ନୂଆଦିଲ୍ଲୀ: କୋରୋନା ମହାମାରୀ କାରଣରୁ କ୍ରୀଡ଼ା ଜଗତ ସ୍ଥାଣୁ ପାଲଟି ଯାଇଥିବା ବେଳେ ଏବେ ପୁଣି ଥରେ ନୂଆ ନିୟମ ସହ ସମସ୍ତ କ୍ରୀଡ଼ା ଧୀରେ ଧୀରେ ଫେରୁଛି । ତେବେ କ୍ରିକେଟ ମଧ୍ୟ ବିନା ଦର୍ଶକରେ ଫେରିଛି । ଖାଲି ଷ୍ଟାଡିଅମ ଆଉ ସମ୍ପୂର୍ଣ୍ଣ ନିୟମ ସହ । ତେବେ ଦକ୍ଷିଣ ଆଫ୍ରିକାର ପୂର୍ବତନ ବ୍ୟାଟ୍ସମ୍ୟାନ ଜଣ୍ଟି ରୋଡସ ଅନୁଭବ କରୁଛନ୍ତି ଯେ ଖାଲି ଷ୍ଟାଣ୍ଡ ଆଗରେ ଦିନିକିଆ କିମ୍ବା ଟି-20 ତୁଳନାରେ ଟେଷ୍ଟ ମ୍ୟାଚ ଖେଳିବା ଖେଳାଳିଙ୍କ ଉପରେ ସେତେଟା ପ୍ରଭାବ ପକାଇବ ନାହିଁ କାରଣ ସେମାନେ ରେଡ-ବଲ୍ କ୍ରିକେଟ ଖେଳିବା ସମୟରେ କମ ଭିଡ଼ ସହ ଅଭ୍ୟସ୍ତ ।
କୋଭିଡ଼-19 ମହାମାରୀ ପରେ ସାଉଥମ୍ପଟନର ଏଜେସ ବୋଲରେ ତିନି ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ଟେଷ୍ଟରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜକୁ ନେଇ 117 ଦିନିଆ ବ୍ୟବଧାନ ପରେ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ ପ୍ରତ୍ୟାବର୍ତ୍ତନ କରିଛି। ଛେପ ନିଷେଧ ଏବଂ ବନ୍ଦ ଦ୍ବାର ପଛରେ ଖେଳିବା ଭଳି ନୂତନ ଆଇସିସି ନିୟମାବଳୀ ମଧ୍ୟ ରହିଛି।
ରୋଡସ୍ ଏକ ସ୍ବତନ୍ତ୍ର ସାକ୍ଷାତକାରରେ IANS କୁ କହିଛନ୍ତି ଯେ, ‘‘ମୁଁ ଭାବୁଛି ଟି-20 କ୍ରିକେଟରେ ପ୍ରଶଂସକଙ୍କର ଏବଂ ପରିବେଶର ପ୍ରଭାବ ଖେଳାଳିଙ୍କ ଉପରେ ପଡ଼ିଥାଏ । ଅନେକ ଥର ଏହା ପ୍ରଶଂସକଙ୍କ ସମର୍ଥନ ଦ୍ବାରା ଅନୁପ୍ରାଣିତ ହୋଇ ଖେଳାଳିଙ୍କ ମନୋଭାବକୁ ପରିବର୍ତ୍ତନ କରିଥାଏ।’’
‘‘ପାଷ୍ଟ କ୍ଲାସ କ୍ରିକେଟ ଏକ ଖାଲି ଷ୍ଟାଡିୟମରେ ଅନୁଷ୍ଠିତ ହୁଏ। ଯଦି ଆପଣ ଭାରତର ରଣଜୀ ଟ୍ରଫିକୁ ଦେଖିବେ, ତେବେ ସେଠାରେ କୌଣସି ପ୍ରଶଂସକ ନଥାନ୍ତି। କିନ୍ତୁ ଯେତେବେଳେ ଟେଷ୍ଟ କ୍ରିକେଟ କଥା ଆସେ, ମୁଁ ଭାବୁଛି ଖେଳାଳିମାନେ ପୂରା ପ୍ରତିଯୋଗିତାମୂଳକ ମନୋଭାବ ସହ ଖେଳିବେ କି ପ୍ରଶଂସକମାନେ ସେଠାରେ ଥାଆନ୍ତୁ କିମ୍ବା ନଥାନ୍ତୁ ।’’
‘‘ହଁ, ଆପଣଙ୍କୁ ଦଳରେ ଏମିତି କିଛି ଖେଳାଳି ଆବଶ୍ୟକ କରିବେ ଯେଉଁମାନେ କ୍ରମାଗତ ଭାବରେ କଥାବାର୍ତ୍ତା କରୁଥିବେ, କିନ୍ତୁ ମୁଁ ଭାବୁନାହିଁ ଯେ ଷ୍ଟାଡିୟମରେ ପ୍ରଶଂସକଙ୍କ ଅନୁପସ୍ଥିତି ଥିବାରୁ ଟେଷ୍ଟ କ୍ରିକେଟ ଅଧିକ ପ୍ରଭାବିତ ହେବ କାରଣ କମ ଦର୍ଶକଙ୍କ ଆଗରେ ଟେଷ୍ଟ ମ୍ୟାଚ ଖେଳିବାର ଅଭ୍ୟାସ ଖେଳାଳି ମାନଙ୍କର ରହିଛି ।
କୋରୋନା ଯୋଗୁଁ ସ୍ଥଗିତ ହୋଇଥିବା ଇଣ୍ଡିଆନ ପ୍ରିମିୟର ଲିଗର 13 ତମ ସଂସ୍କରଣ ବର୍ଷ ଶେଷରେ ପରିସ୍ଥିତିରେ ସାମାନ୍ୟ ଉନ୍ନତି ହେଲେ ଅନୁଷ୍ଠିତ ହେବ ବୋଲି ଆଶା କରିଛନ୍ତି ଜଣ୍ଟି ।
‘‘ବିନା ଆଇପିଏଲରେ ଏହି ବର୍ଷକୁ ସାରିବା କଥା ଚିନ୍ତା କରିବା କଷ୍ଟକର । 2008 ମସିହାରୁ ଏହା କ୍ରିକେଟ କ୍ୟାଲେଣ୍ଡରର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଆସୁଛି ଏହି ଟୁର୍ଣ୍ଣାମେଣ୍ଟ। ଆରମ୍ଭରୁ ବିସିସିଆଇ ପ୍ରତିବର୍ଷ ଆଇପିଏଲ କରିବାକୁ ଚେଷ୍ଟା କରୁଛି,’’ ବୋଲି 50 ବର୍ଷୀୟ ରୋଡସ୍ କହିଛନ୍ତି ।
‘‘ଆର୍ଥିକ ଦୃଷ୍ଟିରୁ ଏବଂ ଖେଳାଳିଙ୍କ ଭବିଷ୍ୟତ ପାଇଁ ମଧ୍ୟ ଆଇପିଏଲ ଗୁରୁତ୍ବପୂର୍ଣ୍ଣ ଅଟେ। ଦୁନିଆର ସର୍ବୋତ୍ତମ ଖେଳାଳିମାନେ ଏଥିରେ ଖେଳନ୍ତି। ତେଣୁ ଏହା ବିନା ଗୋଟିଏ ବର୍ଷ ବିତିଯିବା କଳ୍ପନା କରିବା କଷ୍ଟକର। ମୋ ପାଇଁ ଆଇପିଏଲ ବିନା କ୍ରିକେଟ କ୍ୟାଲେଣ୍ଡର ଅର୍ଥହୀନ ।’’
‘‘ଆଶା କରୁଛି ବର୍ଷ ଶେଷ ସୁଦ୍ଧା ସ୍ଥିତିରେ ସୁଧାର ଆସିବ ଏବଂ ଆମେ ଆଇପିଏଲ ଦେଖିପାରିବା। ଆମେ ଜାଣୁ ଏହା ଖାଲି ଷ୍ଟାଡିୟମରେ ଖେଳାଯିବ। ଏଥର ଏହା ଟିଭି ପାଇଁ ହେବ। ଟିଭି ପ୍ରାୟୋଜକ ମାନେ ଦର୍ଶକଙ୍କ ବିନା କିପରି ଏକ ବାତାବାରଣ ସୃଷ୍ଟି କରୁଛନ୍ତି ତାହା ଦେଖିବା ମଜାଦାର ହେବ,’’ ବୋଲି ରୋଡସ୍ କହିଛନ୍ତି ।
ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟି-20 ବିଶ୍ବକପ ଉପରେ ରୋଡସ୍ ମଧ୍ୟ ନିଜର ମତ ପ୍ରକାଶ କରିଥିଲେ, କିନ୍ତୁ ବିଶ୍ବ ସ୍ବାସ୍ଥ୍ୟ ସଙ୍କଟ ଯୋଗୁଁ ଏହା ଉପରେ ଏବେ ଆଶଙ୍କାର କଳା ବାଦଲ ଛାଇ ରହିଛି ।
‘‘ଆଇପିଏଲରେ ଖଳାଳିମାନେ ବାହାରୁ ଆସିବେ, କ୍ବାରେଣ୍ଟାଇନରେ ରହିବେ, ଟିମ ଗୁଡ଼ିକର ଟେଷ୍ଟ ହେବ । କିନ୍ତୁ ଫ୍ୟାନ୍ସ ମାନେ ଭାରତର ହିଁ ରହିବେ ।’’
‘‘ବିଶ୍ବକପରେ କିନ୍ତୁ ଅନ୍ୟ ଦେଶର ଫ୍ୟାନ୍ସ ମଧ୍ୟ ମ୍ୟାଚ ଦେଖିବାକୁ ଆସିବେ । ତେଣୁ ଏହି ସମୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ସମ୍ଭବ ହେବ ନାହିଁ । ଅଲମ୍ପିକ ମଧ୍ୟ ଏହି ମହାମାରୀ କାରଣରୁ ଘୁଞ୍ଚାଇ ଦିଆଯାଇଛି । ବର୍ତ୍ତମାନ ପରିସ୍ଥିତି ଦେଖିଲେ ଟି-20 ବିଶ୍ବକପ ଉପରେ କଳା ବାଦଲ ଛାଇ ରହିଛି ଭଳି ଦେଖାଯାଉଛି,’’ ବୋଲି ରୋଡସ୍ କହିଛନ୍ତି ।
@IANS