ନୂଆଦିଲ୍ଲୀ: ଆଇପିଏଲର 13ତମ ସଂସ୍କରଣ ଆୟୋଜନ ନେଇ ହୋଇପାରୁନି କୌଣସି ନିଷ୍ପତ୍ତି । ମାର୍ଚ୍ଚ 29ରୁ ଏହି ହାଇଭୋଲଟେଜ ଟି-20 ଲିଗ ଆୟୋଜନ ନେଇ ସୂଚୀ ରହିଥିଲା । ମାତ୍ର ମହାମାରୀ କୋରୋନା ଭାଇରସ ଲକାଡାଉନ କାରଣରୁ ବିସିସିଆଇ ପକ୍ଷରୁ ଏହାକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା କରାଯାଇଛି ।
ତେବେ ଭେଟେରାନ ପୂର୍ବତନ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ ନେଇ ଗୁରୁତ୍ବପୂର୍ଣ୍ଣ ମତ ରଖଛନ୍ତି । ଗାଭାସ୍କର କହିଛନ୍ତି ଆଇପିଏଲର 13ତମ ସଂସ୍କରଣ ସେପ୍ଟେମ୍ବରରେ ଶ୍ରୀଲଙ୍କାରେ ଖେଳାଯାଇପାରିବ । ପୂର୍ବରୁ ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆଇପିଏଲ ଆୟୋଜନ ପାଇଁ ବିସିସିଆଇକୁ ଅଫର ମଧ୍ୟ ପ୍ରଦାନ କରିଥିଲା । ତେବେ ଆଇପିଏଲ ନେଇ ଖୁବଶ୍ରୀଘ୍ର ବିସିସିଆଇ ପକ୍ଷରୁ ନିଷ୍ପତ୍ତି ହେବ ବୋଲି ଆଶା କରାଯାଉଛି ।
ସୌରଭ ଗାଙ୍ଗୁଲି ସମସ୍ତ ରାଜ୍ୟ କ୍ରିକେଟ ଆସୋସିଏସନ ଗୁଡିକୁ ଚିଠି ଲେଖି କ୍ରିକେଟ ଆରମ୍ଭ ସଙ୍କେତ ଦେଇଥିଲେ । ମାତ୍ର ଭାରତରେ କୋରୋନା ଭାଇରସ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ବିଶ୍ବର ସର୍ବାଧିକ ସଂକ୍ରମିତ 4 ଦେଶ ତାଲିକା ମଧ୍ୟରେ ଭାରତ ପହଞ୍ଚିସାରିଛି । ଫଳରେ ଆଇପିଏଲରେ ଭାଗ୍ୟ ଅନିଶ୍ଚିନ୍ତତାରେ ରହିଛି ।
ଅନ୍ୟପଟେ ଅଷ୍ଟ୍ରେଲିଆରେ ଟି-20 ବିଶ୍ବକପର ସଫଳ ଆୟୋଜନର ସମ୍ଭାବନା ସୃଷ୍ଟି ହୋଇଛି । ଅଷ୍ଟ୍ରେଲିଆରେ କୋରୋନା ଭାଇରସ ସ୍ଥିତି ଧୀରେଧିରେ ନିୟନ୍ତ୍ରଣାଧୀନ ହେଉଥିବାବେଳେ, ଷ୍ଟାଡିୟମରେ ଦର୍ଶକଙ୍କୁ ଅନୁମତି ନେଇ ମଧ୍ୟ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ସ୍ପଟ ମରିସନ ।
ଏହାପରେ ଅକ୍ଟୋବରରେ ଟି-20 ବିଶ୍ବକପ ସମ୍ଭାବନା ବୃଦ୍ଧି ପାଇଛି । 3 ସପ୍ତାହ ପୂର୍ବରୁ ଖେଳାଳି ଅଷ୍ଟ୍ରେଲିଆ ପହଞ୍ଚିବା ପରେ ଗୋଟିଏ ସପ୍ତାହ ଅଭ୍ୟାସ ଓ 14 ଦିନ କ୍ବାରେଣ୍ଟାଇନରେ ରହିପାରିବାର ନିଷ୍ପତ୍ତି ହୋଇପାରେ ।
ତେବେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ଆସନ୍ତା ମାସରେ ଟି-20 ବିଶ୍ବକପ ଆୟୋଜନ ନେଇ ଚୂଡାନ୍ତ ନିଷ୍ପତ୍ତି ନେବ ।
ତେବେ ଚଳିତ ବର୍ଷ ଆଇପିଏଲରେ ନିଜର କ୍ରିକେଟ ଦକ୍ଷତା ପ୍ରମାଣିତ କରିବାକୁ ଆଶାବାଦୀ ଥିବା ଯୁବ କ୍ରିକେଟରଙ୍କ ପାଇଁ ଏହା କଠିନ ସମୟ ପାଲଟିଛି । ଆଇପିଏଲରେ ପ୍ରଭାବି ପ୍ରଦର୍ଶନ ତାଙ୍କୁ ଭବିଷ୍ୟତ କ୍ୟାରିୟର ପାଇଁ ସହାୟକ ହୋଇପାରିଥାନ୍ତା ବୋଲି ଗାଭାସ୍କର କହିଛନ୍ତି ।