ଦୁବାଇ: ଆଜି ସନଡେ ଡବଲହେଡର ପ୍ରଥମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ- ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗଲୋର ମଧ୍ୟରେ ଖେଳାଯିବ । ଲିଗ୍ ର ଏହି 44ତମ ମ୍ୟାଚ ଦୁବାଇ ଗ୍ରାଉଣ୍ଡରେ ଭାରତୀୟ ସମୟଅନୁସାରେ ଦିନ 3ଟା30ରେ ଖେଳାଯିବ । ତେବେ ପ୍ଲେଅଫ୍ ଦୌଡରୁ ପ୍ରାୟତଃ ବାଦ୍ ପଡି ସାରିଥିବା ଚେନ୍ନାଇ ଦଳ ଆତ୍ମସମ୍ମାନ ରକ୍ଷା ନିମନ୍ତେ ମ୍ୟାଚକୁ ଜିତିବାକୁ ଚାହିଁବ । ଅନ୍ୟପଟେ ଆରସିବି ଭଲ ଫର୍ମରେ ରହି ପଏଣ୍ଟ ଟେବୁଲରେ 3ୟସ୍ଥାନରେ ରହିଛି ।
ଚେନ୍ନାଇ ଏଯାଏଁ11ଟି ମ୍ୟାଚରୁ ମାତ୍ର 3ଟିରେ ବିଜୟ ହାସଲ କରିଛି । ଯଦି ଦଳ ବାକି 3ଟି ମ୍ୟାଚରେ ବିଜୟଲାଭ କରେ ତେବେ ପ୍ଲେଅଫ୍ ରେସ୍ରେ ସାମିଲ ହେବାକୁ ଟିମକୁ ଅନ୍ୟ ଦଳର ଅଙ୍କ ତାଲିକା ଉପରେ ନିର୍ଭର କରିବ । ପୂର୍ବ ମ୍ୟାଚକୁ ଦେଖିଲେ ଏହି 2ଦଳ ମଧ୍ୟରେ ହୋଇଥିବା ମ୍ୟାଚରେ ଆରସିବି ଚେନ୍ନାଇକୁ 37ରନରେ ପରାସ୍ତ କରିଥିଲା । ଏଥିସହ ଚେନ୍ନାଇ ତା'ର ପୂର୍ବ ମ୍ୟାଚରେ ମୁମ୍ବାଇ ଠାରୁ 10ଓ୍ବିକେଟରେ ହାରିଥିଲା । ଏହାପରେ ଧୋନି ସଙ୍କେତ ଦେଇଥିଲେ ଆଗାମୀ ମ୍ୟାଚରେ ଯୁବ ଖେଳାଳିଙ୍କୁ ସୁଯୋଗ ମିଳି ପାରେ । ଦେଖିବାକୁ ରହିଲା ଆରିସିବି ବିପକ୍ଷରେ କିଏ ଟିମରେ ରହୁଛନ୍ତି ।
ଅନ୍ୟପଟେ ଆରସିବି ଆଜିର ମ୍ୟାଚର ଗୁରୁତ୍ବକୁ ଜାଣି ନିଜର ଶ୍ରେଷ୍ଠ ଏକାଦଶ ଖେଳାଳିଙ୍କୁ ଗ୍ରାଉଣ୍ଡକୁ ଓହ୍ଲାଇବେ । କୋହଲିଙ୍କ ଦଳ ଉଭୟ ବ୍ୟାଟିଂ ଓ ବୋଲିଂ ଫର୍ମାଟରେ ବେଶ୍ ଭଲ କରୁଛି ।
କିନ୍ତୁ ଦଳକୁ ସତର୍କ ରହିବାକୁ ପଡିବ କାରଣ ଚେନ୍ନାଇ ଏବେ ବିନା ଚାପରେ ଖେଳିବ ।