ହାଇଦ୍ରାବାଦ: ମହେନ୍ଦ୍ର ସିଂହ ଧୋନି, ଭାରତୀୟ କ୍ରିକେଟର ଏକ ପରିଚିତ ନାମ । ଜଣେ କ୍ରିକେଟର, ୱିକେଟ କିପର, ଫିନିସର, କ୍ୟାପଟେନ ଓ ମାର୍ଗଦର୍ଶକ ଭାବେ ସେ ସଫଳ ସେ ସୁଦକ୍ଷ । ସଫଳତା ତାଙ୍କର ବୟାନ କରେ ଦକ୍ଷତା, ବିଶ୍ବ କ୍ରିକେଟରେ ଦବଦବା । ବିଶ୍ବର କୋଣଅନୁକୋଣରେ ଗ୍ରହଣୀୟତା ତାଙ୍କର ବୟାନ କରେ ବିଚକ୍ଷଣତା । ସେ ବିସ୍ପୋରକ ମାତ୍ର ଶାନ୍ତ, ସେ ଶ୍ରେଷ୍ଠ, ସଫଳ ମାତ୍ର ସରଳ ।
ବର୍ଷ 1981 ଆଜିର ଦିନରେ(ଜୁଲାଇ 7)ଝାଡଖଣ୍ଡର ରାଞ୍ଚିରେ ଜନ୍ମହୋଇଥିଲେ ବିଶ୍ବ କ୍ରିକେଟର ଏହି ବିରଳ କ୍ରିକେଟର । ଆଜି ଦିନରେ 39ତମ ଜନ୍ମଦିନ ପାଳନ କରୁଛନ୍ତି କ୍ୟାପଟେନ କୁଲ ଧୋନି । ଆଇସିସିର ଟୁର୍ଣ୍ଣାମେଣ୍ଟରେ ଭାରତର ସଫଳ ଓ ସୁଦକ୍ଷ ସେନାପତି । ଆଧୁନିକ ଭାରତୀୟ କ୍ରିକେଟ ଟିମର ନବନିର୍ମାତା । ସେଇଥିପାଇଁ ତ ସେ କ୍ରିକେଟ ଦୁନିଆର ପ୍ରଥମ ଓ ଏକମାତ୍ର କ୍ୟାପଟେନ, ଯାହାଙ୍କ ନାମରେ ରହିଛି ଆଇସିସିର ସମସ୍ତ ଫର୍ମାଟରେ ଟାଇଟେଲ ବିଜୟର ଟ୍ୟାଗ୍ ।
ଧୋନିଙ୍କ ନେତୃତ୍ବରେ ଡିସେମ୍ବର 2019ରେ 18ମାସ ପାଇଁ ଭାରତୀୟ ଟିମ ଆଇସିସି ଟେଷ୍ଟ ମାନ୍ୟତାର ନଂ1 ଟିମ ହୋଇଥିଲା । 2011ରେ ଦିନିକିଆ ବିଶ୍ବକପ, 2007 ଟି-20 ବିଶ୍ବକପ ଓ 2013 ଆଇସିସି ଚମ୍ପିଆନ୍ସ ଟ୍ରଫି ବିଜେତା ରହିଛି । ତେବେ ଧୋନିଙ୍କୁ 23 ବର୍ଷ ପର୍ଯ୍ୟନ୍ତ ସେ ହାତଗଣତି ଲୋକଙ୍କ ପାଖେ ପରିଚିତ ଥିଲେ । 2004ରେ ଇଣ୍ଡିଆ ଏ ପକ୍ଷରୁ ଖେଳି ଏକ ତ୍ରିପାକ୍ଷିକ ଦିନିକିଆ ସିରିଜରେ ନାଇରୋବି ଠାରେ ଦୁଇଟି ଶତକ ହାସଲ କରିଥିଲେ ।
ସେତେବେଳେ, ରାହୁଲ ଦ୍ରାବିଡଙ୍କ ପରେ, ଟିମ ଇଣ୍ଡିଆ ଏକ ୱିକେଟ କିପର ବ୍ୟାଟ୍ସମ୍ୟାନଙ୍କ ଖୋଜରେ ଥିଲା । ତେବେ ଧୋନିଙ୍କ ଅନ୍ତର୍ଜାତୀୟ ଆରମ୍ଭ ବେଶ ଖାସ ନଥିଲା । ଆରମ୍ଭରୁ କିଛି ମ୍ୟାଚରେ ବିଫଳ ହୋଇଥିଲେ ସେ । ମାତ୍ର ବର୍ଷ 2005ରେ ପାକିସ୍ତାନ ବିପକ୍ଷରେ 148 ରନର ଇଂନିସ ଖେଳି ନିଜର ବହୁମୁଖି ପ୍ରତିଭାର ପରିଚୟ ଦେଇଥିଲେ । ତତ୍କାଳୀନ କ୍ୟାପଟେନ ତଥା ବର୍ତ୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ନିଜର 3ନଂ ବ୍ୟାଟିଂ ସ୍ଥାନ ଧୋନିଙ୍କୁ ଦେଇଥିଲେ । ଏହି ସୁଯୋଗକୁ ଧୋନି ଗୁରୁଦାୟିତ୍ବ ଭାବେ ଗ୍ରହଣ କରିବା ସହ ସଠିକ ଉପଯାଗ କରିଥିଲେ । ଶ୍ରୀଲଙ୍କା ବିପକ୍ଷରେ 183 ରନର ଇଂନିସ ଖେଳି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ ।
ଏହାପରେ ବର୍ଷ 2007ରେ ସିନିୟର ଖେଳାଳି ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ ଟି-20 ବିଶ୍ବକପରୁ ଓହରିବାକ ସହ ଧୋନିଙ୍କୁ କ୍ୟାପଟେନ ଦାୟିତ୍ବ ପାଇଁ ସୁପାରିଶ କରିଥିଲେ । ଆଉ ଏହାପରେ ଭାରତୀୟ କ୍ରିକେଟରେ ହୋଇଥିଲା ଏକ ନୂଆ ଯୁଗର ଆରମ୍ଭ । ଏକାଧିକ ଅଚିହ୍ନା ମୁହଁ, ଅନଭିଜ୍ଞ ଯୁବ ଖେଳାଳିଙ୍କୁ ବିଶ୍ବକପ ଟିମରେ ନେଇ ଦକ୍ଷିଣ ଆଫ୍ରିକା ବାହାରିଯାଇଥିଲେ ଧୋନି । ପୁରା ଟୁର୍ଣ୍ଣାମେଣ୍ଟରେ ୱିକେଟ ପଛରେ ରହି, ଗୋଟି ଚାଳନା କରିଥିଲେ ଧୁରନ୍ଦର ଧୋନି । ଉପସ୍ଥିତ ଦର୍ଶକ, କ୍ରିକେଟର, କମେଣ୍ଟଟର ସମସ୍ତେ ଧୋନିଙ୍କ ଅଧିନାୟକତ୍ବର ଫ୍ୟାନ ପାଲଟିଯାଇଥିଲେ । ଟିମକୁ ସଫଳତା ମିଳୁଥାଏ, ଫାଇନାଲରେ ଭାରତ ପହଞ୍ଚି ସାରିଥାଏ । ଫାଇନାଲରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଶେଷ ଓଭରରେ ହରାଇ ଭାରତ ଚମ୍ପିଆନ ହେଲା । ଏହାପରେ 'କ୍ୟାପଟେନ କୁଲ' ଭାବେ ଧୋନି ପରିଚିତ ହେଲେ ।
ପରେ ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଟିମ ଇଣ୍ଡିଆର ଦିନିକିଆ କ୍ୟାପଟେନ ପଦ ଧୋନିଙ୍କୁ ମିଳିଥିଲା । ଅନିଲ କୁମ୍ବଲେଙ୍କ ଅବସର ପରେ ଟେଷ୍ଟ କ୍ୟାପଟେନ ପଦ ମଧ୍ୟ ମିଳିଲା । ଧୋନିଙ୍କ ନେତୃତ୍ବରେ 2008ରେ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ ବିଜୟ, 2009ରେ ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ବିଜୟ ପରେ ଟେଷ୍ଟ ମାନ୍ୟତାର ଶୀର୍ଷ ସ୍ଥାନ ମିଳିଲା । ଏହାପରେ 2011 ଦିନିକିଆ ବିଶ୍ବକପ ମଧ୍ୟ ଭାରତ ନିଜ ନାମରେ କରିଥିଲା । ଭାରତୀୟ ଟିମର ଦିନିକିଆ ବିଶ୍ବକପ ବିଜୟର 28ବର୍ଷର ଲମ୍ବା ପ୍ରତୀକ୍ଷାର ଅନ୍ତ, ଧୋନିଙ୍କ ନେତୃତ୍ବରେ ହୋଇଥିଲା । ଫାଇନାଲ ମ୍ୟାଚରେ 91 ରନର ଅପରାଜିତ ଇଂନିସ ଖେଳି ଭାରତକୁ ବିଜୟୀ କରାଇଥିଲେ ଧୋନି । ଏହାପରେ 2013 ଆଇସିସି ଚମ୍ପିଆନ୍ସ ଟ୍ରଫି ଟାଇଟେଲ ମଧ୍ୟ ଧୋନିଙ୍କ ନେତୃତ୍ବରେ ଭାରତ ବିଜୟୀ ହୋଇଛି ।
ମାଞ୍ଚେଷ୍ଟରରେ ଶେଷ ମ୍ୟାଚ
9 ଜୁଲାଇ 2019ର ଦିନ ଥିଲା । ଅବସର ଥିଲା 2019 କ୍ରିକେଟ ବିଶ୍ବକପର ସେମିଫାଇନାଲ । ନ୍ୟୁଜିଲାଣ୍ଡକୁ 239 ରନରେ ରୋକିବା ପରେ ବିଜୟ ଲକ୍ଷ୍ୟକୁ ପିଛା କରିଥିଲା ଭାରତ । ମାତ୍ର ଭାରତୀୟ ଟପ ଅର୍ଡର ପ୍ରଥମ ଥର ପାଇଁ ଟୁର୍ଣ୍ଣାମେଣ୍ଟରେ ଫେଲ୍ ମାରିଥିଲା । ଧୋନି 50 ରନ କରି ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନ ଆଉଟହୋଇଥିଲେ । ମଉଳିଯୟାଉଥିଲା କୋଟି କୋଟି ଭାରତୀୟଙ୍କ 3ୟ ଥର ବିଶ୍ବକପ ବିଜୟର ଆଶା । ଏଥିସହିତ ଦିନିକିଆ ବିଶ୍ବକପରେ ଧୋନିଙ୍କ ବ୍ୟାଟିଂ । ଏହି ମ୍ୟାଚ ପରଠାରୁ ଆଉ ଭାରତୀୟ ଜର୍ସିରେ ନଜର ଆସିନାହାନ୍ତି ଧୋନି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ