ହାଇଦ୍ରାବାଦ: ଆଇପିଏଲ 2021 ଆରମ୍ଭ ପୂର୍ବରୁ କୋଲକାତା ନାଇଟ ରାଇଡର୍ସକୁ ବଡ ଆଶ୍ବସ୍ତି । ବ୍ୟାଟ୍ସମ୍ୟାନ ନୀତିଶ ରାଣାଙ୍କ ରିପୋର୍ଟ ଗୁରୁବାର ନେଗେଟିଭ ଆସିଛି । ପୂର୍ବରୁ ମାର୍ଚ୍ଚ 22ରେ ରାଣାଙ୍କ କୋଭିଡ-19 ରିପୋର୍ଟ ପଜିଟିଭ ଆସିଥିଲା ।
ଏହାପରେ ସେ ଆଇସୋଲେସନରେ ରହିଥିଲେ । ତେବେ ଗୁରୁବାର ଦ୍ବିତୀୟ ଟେଷ୍ଟ ରିପୋର୍ଟରେ ନେଗେଟିଭ ଜଣାପଡିବା ପରେ ଖୁବଶୀଘ୍ର ରାଣା ଅଭ୍ୟାସକୁ ଫେରିବା ସମ୍ଭାବନା ରହିଛି । ଏପ୍ରିଲ 11ରେ କୋଲକାତା ନାଇଟ ରାଇଡର୍ସର ପ୍ରଥମ ମୁକାବିଲା ସନରାଇଜର୍ସ ହାଇଦ୍ରାବାଦ ସହ ରହିଛି ।
ରାଣାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ଏକ ଘୋଷଣାନାମାରେ ପ୍ରକାଶ କରିଛି କେକେଆର । ମାର୍ଚ୍ଚ 21, 2021ରେ ମୁମ୍ବାଇରେ କେକେଆର ଟିମ ହୋଟେଲରେ ପ୍ରବେଶ କରିଥିଲେ ରାଣା । ପୂର୍ବରୁ ମାର୍ଚ୍ଚ 19ରେ ତାଙ୍କର ରିପୋର୍ଟ ନେଗେଟିଭ ରହିଥିଲା । ଆଇପିଏଲ ଗାଇଡଲାଇନ ଅନୁଯାୟୀ, ମାର୍ଚ୍ଚ 22ରେ ପୁଣିଏକ ଟେଷ୍ଟର ସାମ୍ନା କରିଥିଲେ ଓ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ତାଙ୍କଠାରେ କୌଣସି ଲକ୍ଷଣ ନଥିବା ସତ୍ତ୍ବେ, ନିଜକୁ ଆଇସୋଲେସନରେ ରଖିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ