ନୂଆଦିଲ୍ଲୀ: ମାଷ୍ଟର ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ନେଇ, ପୂର୍ବତନ ଟିମ ଇଣ୍ଡିଆ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ବସ ସୌରଭ ଗାଙ୍ଗୁଲିଙ୍କ ବଡ ବୟାନ । ମ୍ୟାଚ ଆରମ୍ଭରେ ଓପନର ଭାବେ କାହିଁକି ସଚିନ ପ୍ରଥମେ, ପ୍ରଥମ ବଲର ସମ୍ମୁଖୀନ(ଷ୍ଟ୍ରାଇକ) ହୁଅନ୍ତିନି ବୋଲି ଖୁଲାସା କରିଛନ୍ତି ଗାଙ୍ଗୁଲି।
ଗାଙ୍ଗୁଲି କହିଛନ୍ତି "ସଚିନଙ୍କ ସହ ଓପନିଂ ସମୟରେ ସବୁବେଳେ ସେ ପ୍ରଥମ ବଲ ଖେଳିବାକୁ ଷ୍ଟ୍ରାଇକ ନିଅନ୍ତି । ମୋତେ ସବୁବେଳେ ଷ୍ଟ୍ରାଇକ ନେବାପାଇଁ ସଚିନ କୁହନ୍ତି । ବେଳେବେଳେ ପ୍ରଥମ ବଲର ସାମ୍ନା କର ବୋଲି କହିଲେ, ସଚିନଙ୍କ ପାଖେ ଦୁଇଟି ଉତ୍ତର ଥାଏ । ପ୍ରଥମଟି ହେଉଛି, ଯଦି ଫର୍ମ ଭଲ ଥାଏ ତେବେ ସେ ବିଶ୍ବାସ କରନ୍ତି ଯେ, କିଛି ପରିବର୍ତ୍ତନ ନହେଉ, ପୂର୍ବପରି ଅପରିବର୍ତ୍ତିତ ରହୁ, ଅନ୍ୟଟି ନନ୍ ଷ୍ଟ୍ରାଇକର ଏଣ୍ଡ(ଅମ୍ପାୟାର ପଟ)ରେ ଅଧିକ ଚାପ ଥାଏ । ସେଥିପାଇଁ ସେ ରହିବାକୁ ଚାହାନ୍ତି ବୋଲି କୁହନ୍ତି ।"
ଏକାଠି ଓପନିଂ ବ୍ୟାଟିଂ ସମୟରେ ସଚିନ ଥରେ କିମ୍ବା ଦୁଇଥର ପ୍ରଥମେ ଷ୍ଟ୍ରାଇକ ନେଇଥିବା କହିଛନ୍ତି ଗାଙ୍ଗୁଲି । ତେବେ ଏହା ସେତେବେଳ ସମ୍ଭବ ହୋଇଛି, ଯେବେ ଟିଭିରେ ମ୍ୟାଚ ପ୍ରସାରଣ ଆରମ୍ଭ ହୋଇଯାଇଛି ଏବଂ ପ୍ରଥମରୁ ନନ ଷ୍ଟ୍ରାଇକ ପଟରେ ସେ ଛିଡା ହୋଇଯାଇଛନ୍ତି । ପରେ ସଚିନ ବାଧ୍ୟ ହୋଇ ପ୍ରଥମ ବଲ ଖେଳିବାକୁ ଷ୍ଟ୍ରାଇକ ଏଣ୍ଡକୁ ଯାଇଛନ୍ତି । ଭାରତୀୟ କ୍ରିକେଟର ଦୁଇ ମହାନ ତାରକା ଗାଙ୍ଗୁଲି ଓ ତେନ୍ଦୁଲକର ଏକାଠି ଦିନିକିଆରେ 176 ଇଂନିସରୁ 47.55 ହାରରେ, 8,227 ରନ ସଂଗ୍ରହ କରିଛନ୍ତି ।
କୌଣସି ଅନ୍ୟ ଯୋଡି ଦିନିକିଆ କ୍ରିକେଟରେ 6,000 ରନକୁ ମଧ୍ୟ ଅତିକ୍ରମ କରିନାହାନ୍ତି । କ୍ରିକେଟର ଲମ୍ବା ଫର୍ମାଟରେ ତେନ୍ଦୁଲକରଙ୍କର ସର୍ବାଧିକ 15,921 ରନ ରହିଛି । ସେଥିମଧ୍ୟରୁ 51ଟି ଶତକୀୟ ଇଂନିସ ରହିଛି । ଯାହାକି ସର୍ବକାଳୀନ ସର୍ବାଧିକ । ଦିନିକିଆରେ 49 ଶତକ ସହ 18,426 ରନ ରହିଛି । ଏଥିସହିତ 24 ବର୍ଷର ଲମ୍ବା କ୍ରିକେଟ କ୍ୟାରିୟରରେ 6ଟି ବିଶ୍ବକପରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । 2011 କ୍ରିକେଟ ବିଶ୍ବକପ ବିଜୟୀ ଭାରତୀୟ ଦଳର ସଦସ୍ୟ ରହିଛନ୍ତି ।
ଅନ୍ୟପଟେ ଗାଙ୍ଗୁଲି ଅନ୍ୟତନ ଶ୍ରେଷ୍ଠ ଓ ସଫଳତମ ଭାରତୀୟ କ୍ୟାପଟେନଙ୍କ ମଧ୍ୟରେ ରହିଛନ୍ତି । ତାଙ୍କ ନେତୃତ୍ବରେ ନିଜ ମାଟିରେ ପାକିସ୍ତାନକୁ ପ୍ରଥମ କରି ଏକ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା ଭାରତୀୟ ଦଳ । 2003 କ୍ରିକେଟ ବିଶ୍ବକପ ଫାଇନାଲ ପର୍ଯ୍ୟନ୍ତ ମଧ୍ୟ ଗାଙ୍ଗୁଲିଙ୍କ ନେତୃତ୍ବରେ ଖେଳିଥିଲା ଟିମ ଇଣ୍ଡିଆ । ଗାଙ୍ଗୁଲି 113ଟି ଟେଷ୍ଟ ଓ 311 ଦିନିକିଆ ମ୍ୟାଚରୁ 18,575 ରନ ସଂଗ୍ରହ କରିଛନ୍ତି । ଅକ୍ଟୋବର 2019ରେ ବିସିସିାଇ ସଭାପତି ନିର୍ବାଚିତ ହୋଇଛନ୍ତି ସୌରଭ ଗାଙ୍ଗୁଲି ।