ହାଇଦ୍ରାବାଦ: ବିଶ୍ବକପକୁ ଆଉ 12ଦିନ ବାକି । 10ଟି କଲର ଜର୍ସିରେ ରଙ୍ଗୀନ ହେବ ଇଂଲଣ୍ଡ କ୍ରିକେଟ ଗ୍ରାଉଣ୍ଡ । ଏଥି ଲାଗି ଆୟୋଜକ ଇଂଲଣ୍ଡ ମଧ୍ୟ ପ୍ରସ୍ତୁତ । ଟୁର୍ଣ୍ଣାମେଣ୍ଟରେ ଆୟୋଜକ ଦେଶ ସହ ଭାଗ ନେବାକୁ ଥିବା ବିଭିନ୍ନ ଦେଶ ମଧ୍ୟ ପ୍ରସ୍ତୁତ । ତେବେ ପ୍ରତି ଦେଶର ବିଶ୍ବକପ ଟିମରେ କିଛି ନୂଆ ପୁରୁଣା ଖେଳାଳି ସାମିଲ ଅଛନ୍ତି । ଦୁଇରୁ ତିନିଥର ବିଶ୍ବକପ ଖେଳି ସାରିଥିବାବେଳେ ଆଉ କିଛି ପ୍ରଥମଥର ପାଇଁ ବିଶ୍ବକପ ଖେଳିବାକୁ ଯାଉଛନ୍ତି । ତେବେ ଆପଣ ଜାଣିଛନ୍ତି କି? ଏହି ନୂଆ ପୁରୁଣା ଖେଳାଳିଙ୍କ ଜର୍ସି ପଛରେ ଲେଖାଥିବା ନମ୍ବର କେମିତି ଚୟନ ହୋଇଥାଏ । ତେବେ ଏହି ଅଜଣା ତଥ୍ୟକୁ ନେଇ ନଜର ପକାନ୍ତୁ ଆମର ଏହି ସ୍ପେଶାଲ ରିପୋର୍ଟ ଉପରେ ।
ତେବେ ପ୍ରତି ଯୁବ ଖେଳାଳିଟିଏ ଚାହିଁଥାଏ ଭାରତ ପାଇଁ ଖେଳିବାକୁ । ଭାରତୀୟ ଜର୍ସି ପିନ୍ଧି ପଡିଆରେ ଦୌଡିବାକୁ । ଜର୍ସିରେ ପଛରେ ଲେଖାଥିବା ନମ୍ବରର କାହାଣୀ ଏମିତି । ଯଦି ଜଣେ ଯୁବ ଖେଳାଳିଟି ଜାତୀୟ ଦଳରେ ସାମିଲ ହେଉଛି । ତେବେ ସେ ନିଜ ହିସାବରେ ତାର ଜର୍ସି ନମ୍ବର ବାଛିପାରିବ । ମାତ୍ର ଉକ୍ତ ନମ୍ବରଟି ଅନ୍ୟ କୌଣସି ଖେଳାଳିଙ୍କ ହୋଇ ନଥିବା ଆବଶ୍ୟକ । ତେବେ ଆସନ୍ତୁ ନଜର ପକାଇବା କିଛି ଭାରତୀୟ କିମ୍ବଦନ୍ତୀ କ୍ରିକେଟରଙ୍କର ଜର୍ସି ପଛର କାହାଣୀ ଉପରେ ।
ସଚିନ ତେନ୍ଦୁଲକର-
ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଜର୍ସି ନମ୍ବର 10 । ତେବେ ତାଙ୍କର ଏହି 10 ନମ୍ବର ପଛର କାହାଣୀ ଏମିତି । ତେନ୍ଦୁଲକର ନାମଟି 10ନମ୍ବର ଉଚ୍ଚାରଣରୁ ଆରମ୍ଭ ହେଉଥିବାରୁ ସେ ଏହି 10 ନମ୍ବରଟିକୁ ବାଛିଥିଲେ ।
ବିରାଟ କୋହଲି-
ଭାରତୀୟ ଅଧିନାୟକ ତଥା ରେକର୍ଡ ମେସିନ ବିରାଟ କୋହଲି । ବିରାଟଙ୍କ ଜର୍ସି ନମ୍ବର 18 । ତେବେ ଏହି ନମ୍ବର ବିରାଟଙ୍କ ଲକି ନମ୍ବର ବୋଲି ସେ ଏକ ସାକ୍ଷାତକାରରେ କହିଥିଲେ । ସେ କହିଥିଲେ, " ଅଣ୍ଡର-19ରେ ମୋତେ ଏହି 18 ନମ୍ବର ମିଳିଥିଲା । ଯାହା କି ମୋ ପାଇଁ ଖୁବ ଲକି ସାବ୍ୟସ୍ତ ହୋଇଥିଲା । ମୁଁ ଏହି ଜର୍ସି ସହ ଅଣ୍ଡର-19 ବିଶ୍ବକପ ଜିତିଥିଲି । ତେଣୁ ଏହି ନମ୍ବରକୁ ମୁଁ ଭାରତୀୟ ଦଳରେ ବଜାୟ ରଖିଲି ।"
ରାହୁଲ ଡ୍ରାଭିଡ-
ଭାରତୀୟ କ୍ରିକେଟର କାନ୍ଥ କୁହାଯାଉଥିବା ରାହୁଲ ଡ୍ରାଭିଡଙ୍କ ଜର୍ସି ନମ୍ବର ପ୍ରଥମେ 5 ଥିଲା । ମାତ୍ର ପରେ ସେ ଏହାକୁ ପରିବର୍ତ୍ତନ କରି 19 ନମ୍ବର କରିଥିଲେ । ଡ୍ରାଭିଡଙ୍କ କହିବା କଥା, 19ତାରିଖରେ ତାଙ୍କ ପତ୍ନୀଙ୍କ ଜନ୍ମଦିନ ପଡିଥାଏ । ଯାହା ତାଙ୍କ ପାଇଁ ଲକି ହୋଇଥାଏ । ସେଥିପାଇଁ ସେ ପ୍ରଥମେ ମିଳିଥିବା 5 ନମ୍ବରକୁ ବଦଳାଇ 19 ନମ୍ବର କରିଥିଲେ ।
ଯୁବରାଜ ସିଂ-
ତେବେ କ୍ୟାନ୍ସରକୁ କ୍ଲିନ ବୋଲ୍ଡ କରି ଗେମକୁ ପୁଣିଥରେ କମବ୍ୟାକ କରିଥିବା ଯୁବରାଜ ସିଂଙ୍କ ପ୍ରଶଂସକ ଆଜି ବି କ୍ରିକେଟ ଜଗତରେ ଭରପୁର ଅଛନ୍ତି । ଯୁବରାଜଙ୍କ ଜର୍ସି ନମ୍ବର ହେଉଛି 12 । ତେବେ ତାଙ୍କ ଏହି ନମ୍ବର ପଛର କାରଣ ମଧ୍ୟ ସେତେ ଆଶ୍ଚର୍ଯ୍ୟଜନକ । ଯୁବରାଜ 1981 ମସିହା ଡିସେମ୍ବର ମାସ 12 ତାରିଖର ଦିନ 12ଟାରେ ଚଣ୍ଡିଗଡର ସେକ୍ଟର-12ରେ ଜନ୍ମଗ୍ରହଣ କରିଥିଲେ । ତେଣୁ ତାଙ୍କ ଜର୍ସିର ନମ୍ବର ସେ 12 ରଖିଥିଲେ ।
ମହେନ୍ଦ୍ର ସିଂ ଧୋନି-
କ୍ୟାପ୍ଟେନ କୁଲ ମାହିଙ୍କ ଜର୍ସି ନମ୍ବର ପଛର କାରଣ ମଧ୍ୟ ସେତେ ରୋଚକପୂର୍ଣ୍ଣ । ଧୋନିଙ୍କ ଜର୍ସି ନମ୍ବର-7 । ଏହି ନମ୍ବର ପଛର କାରଣ ହେଉଛି ତାଙ୍କ ଜନ୍ମଦିନ ଜୁଲାଇ 7ତାରିଖରେ ପଡିଥାଏ । ଏହାଛଡା ଧୋନି ଫୁଟବଲର ବହୁତ ବଡ ଫ୍ୟାନ । ତାଙ୍କ ପସନ୍ଦଦାର ଖେଳାଳୀ ରୋନାଲ୍ଡୋଙ୍କ ଜର୍ସି ନମ୍ବର 7 । ତେଣୁ ସେ ନିଜର ଜର୍ସ ନମ୍ବର 7 ରଖିଛନ୍ତି ।
ରୋହିତ ଶର୍ମା-
ହିଟ୍ମ୍ୟାନ ରୋହିତ ଶର୍ମା, ଭାରତୀୟ କ୍ରିକେଟରେ ସବୁଠାରୁ ଲୋକପ୍ରିୟ ଖେଳାଳି । ରୋହିତଙ୍କ ଜର୍ସି ନମ୍ବର 45 । ତାଙ୍କର ଜର୍ସି ନମ୍ବର ପଛର କାରଣ ହେଉଛି, ତାଙ୍କ ମା ତାଙ୍କୁ ଜର୍ସିର ନମ୍ବର 9 ରଖିବାକୁ କହିଥିଲେ । ମାତ୍ର ଏହା ପାର୍ଥିବ ପଟେଲଙ୍କୁ ଆଗରୁ ମିଳି ସାରିଥବାରୁ ପୁନଃବାର ଏହା ରୋହିତଙ୍କୁ ମିଳିଲା ନାହିଁ । ମାତ୍ର ରୋହିତ ଏହାର ସମାଧାନ ବାହର କରି 45 ନମ୍ବରକୁ ଚୟନ କଲେ । କାରଣ 4+5=9 ।