ନୂଆଦିଲ୍ଲୀ: 39 ବର୍ଷରେ ପାଦ ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଏହି ଖାସ ଅବସରରେ ଧୋନିଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ । ତେବେ ଧୋନିଙ୍କ ସଫଳତା ପାଇଁ ତାଙ୍କ ପରିବାର ଯେତିକ ଗର୍ବ ଅନୁଭବ କରନ୍ତି ସେତିକି ଗର୍ବ ଅନୁଭବ କରନ୍ତି ବିସିସିଆଇର ପୂର୍ବତନ ମୁଖ୍ୟ ଚୟନକର୍ତ୍ତା କିରନ ମୋରେ । ସେ ବିଶ୍ବାସ କରନ୍ତି ଯେ ଧୋନିଙ୍କ ମଧ୍ୟରେ ସବୁବେଳେ ଶୀର୍ଷରେ ପହଁଞ୍ଚିବାର ପ୍ରତିଭା ଥିଲା ଏବଂ ଯେତେବେଳେ ସୁଯୋଗ ମିଳିଲା ସେ ତାହା କରି ଦେଖାଇଲେ ।
2004ରେ ବାଂଲାଦେଶ ବିପକ୍ଷରେ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଧୋନି । ଆଉ ତା ପରଠାରୁ ଭାରତୀୟ କ୍ରିକେଟକୁ ଅନେକ କିଛି ଦେଇଛନ୍ତି ସେ । ସେ ଅନ୍ତର୍ଜାତୀୟ ସ୍ତରରେ ପ୍ରବେଶ କରିବା ଦିନଠାରୁ ଭାରତୀୟ କ୍ରିକେଟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ତାଙ୍କର ବିଚକ୍ଷଣ ୱିକେଟ କିପିଙ୍ଗ ଦକ୍ଷତା ହେଉ କିମ୍ବା ତାଙ୍କର ଦକ୍ଷ ବ୍ୟାଟିଂ ହେଉ, ମେନ ଇନ ବ୍ଲୁକୁ କ୍ରୀଡ଼ାର ଶିଖରରେ ପହଁଞ୍ଚାଇବାକୁ ଧୋନି ସମସ୍ତ ପ୍ରକାର ସହଯୋଗ କରିଛନ୍ତି ।
‘‘ତାଙ୍କ ପାଖରେ ସର୍ବଦା ପ୍ରତିଭା ରହିଥିଲା। ତାଙ୍କ ପାଖରେ କିଛି ଖାସ ଥିଲା, ଆଉ ଯେତେବେଳେ ଆପଣ ଯାଇ ଭାରତୀୟ ଦଳ ପାଇଁ ପ୍ରଦର୍ଶନ କରନ୍ତି, ସେତେବେଳେ ଆପଣ ଏକ ବଡ ଷ୍ଟାର ହୋଇଯାଆନ୍ତି। ସେ ତାହା କରିଥିଲେ। ତାଙ୍କୁ ପ୍ରଦର୍ଶନ କରିବାକୁ ଏକ ପ୍ଲାଟଫର୍ମ ଦିଆଯାଇଥିଲା ଏବଂ ସେ ଏହି ସୁଯୋଗକୁ ଦୁଇ ହାତରେ ଗ୍ରହଣ କରିଥିଲେ,’’ ବୋଲି ଧୋନିଙ୍କୁ ତାଙ୍କର 39 ତମ ଜନ୍ମଦିନରେ ଶୁଭେଚ୍ଛା ଦେବାବେଳେ ମୋରେ କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ‘‘ଧୋନି ଭାରତର ଅଧିନାୟକ ହେଲେ, 2007 ରେ ଟି-20 ବିଶ୍ବକପ ଜିତିଥିଲେ। ତାପର ଠାରୁ ତାଙ୍କ ଗ୍ରାଫ ଉପରକୁ ଉଠିଥିଲା। ସେ ଟେଷ୍ଟରେ ମଧ୍ୟ ଭାରତର ନେତୃତ୍ବ ନେଇଥିଲେ। ପରେ ସେ 2011 ରେ ବିଶ୍ବକପ ଜିତିଥିଲେ।’’
ଧୋନି ହେଉଛନ୍ତି ଏକମାତ୍ର ଅନ୍ତର୍ଜାତୀୟ ଅଧିନାୟକ ଯିଏକି ଆଇସିସି 50 ଓଭର ବିଶ୍ବକପ, ଟି-20 ବିଶ୍ୱକପ ଏବଂ ଚାମ୍ପିଅନ୍ସ ଟ୍ରଫି ଜିତିଛନ୍ତି। ଏପରିକି ସେ ଉଭୟ ଟେଷ୍ଟ ଏବଂ ଏକଦିବସୀୟ ଫର୍ମାଟରେ ଭାରତକୁ ଏକ ନମ୍ବର ମାନ୍ୟତା ଦେଇଛନ୍ତି।
ଧୋନିଙ୍କ ବିଷୟରେ ଯେତେବେଳେ ଏକ ଗୁଣ ବିଷୟରେ ପଚରାଗଲା ଯାହା ତାଙ୍କୁ ଅଧିକ ଆକର୍ଷିତ କରିଥାଏ, ମୋରେ କହିଥିଲେ, ‘‘ମୁଁ ଭାବୁଛି ତାଙ୍କ କ୍ରିକେଟ ଖେଳିବାର ଉପାୟ। ସେ ପ୍ରଥମ ଦିନରୁ ସମାନ ଭାବରେ ଖେଳୁଛନ୍ତି ଏବଂ ମ୍ୟାଚ ଜିତିବାର ମନୋଭାବ ରଖିଛନ୍ତି। ସେ ଜଣେ ଟିମ ମ୍ୟାନ, ଜଣେ ବ୍ୟକ୍ତି ଭାବରେ ଅତ୍ୟନ୍ତ ନମ୍ର ଓ ସରଳ। ସେ ସବୁ ଜିନିଷକୁ ଖୁବ ସରଳ ରଖନ୍ତି ସେ ଜଟିଳ ନୁହନ୍ତି ।’’
ଧୋନିଙ୍କ ସଫଳତା ଏବଂ ଭାରତୀୟ କ୍ରିକେଟରେ ଅବଦାନ ଦେଖି ସେ ନିଜକୁ ଗର୍ବିତ ପିତା ପରି ଅନୁଭବ କରୁଛନ୍ତି କି ବୋଲି ପଚରାଯାଇଥିବା ବେଳେ ମୋରେ କହିଛନ୍ତି, ‘‘ହଁ, ଘରେ ବସି ଭାରତୀୟ କ୍ରିକେଟ ପାଇଁ ସେ କ’ଣ କରିଛନ୍ତି ତାହା ଭାବିଲେ ଖୁବ ଭଲ ଲାଗେ। ଏହା ଉଲ୍ଲେଖନୀୟ। ସେ ବହୁତ ସଫଳ ହୋଇଛନ୍ତି। ଆପଣ ଜଣେ ଚୟନକର୍ତ୍ତା, ଆପଣ ସର୍ବଦା ଭଲ କ୍ରିକେଟର ଖୋଜନ୍ତି । ଏହା ଆପଣଙ୍କ କାମ। ଏହାର ଶ୍ରେୟ କେବଳ ମତେ ନୁହେଁ ଅନ୍ୟ ମାନଙ୍କୁ ମଧ୍ୟ ଦିଆଯିବା ଉଚିତ । ଆପଣ ଜଣେ କ୍ରିକେଟରଙ୍କୁ ବାଛନ୍ତି ଏବଂ ଯେତେବେଳେ ସେ ଦଳ ପାଇଁ ଭଲ କରନ୍ତି ଏବଂ ମ୍ୟାଚ ଜିତିବାରେ ସାହାୟକ ହୁଅନ୍ତି, ଆପଣ ଖୁସି ଏବଂ ଗର୍ବିତ ଅନୁଭବ କରନ୍ତି ।’’
ଭାରତୀୟ ଦଳର ଅନ୍ୟତମ ସଫଳ ଅଧିନାୟକ ଭାବରେ ଧୋନି 2019 ବିଶ୍ବକପର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇବା ଦିନଠାରୁ ବିଶ୍ରାମରେ ରହିଆସିଛନ୍ତି। ପ୍ରାୟ ଏକ ବର୍ଷ ହେଲା ସେ କ୍ରିକେଟ ପଡ଼ିଆଠାରୁ ଦୂରରେ ରହିଛନ୍ତି, ଏହି ସମୟରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା କିନ୍ତୁ ଥମି ନାହିଁ ।
ପୂର୍ବତନ ଭାରତୀୟ ଚୟନକର୍ତ୍ତା ମୋରେ କିନ୍ତୁ ଅନୁଭବ କରୁଛନ୍ତି ଯେ ଅବସର ଗ୍ରହଣ ନିଷ୍ପତ୍ତି ଧୋନିଙ୍କ ଉପରେ ଛାଡି ଦିଆଯାଉ। ‘‘ମୁଁ ଭାବୁଛି ଏହା ଏମଏସ ଧୋନିଙ୍କ ଉପରେ ଛାଡି ଦିଆଯିବା ଉଚିତ। ସେ ଯାହା କରିବାକୁ ଚାହୁଁଛନ୍ତି ତାକୁ ସମ୍ମାନ କରିବା ଉଚିତ।’’
@IANS