ବେଙ୍ଗାଲୁରୁ: ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଦିନିକିଆ ସିରିଜର ଆଜି ହେଉଛି ଅନ୍ତିମ ଲଢେଇ। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅତିଥି ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ 50 ଓଭରରେ 9 ୱିକେଟ ହରାଇ 286ରନ କରିଛି। 1-1ରେ ବରାବର ଥିବା ସିରିଜ ବିଜୟୀ ପାଇଁ ଘରୋଇ ଦଳ ଆଗରେ ରହିଛି 287ରନର ଟାର୍ଗେଟ୍।
ସ୍ଥାନୀୟ ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ମଧ୍ୟ ଟସ୍ ଜିତିଥିଲା ଅଷ୍ଟ୍ରେଲିଆ। ମାତ୍ର ଭ୍ରମଣକାରୀ ଦଳର ଅଧିନାୟକଙ୍କ ପ୍ରଥମ ବ୍ୟାଟିଂ ନିଷ୍ପତିକୁ ଭୁଲ ବୋଲି ପ୍ରମାଣିତ କରିଥିଲେ ଘରୋଇ ବୋଲର । ଭାରତୀୟ ଦଳର ଆକ୍ରମକ ବୋଲିଂରେ ଟଳମଳ ହୋଇଥିଲା ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ ଅର୍ଡର। ମାତ୍ର ମଧ୍ୟକ୍ରମରେ ଅଭିଜ୍ଞ ଷ୍ଟିଭି ସ୍ମିଥ(131) ଓ ମାର୍ନସ ଲବସଚେଗନେ(54) ରନର ପାଳି ବଳରେ କଙ୍ଗାରୁ ଦଳ 286 ରନ କରିବାକୁ ସକ୍ଷମ ହୋଇଥିଲା ।
ପ୍ରଥମରୁ ହିଁ ଭ୍ରମଣକାରୀ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ ୱାର୍ଣ୍ଣରଙ୍କୁ ମାତ୍ର 3 ରନରେ ପାଭିଲିଅନ ପଠାଇଥିଲେ ମହମ୍ମଦ ଶାମି । ପରେ ସ୍ମିଥ କ୍ୟାପଟେନ ଫିଞ୍ଚ(19)ଙ୍କୁ ରନଆଉଟ୍ କରାଇ ପାଭିଲିୟନ୍ ପଠାଇଥିଲେ । ଏହା ପରେ ସ୍ମିଥ୍ ଓ ଲବସଚେଗନେଙ୍କ ଯୋଡ଼ି ପୁଣିଥରେ ଅଷ୍ଟ୍ରେଲିଆ ଉନ୍ନତ ଭାଗୀଦାରୀ କରିଥିଲେ । ଦୁହେଁ ତୃତୀୟ ୱିକେଟ୍ ପାଇଁ ୧୩୭ ରନର ଭାଗୀଦାରୀ ପାଳି ଖେଳିଥିଲେ। ଲବସଚେଗନେ ନିଜର ତୃତୀୟ ମ୍ୟାଚରେ ଦିନିକିଆ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ମାତ୍ର ଅର୍ଦ୍ଧଶତକ ହାସଲ କରିବା ପରେ ପରେ ଜାଡେଜା ତାଙ୍କୁ ଶୀକାର କରିଥିଲେ। ପରେ ମହମ୍ମଦ ଶାମିଙ୍କ ଶୀକାର ହୋଇ ସ୍ମିଥ ଆଉଟ ହେବା ପରେ ଅନ୍ୟ କୌଣସି କଙ୍ଗାରୁ ବ୍ୟାଟ୍ସମ୍ୟାନ ଉଲ୍ଲେଖନୀୟ ପାଳି ଖେଳି ପାରିନଥିଲେ।
ଭାରତୀୟ ବୋଲିଂ ବିଭାଗରେ ମହମ୍ମଦ ଶାମୀ ସର୍ବାଧିକ 4 ୱିକେଟ ନେଇଥିବା ବେଳେ ନବଦୀପ ସାଇନ ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ସେହିପରି ରବୀନ୍ଦ୍ର ଜାଡେଜା ଦୁଇଟି ୱିକେଟ ହାସଲ କରିଛନ୍ତି।