ନୂଆଦିଲ୍ଲୀ: 2019 କ୍ରିକେଟ ବିଶ୍ବକପ ଟୁର୍ଣ୍ଣାମେଣ୍ଟର ଭାରତ ବନାମ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ, ଆଜି ବି କ୍ରିକେଟର ଆଉ କ୍ରିକେଟ ପ୍ରେମୀଙ୍କ ମନରୁ ଲିଭି ନାହିଁ ଭାରତୀୟ କ୍ରିକେଟର ସେହି ଯନ୍ତ୍ରଣାଦାୟକ 30 ମିନିଟ । ତେବେ ପାଖାପାଖି ଗୋଟିଏ ବର୍ଷ ପରେ ସେହି ମୁହୁର୍ତ୍ତକୁ ମନେ ପକାଇଛନ୍ତି ଭାରତୀୟ ଦଳର ମିଷ୍ଟର 360 କେଏଲ ରାହୁଲ । ସେ କହିଛନ୍ତି ଯଦି ମୋତେ ଗୋଟିଏ ମୌକା ମିଳେ କିଛି ପରିବର୍ତ୍ତନ କରିବାକୁ ତେବେ ମୁଁ ବିଶ୍ବକପର ସେମିଫାଇନାଲ ଦିନକୁ ପରିବର୍ତ୍ତନ କରି ଦେବି ।
ସୂଚନାଥାଉ 283 ରନକୁ ପିଛା କରୁଥିବା ଭାରତୀୟ ଦଳ ପାଇଁ ସେମିଫାଇନାଲରେ ଧୋନିଙ୍କ ସେହି ଅଧା ଇଞ୍ଚର ରନ ଆଉଟ୍ ବିଶ୍ବକପ ସ୍ବପ୍ନ ଅଧାର ରଖିଗଲା । ତେବେ ଏକ ସ୍ବତନ୍ତ୍ର ଚାଟ୍ ସୋ 'ଦି ମାଇଣ୍ଡ ବିହାଇଣ୍ଡ'ରେ ଯେତେବେଳେ ରାହୁଲଙ୍କୁ ପ୍ରଶ୍ନ କରାଗଲା, ଯଦି ତୁମକୁ କିଛି ବଦଳାଇ ଦେବା ପାଇଁ ସୁଯୋଗ ମିଳେ ତୁମେ କଣ ବଦଳାଇବାକୁ ଚାହିଁବ । ରାହୁଲ ଏମିତି ଉତ୍ତର ଦେଲେ, "ଏହା ବିଶ୍ବକପ ସେମିଫାଇନାଲ ହେବା । ମୁଁ ଭାବୁଛି ଆମ ମଧ୍ୟରୁ ଅଧିକାଂଶ ସେହି କ୍ଷତକୁ ଭୁଲି ପାରି ନାହାନ୍ତି । ସେହି ମୁହୁର୍ତ୍ତ କେବେ କେବେ ଆମକୁ ଯନ୍ତ୍ରଣା ଦିଏ ।’’
ସେ ଭାବ ବିହ୍ବଳ ହୋଇ କହିଛନ୍ତି, "ମୁଁ କଳ୍ପନା କରିପାରୁ ନାହିଁ ଯେ ବରିଷ୍ଠ ଖେଳାଳିମାନେ କ’ଣ ଅନୁଭବ କରିଥିଲେ । ଯେତେବେଳେ ଆମେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଆକ୍ରାମକ ପ୍ରଦର୍ଶନ କରିଥିଲୁ । ମାତ୍ର ସେମିଫାଇଲ ପରାସ୍ତ ଆମ ପାଖକୁ ଏକ ଦୁଃସ୍ବପ୍ନ ପରି ଆସିଗଲା ।’’
ଉଲ୍ଲେକଯୋଗ୍ୟ, ବିଶ୍ବକପ ଫେବରେଟ୍ ଭାବା ବିବେଚିତ ହୋଇଥିବା ଭାରତୀୟ ଦଳର ପୁରା ଟୁର୍ଣ୍ଣାମେଣ୍ଟ ଯାତ୍ର ସିଂହ ପରି ରହିଥିଲା । ଗ୍ରୁପ ପର୍ଯ୍ୟାୟରେ ଇଂଲଣ୍ଡ ବିପକ୍ଷ ମ୍ୟାଚ ବ୍ୟତିତ ସମସ୍ତ ମ୍ୟାଚରେ ବିଜୟୀ ହୋଇଥିଲା । ମାତ୍ର ଟୁର୍ଣ୍ଣାମେଣ୍ଟ ରନର୍ସ-ଅପ ନ୍ୟୁଜିଲାଣ୍ଡଠାରୁ ସେମିଫାଇନାଲ 18 ରନରେ ପରାସ୍ତ ହୋଇ ବିଶ୍ବକପ ଯାତ୍ରା ଶେଷ କରିଥିଲା ବିରାଟ ବାହିନୀ ।