ନୂଆଦିଲ୍ଲୀ: ଅରୁଣ ଜେଟଲି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି20ରେ ବିଜୟୀ ହୋଇଛି ବାଂଲାଦେଶ । 149ରନକୁ ପିଛା କରୁଥିବା ବାଂଲାଦେଶ ଭାରତକୁ 7 ୱିକେଟରେ ପରାସ୍ତ କରିଛି । ଟି20ରେ ଭାରତ ବିପକ୍ଷରେ ବାଂଲାଦେଶର ଏହା ପ୍ରଥମ ବିଜୟ ।
ବାଂଲାଦେଶ ଉଭୟ ପ୍ରଥମେ ବୋଲିଂ ଓ ବ୍ୟାଟିଂରେ ଦମଦାର ପ୍ରଦର୍ଶନ କରିଥିଲା । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାପରେ ଭାରତକୁ 148 ରନରେ ଅଟକାଇଥିଲା । ଏମିତିକି କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ଅର୍ଧଶତକ ହାସଲ କରିପାରିନଥିଲେ ।
149 ରନର ଟାର୍ଗେଟକୁ ପିଛା କରି ଶେଷ ଓଭରର 3ୟ ବଲରେ ବିଜୟୀ ହୋଇଥିଲା । ବାଂଲାଦେଶ ବିଜୟର ହିରୋଥିଲେ ଅଭିଜ୍ଞ ମୁସଫିକର ରହିମ । 43 ବଲରୁ 8ଚୌକା ଓ 1ଛକା ସହାୟତାରେ ଦମଦାର 60 ରନର ଇଂନିସ ଖେଳିଥିଲେ । ସୌମ୍ୟ ସରକାର 39, ମହମ୍ମଦ ନୈମ 26 ରନ କରିଥିଲେ । କ୍ୟାପଟେନ ମହମ୍ମଦୁଲ୍ଲା ଅପରାଜିତ 15 ରନ କରି ଦଳକୁ ବିଜୟୀ କରାଇଥିଲେ । ମୁସଫିକର ରହିମ ମ୍ୟାଚ ଅପ ଦି ମ୍ୟାଚ ହୋଇଥିଲେ ।
ଭାରତ ପକ୍ଷରୁ ଦିପକ ଚହର, ଖଲିଲ ଅହମ୍ମଦ ଓ ୟୁଜଭେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।