର୍ତ୍ତମାନ ସେ ସୁସ୍ଥ ହୋଇଛନ୍ତି ଓ ଜାନୁଆରୀ 5ରୁ ଶ୍ରୀଲଙ୍କା ବିପକ୍ଷ ଟି-20 ସିରିଜରେ ଟିମକୁ ଫେରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ