ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଟିମର ପିଛା ଛାଡୁନି ଆହତ ସମସ୍ୟା । ସୋମବାର ଟିମର ଆଉ ଜଣେ ପ୍ରମୁଖ ଖେଳାଳି ଆହତ ଯୋଗୁଁ ବାଦ ପଡିଛନ୍ତି । ଡ୍ର ରେ ଶେଷ ହୋଇଥିବା ସିଡନୀ ଟେଷ୍ଟର ହିରୋ ହନୁମା ବିହାରୀ ସିରିଜର ଶେଷ ଟେଷ୍ଟରୁ ବାଦ ପଡିଛନ୍ତି ।
ମାଂସପେଶୀ ଟାଣି ହେବାରୁ ସୋମବାର ସିଡନୀ ଟେଷ୍ଟରେ ଶେଷ ଦିନରେ ବ୍ୟାଟିଂବେଳେ ଯନ୍ତ୍ରଣା ଅନୁଭବ କରିଥିଲେ ବିହାରୀ । ଏହାସତ୍ତ୍ବେ ସେ ବ୍ୟାଟିଂ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ । କାରଣ ଭାରତୀୟ ଟିମ ପରାଜୟ ଦ୍ବାରରେ ରହିଥିଲା ଓ ମ୍ୟାଚ ବଞ୍ଚାଇବାକୁ ବିହାରୀଙ୍କୁ ବ୍ୟାଟିଂ କରିବା ଟିମ ପାଇଁ ଜରୁରୀ ଥିଲା ।
ସୂଚନା ଅନୁଯାୟୀ, ବିହାରୀଙ୍କୁ ସ୍କାନ ପାଇଁ ନିଆଯାଇଛି । ସୋମବାର ବିଳମ୍ବିତ ସନ୍ଧ୍ୟାରେ କିମ୍ବା ମଙ୍ଗଳବାର ସକାଳେ ରିପୋର୍ଟ ଆସିବାକୁ ଅପେକ୍ଷା ରହିଛି ।
ମାତ୍ର ବିସିସିଆଇ ସୂତ୍ରରୁ PTIକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆସନ୍ତା 3 ଦିନ ମଧ୍ୟରେ 4ର୍ଥ ଟେଷ୍ଟ ପୂର୍ବରୁ ବିହାରୀ ଫିଟ୍ ହେବା ସମ୍ଭାବନା କ୍ଷୀଣ । ଆନ୍ଧ୍ର ଖେଳାଳି ବିହାରୀ, ରବିଚନ୍ଦ୍ରନ ଅଶ୍ବିନଙ୍କ ସହ 161 ବଲରୁ 23 ରନର ମ୍ୟାଚ ବଞ୍ଚାଅ ଇଂନିସ ଖେଳିଥିଲେ ।
ଅନ୍ୟପଟେ ପୂର୍ବରୁ ଆହତ ହୋଇ ବାଦ ପଡିଥିବା ଜାଡେଜାଙ୍କ ସ୍ଥାନ ବ୍ରିସବେନ ଟେଷ୍ଟରେ ଶାର୍ଦ୍ଦୁଳ ଠାକୁର ନେବାର ସମ୍ଭାବନା ରହିଛି । ତେବେ ଟି. ନଟରାଜନ କିମ୍ବା ଶାର୍ଦ୍ଦୁଳଙ୍କୁ ସୁଯୋଗ ମିଳୁଛି ଖୁବଶୀଘ୍ର ସ୍ପଷ୍ଟ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ