ନୂଆଦିଲ୍ଲୀ: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ମତରେ ଲୋକଙ୍କ ମନରେ ପଜିଟିଭ ଭାବନା ଆଣିବ ଆଇପିଏଲ । ଏହି ଟୁର୍ଣ୍ଣାମେଣ୍ଟ ସମୟରେ ଲୋକେ କୋରୋନା ବିଷୟରେ ଚର୍ଚ୍ଚା ଛାଡି କ୍ରିକେଟର ସ୍କୋର ଉପରେ ଚର୍ଚ୍ଚା କରିବେ ।
ସଚିନ ଏକ ଘରୋଇ ମିଡିଆ ସହ ସାକ୍ଷାତକାର ସମୟରେ କହିଛନ୍ତି ଯେ, ଆଇପିଏଲ ଆୟୋଜନ ଆମ ସମସ୍ତଙ୍କ ପାଇଁ ଏକ ଖୁସି ଖବର ଆଣିଛି । ମୁଁ ଇଂଲଣ୍ଡରେ ଚାଲୁଥିବା ଫୁଟବଲ, ଏଫ-1, ଟେଷ୍ଟ କ୍ରିକେଟ ଦେଖୁଛି । ଏବେ ୟୁଏଇରେ ଆଇପିଏଲ ଖେଳାଯିବ ଯାହା ଏକ ଭଲ ଖବର ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ଆଇପିଏଲ ହେଲେ ଲିଗ ସମ୍ବନ୍ଧୀୟ ସ୍କୋର ଉପରେ ଚର୍ଚ୍ଚା ହେବ । ଷ୍ଟ୍ରାଇକ ରେଟ ଓ ରନ ରେଟ ଆଦି ସମ୍ବନ୍ଧରେ ଆଲୋଚନା ହେବ ନା କି କୋଭିଡ-19ରେ କେତେ କେସ୍ ଆସିଛି ସେ ସମ୍ପର୍କରେ । ମତେ ଜଣା ଅଛି ଲୋକମାନେ କାମରୁ ଆସିଲା ପରେ ସନ୍ଧ୍ୟାରେ ସେମାନଙ୍କୁ କଥା ହେବାକୁ ଅଲଗା ବିଷୟ ମିଳିବ। ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ ଯେଉଁ ଟିମ ତାଲିକରେ ଶୀର୍ଷରେ ଥିବ ତାହା ଉପରେ ଚର୍ଚ୍ଚା ହେବ । ନା କି କୋଭିଡ ତାଲିକାର ଶୀର୍ଷରେ ଥିବା ସହରରେ ସମ୍ପର୍କରେ ଆଉ ଆଲୋଚନା ହେବ ।
ସଚିନ କହିଛନ୍ତି ଯେ, ପ୍ରାର୍ଥନା କରୁଛି କୋରୋନା ସଂକ୍ରମଣ ହ୍ରାସ ପାଉ, ଆଇପିଏଲ 2020ର ରନ ରେଟ, ଷ୍ଟ୍ରାଇକ ରେଟ ଅଧିକ ରହୁ । ମତେ ଲାଗୁଛି ଏହା କେବଳ ଖେଳାଳିଙ୍କ ପାଇଁ ଭଲ ଖବର ନୁହେଁ ଅନ୍ୟ ଲୋକଙ୍କ ପାଇଁ ମଧ୍ୟ ଭଲ ଖବର । ଆଇପିଏଲ ହେଲେ ଲୋକଙ୍କ ଧ୍ୟାନ ମ୍ୟାଚ ଆଡକୁ ଯିବ ଓ ଚେହେରାରେ ଟିକେ ହସ ଆସିବ ।