ନୂଆଦିଲ୍ଲୀ: ଯେବେ ଯେବେ କୋହଲି 123 କରି ଆଉଟ ହୋଇଛନ୍ତି, ସେବେ ସେବେ ଭାରତକୁ ପରାଜୟର ମୁହଁ ଦେଖିବାକୁ ପଡିଛି । ଏଯାବତ 3ଥର 123ରନ କରି ଆଉଟ ହୋଇଛନ୍ତି କୋହଲି । ଆଉ ତିନିଥର ଯାକ ମ୍ୟାଚ ହାରିଛି ଭାରତ ।
ଏହା ଏକ ସଂଯୋଗ ହୋଇଥାଇ ପାରେ, କିନ୍ତୁ ତିନି ତିନି ଥର ଏପରି ହେବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବ ସମସ୍ତଙ୍କୁ । 2014 ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆରେ ସିରିଜର ପ୍ରଥମ ମ୍ୟାଚରେ 292ରନର ବିଜୟ ଲକ୍ଷ୍ୟ ମିଳିଥିଲା ଭାରତକୁ । ଲକ୍ଷ୍ୟକୁ ପିଛା କରି ବ୍ୟାଟିଂ ପାଇଁ ଓହ୍ଲାଇଥିବା ଭାରତୀୟ ଟିମର କୌଣସି ବ୍ୟାଟ୍ସ ମ୍ୟାନ 50ରନ ଉପରକୁ ସ୍କୋର କରି ପାରି ନଥିବା ବେଳେ କୋହଲି 111 ବଲରେ 123ରନର ପାଳି ଖେଳିଥିଲେ । କିନ୍ତୁ କୋହଲି ଆଉଟ ହେବା ପରେ ମ୍ୟାଚ ଭାରତ ହାତରୁ ଖସି ଯାଇଥିଲା ।
ତାପରେ 2018ରେ ଅଷ୍ଟ୍ରେଲିଆ ବିପକ୍ଷ ପର୍ଥ ଟେଷ୍ଟରେ ମଧ୍ୟ କୋହଲି ପ୍ରଥମ ଇନିଂସରେ 123 ରନ କରିଥିଲେ ଆଉ ସେହି ମ୍ୟାଚ ମଧ୍ୟ ହାରିଯାଇଥିଲା ଭାରତ । ଆଉ ଚଳିତ ଭାରତ ବନାମ ଅଷ୍ଟ୍ରେଲିଆ ତୃତୀୟ ଦିନିକିଆରେ ମଧ୍ୟ କୋହଲି 123 ରନ କରିଥିଲେ ଆଉ ପରିଣାମ ସମସ୍ତେ ଦେଖିଥିବେ । ପୂର୍ବ ମ୍ୟାଚ ମାନଙ୍କ ପରି ଏହି ମ୍ୟାଚରେ ପରାଜୟ ମିଳିଥିଲା ଭାରତକୁ ।