କୋଲକାତା: ଐତିହାସିକ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଭାରତ ବାଂଲାଦେଶ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଖେଳାଯିବ । ପିଙ୍କ ବଲରେ ମ୍ୟାଚ ଖେଳାଯିବାକୁ ଥିବାବେଳେ, ଖେଳାଳିଙ୍କଠୁ ନେଇ ଦର୍ଶକଙ୍କ ପର୍ଯ୍ୟନ୍ତ ସମସ୍ତେ ଉତ୍ସାହିତ ଅଛନ୍ତି ।
ତେବେ ଏହି ମ୍ୟାଚ ଆରମ୍ଭର ସମୟ ଓ ଶେଷର ସମୟସାରଣୀ ପ୍ରକାଶ ପାଇଛି । ଶୀତଦିନର ସନ୍ଧ୍ୟାକୁ ଦୃଷ୍ଟିରେ ରଖି ମ୍ୟାଚ ଆରମ୍ଭର ସମୟ ଅପରାହ୍ନ 1.00 ଓ ଷ୍ଟମ୍ପଅପସାରଣର ସମୟ ରାତି 8.00 ରଖିବାକୁ ବେଙ୍ଗଲ କ୍ରିକେଟ ଆସୋସିଏସନ ପକ୍ଷରୁ ଅନୁରୋଧ କରାଯାଇଥିଲା । ସିଏବିର ଏହି ପ୍ରସ୍ତାବରେ ବିସିସିଆଇ ସମ୍ମତି ଜଣାଇଛି । ମ୍ୟାଚର ପ୍ରଥମ ସେସନ ଅପରାହ୍ନ 3.00ରେ ଶେଷ ହେବ । 2ୟ ସେସନ 3.40ରୁ ଆରମ୍ଭ ହୋଇ 5.40 ପର୍ଯ୍ୟନ୍ତ ଖେଳାଯିବ । 3ୟ ତଥା ଅନ୍ତିମ ସେସନ ସନ୍ଧ୍ୟା 6.00ରୁ ଆରମ୍ଭ ହୋଇ 8.00ରେ ଶେଷ ହେବ ।
ଏନେଇ ବିସିସିଆଇ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ଭାରତ-ବାଂଲାଦେଶ ଟେଷ୍ଟ ସିରିଜର 2ୟ ଟେଷ୍ଟ ନଭେମ୍ବର 22ରୁ 26 କୋଲକାତାରେ ଖେଳାଯିବ ।
ଏହି ମ୍ୟାଚରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ସେଖ ହାସିନା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।