ଆଡିଲେଡ: ଇଣ୍ଡିଆନ ପ୍ରିମିୟିର ଲିଗ ପୂର୍ବରୁ ଇଶାନ୍ତ ଶର୍ମା ଆହତ କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଟେଷ୍ଟ ସିରିଜରେ ଭାରତର ତୃତୀୟ ଦ୍ରୁତ ବୋଲର କିଏ ହେବ ଚର୍ଚ୍ଚା ଜାରି ରହିଛି । ପ୍ରଥମେ ଇଶାନ୍ତଙ୍କ ନାମରେ ଟିମରେ ରଖାଯାଇଥିଲା । ତେବେ ତାଙ୍କର ଫିଟନେସକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ଗସ୍ତରୁ ବାଦ ଦିଆଯାଇଥିଲା ।
ଉମେଶ ଯାଦବ, ନବଦୀପ ସାଇନି ଓ ମହମ୍ମଦ ସିରାଜଙ୍କ ରୂପରେ ଭାରତ ନିକଟରେ 3ଟି ବିକଳ୍ପ ଉପଲବ୍ଧ ରହିଛି । ତେବେ ଦେଖିବାର କଥା ପ୍ରଥମ ଟେଷ୍ଟରେ ତୃତୀୟ ଦ୍ରୁତ ବୋଲର ଭାବେ କାହାକୁ ଚୟନ କରାଯାଉଛି । ଅଭିଜ୍ଞତା ଦୃଷ୍ଟିରୁ ଉମେଶ ଯାଦବଙ୍କୁ ସୁଯୋଗ ମିଳିବା ସମ୍ଭାବନା ରହିଛି ।
ତେବେ ଏହି ଘଟଣାରେ ଟ୍ବିଷ୍ଟ ଆଣିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ କ୍ୟାପଟେନ ଇଆନ ଚାପେଲ । 3ୟ ଦ୍ରୁତ ବୋଲର କିଏ ହେବ ଜାଣିଛନ୍ତି ବୋଲି ଖୁଲାସା କରିଛନ୍ତି ଚାପେଲ । ଚାପେଲ କହିଛନ୍ତି, "ସେ ଭାରତୀୟ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସହ ଡ୍ରିଙ୍କ୍ସ କରୁଥିଲେ । ତାଙ୍କୁ ସବୁ ଜଣାଅଛି ।" ଦ୍ବିତୀୟ ଦିନ ରବି(ଶାସ୍ତ୍ରୀ)ଙ୍କ ସହ ଡ୍ରିଙ୍କ୍ସ କରୁଥିଲି, ସେ କହିଲେ ଉମେଶ(ଯାଦବ)ଙ୍କୁ 3ୟ ଦ୍ରୁତ ବୋଲର ଭାବେ ମୌକା ମିଳିବ ।"
ଏଥିସହ ଚାପେଲ କହିଛନ୍ତି, ଭାରତ ପାଖରେ ଜଶପ୍ରୀତ ବୁମରା ଓ ମହମ୍ମଦ ସାମିଙ୍କ ପରି ସ୍ମାର୍ଟ ବୋଲର ରହିଛନ୍ତି । ଯଦି ଟିମ ପ୍ରଥମେ ବ୍ୟାଟିଂ କରି 300 ରନ ସଂଗ୍ରହ କରେ, ତେବେ ଆଡିଲେଡରେ ମ୍ୟାଚ ବିଜୟର ଦ୍ବାରଦେଶରେ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ